ନାବାଳକ ଅପହରଣ ଓ ହତ୍ୟା ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ନାବାଳକଙ୍କୁ ଅପହରଣ ପରେ ହତ୍ୟା ମାମଲାର ଶୁଣାଣି କରି ଏଡିଜେ-୧ ଡ. ପ୍ରସନ୍ନ କୁମାର ପଣ୍ଡା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛି ଲିଙ୍ଗରାଜ ସେଠୀ(୨୭)। ଏହା ସହିତ ୨୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ଚୂଡ଼ାନ୍ତ ରାୟ ଦେଇଛନ୍ତି।

ସୂଚନା ଅନୁସାରେ ଛତ୍ରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣିଆପଲ୍ଲୀର ଲିଙ୍ଗରାଜର ମାମୁ ଘର ହେଉଛି ଗୁରୁଣ୍ଠି। ସେ ବିଭିନ୍ନ ସମୟରେ ତାଙ୍କ ମାମୁ ଘରକୁ ଯିବା ଆସିବା କରୁଥିଲେ। ଗୁରୁଣ୍ଠିରେ ରହୁଥିବା ଜଣେ ଯୁବତୀଙ୍କୁ ସେ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ଯୁବତୀ ଜଣକ ପ୍ରେମ ସମ୍ପର୍କରେ ରାଜି ନଥିଲେ। ବାହା ନହେଲେ ସମ୍ପୃକ୍ତ ଯୁବତୀଙ୍କ ନାବାଳକ ଭାଇକୁ ଅପହରଣ କରି ନେବାକୁ ଲିଙ୍ଗରାଜ ଧମକ୍‌ ଦେଇଥିଲେ।

୨୦୧୮ ଡିସେମ୍ବର ୬ତାରିଖରେ ହଠାତ୍‌ ଯୁବତୀଙ୍କ ନାବାଳକ ଭାଇ କୁଆଡ଼େ ନିଖୋଜ ହୋଇ ଯାଇଥିଲେ। ଏ ନେଇ ସଦର ଥାନାରେ ମାମଲା ରୁଜୁ ପରେ ତତ୍କାଳୀନ ନିମଖଣ୍ଡି ଫାଣ୍ଡି ଅଧିକାରୀ ନାରାୟଣ ସ୍ବାଇଁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଲିଙ୍ଗରାଜଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ଲିଙ୍ଗରାଜଙ୍କ ଗାଁ ବ୍ରାହ୍ମଣିଆପଲ୍ଲୀ ସ୍ଥିତ ଏକ ଆମ୍ବ ତୋଟାରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏଣୁ ନିଖୋଜ ମାମଲା ହତ୍ୟା ମାମଲାରେ ରୂପାନ୍ତରିତ ହୋଇଥିଲା। ଏହାପରେ ଘଟଣାର ତଦନ୍ତଭାର ତତ୍କାଳୀନ ଥାନା ଅଧିକାରୀ ଶିବଶଙ୍କର ମହାପାତ୍ରଙ୍କ ନିକଟକୁ ଯାଇଥିଲା। ଲିଙ୍ଗରାଜକୁ ଜେରା ପରେ ପ୍ରେମରେ ବିଫଳ ହେବାରୁ ଯୁବତୀଙ୍କ ଭାଇକୁ ଅପହରଣ କରି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। ଘଟଣା ଦିନ ଲିଙ୍ଗରାଜ ଯୁବତୀଙ୍କ ଭାଇକୁ ବୁଲାଇ ନେବାକୁ କହି ଅପହରଣ କରି ନେଇଥିଲା। ଏହାପରେ ତାକୁ ବ୍ରାହ୍ମଣିଆପଲ୍ଲୀ ଗାଁକୁ ନେଇ ସେଠାରେ ତଣ୍ଟିକାଟି ହତ୍ୟା କରିବା ପରେ ଶବକୁ ଆମ୍ବତୋଟାରେ ଫୋପାଡ଼ି ଦେଇଥିଲା ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଥିଲା। ଅପହରଣ ପରେ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତ ଲିଙ୍ଗରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାର ବିଚାରଣା ବେଳେ ୩ଜଣ ପୁଲିସ ଅଧିକାରୀଙ୍କ ସମେତ ମୋଟ ୧୭ଜଣଙ୍କ ବୟାନ୍‌ ରେକର୍ଡ଼ କରାଯାଇଥିଲା। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ କୋର୍ଟ ଅଭିଯୁକ୍ତ ଲିଙ୍ଗରାଜକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ପରଠାରୁ ଅଭିଯୁକ୍ତ ଲିଙ୍ଗରାଜ ମଣ୍ଡଳ କାରାଗାରେ ବନ୍ଦୀ ଭାବେ ରହିଛି। ସରକାରଙ୍କ ତରଫରୁ ଏପିପି ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର