ପ୍ରକାଶ ପାଇଲା ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ: ପାସ୍ ହାର ୯୬.୪ ପ୍ରତିଶତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ (ଦଶମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ ଆଜି(ମେ ୧୮) ଦିନ ୧୦ଟାରେ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତି‌ରେ ପରୀକ୍ଷାଫଳ ପ୍ରକାଶ ପାଇଛି। ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥର ପାସ୍ ହାର ରହିଛି ୯୬.୪ ପ୍ରତିଶତ। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ ଏ ବର୍ଷ ପରୀକ୍ଷାଫଳ ଭଲ ହୋଇଛି। ଛାତ୍ରଙ୍କ ତୁଳନାରେ ଏଥର ଛାତ୍ରୀମାନଙ୍କର ପାସ୍ ହାର ଅଧିକ ରହିଛି। ଏଥିରେ ବୋର୍ଡ ସଭାପତି ରମାଶିଷ ହାଜରା ଓ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ଦିନ ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ। ଏହା ବ୍ୟତୀତ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ ବୋଲି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୫ଲକ୍ଷ ୩୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ୍‌ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୫ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା।

ସମ୍ବନ୍ଧିତ ଖବର