ଭୁବନେଶ୍ବର: ଫେରିଯିବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଗ ଅନୁକୂଳ ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ଆସନ୍ତା ୨୫ ତାରିଖ ବେଳକୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ନେଇ ଏନ୍‌ସେପ ଜିଏଫଏସ୍‌, ଏନ୍‌କାମ୍‌ ଓ ୟୁରୋପିଆନ ଆଦି ମଡେଲ ଆକଳନ କରିଥିବା ବେଳେ ସେପ୍ଟେମ୍ବର ୨୮ ତାରିଖ ଆଡ଼କୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସିଷ୍ଟମ ବିକଶିତ ହେବା ପରେ ଯାଇ ଏ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ତେବେ ଅକ୍ଟୋବର ପ୍ରଥମ ସପ୍ତା‌ହରେ ଅବପାତଜନିତ ବର୍ଷା ନେଇ ସମସ୍ତେ ସହମତି ପ୍ରକାଶ କହିଛନ୍ତି।

Advertisment

ଅନ୍ୟପଟେ ଏବେଠାରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇପାରିବ ନାହିଁ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ସେପ୍ଟେମ୍ବର ମାସ ଶେଷ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ହୋଇପାରେ। ତେବେ ଲଘୁଚାପ ସୃଷ୍ଟି ପରେ ହିଁ ସ୍ପଷ୍ଟ ଚିତ୍ର ଆସିବ ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହି ମାସ ଶେଷ ବେଳକୁ ଲଘୁଚାପର ସମ୍ଭାବନା ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ତେବେ ବଙ୍ଗୋପସାଗରୀୟ ସମ୍ଭାବ୍ୟ ଲଘୁଚାପ ବାତ୍ୟାରେ ପରିଣତ ହେବାର ସଙ୍କେତ ବର୍ତ୍ତମାନ ମିଳୁନାହିଁ। ଜିଏଫ୍‌ଏସ୍‌ ଓ ଏନ୍‌ସିଇପି ମଡେଲ କହୁଛି, କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ୨୮ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୩୬ ଘଣ୍ଟା ମଧ୍ୟରେ ଲଘୁଚାପ ଓ ସମ୍ଭବତଃ ଅବପାତ ହୋଇପାରେ। ୩୦ ଓ ଅକ୍ଟୋବର ୧ ତାରିଖରେ ଏହି ସମ୍ଭାବ୍ୟ ସିଷ୍ଟମ ଆଣ୍ଡାମାନ ସାଗରରୁ ମିଆଁମାର୍‌ରେ ରହିବ। ଅକ୍ଟୋବର ୨ ତାରିଖରେ ଉତ୍ତର ମିଆଁମାର ସଂଲଗ୍ନ ବଙ୍ଗୋପସାଗରରେ ପହଞ୍ଚିବ। ୨୮ ତାରିଖରୁ ୨ ତାରିଖ ମଧ୍ୟରେ ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଚୀନ ସାଗରରେ ସମ୍ଭାବ୍ୟ ବାତ୍ୟା ଆଡ଼କୁ ମୁହାଁଇବାରୁ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍‌।

ଇସିଏମ୍‌ଡବ୍ଲ୍ୟୁଏଫ୍‌ ମଡେଲ କହୁଛି, ୨୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଠିକ୍‌ ସେତିକି ବେଳେ ମହାରାଷ୍ଟ୍ର ସଂଲଗ୍ନ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଅକ୍ଟୋବର ୧ ତାରିଖ ବେଳକୁ ଏହା ଅବପାତର ରୂପ ନେଇପାରେ। ଫଳରେ ବଙ୍ଗୋପସାଗର ଲଘୁଚାପ ଅଧିକ ଘନୀଭୂତ ହୋଇନପାରେ। ବର୍ତ୍ତମାନ ସମୟରେ ଆକଳନ କରାଯାଉଛି, ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟକୁ ବାତ୍ୟା ଭୟ ନାହିଁ। ପରିସ୍ଥିତି ପ୍ରତି ନଜର ରଖାଯାଇଛି। ୨୮ ତାରିଖ ବେଳକୁ ଏନେଇ ଅଧିକ ସ୍ପଷ୍ଟ କହିହେବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ, ବିଶେଷ କରି ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ବର୍ଷା ହେବ, ବିଶେଷ ବର୍ଷା ସମ୍ଭାବନା ନାହିଁ। ସେହିଭଳି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାଖାପାଖି ଏକ ସିଷ୍ଟମ ବିକଶିତ ହୋଇପାରେ। ସ‌‌ାଧାରଣତଃ ଏହି ସମୟରେ କୌଣସି ସିଷ୍ଟମ ବିକଶିତ ହେଲେ ଏହା ଅବପାତ ବା ଗଭୀର ଅବପାତ ହୋଇପା‌ରେ। ଫଳରେ ଏଥିରେ ବର୍ଷା ଅଧିକ ହେବ। ପବନର ବେଗ ୭୦ରୁ ୮୦ କିମି ପର୍ଯ୍ୟନ୍ତ ରହିପାରେ। ସିଷ୍ଟମଟି ଉପକୂଳ ଅତିକ୍ରମ କଲା ପରେ ଓଡ଼ିଶା ଉପରେ ପବନର ବିଶେ‌ଷ ପ୍ରଭାବ ରହିବ ନାହିଁ। ତେବେ ୨୮ ତାରିଖ ବେଳକୁ ଏନେଇ ଅଧିକ ସ୍ପଷ୍ଟତା ଆସିପାରିବ ବୋଲି ସେ କହିଛନ୍ତି।