ମୋଷ୍ଟ ଓ୍ଵାଣ୍ଟେଡ୍‌ କାଳିଆର ମୃତ୍ୟୁ : ଦଶପଲ୍ଲାରେ ପୁଲିସ ଛାଉଣି, ଫାଣ୍ଡିରେ ତାଲା ମାରି ପୁଲିସ ଛୁ’

ଦଶପଲ୍ଲା : ଦଶପଲ୍ଲା ଅଞ୍ଚଳର ଅନ୍ୟତମ ମୋଷ୍ଟ ଓ୍ଵାଣ୍ଟେଡ୍‌ ତଥା ଶିମିଳିସାହି ଗ୍ରାମର କାଳିଆ କାଠୁଆର ଗତକାଲି ମଧ୍ୟରାତ୍ରିରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଗତ ୧୫ ତାରିଖରେ ସନ୍ଦେହଜନକ ଅବସ୍ଥାରେ ଫାଣ୍ଡି ମଧ୍ୟରେ ପୋଡ଼ିଯାଇ ଗୁରୁତର ହୋଇଥିଲା କାଳିଆ। କାଳିଆର ମୃତ୍ୟୁ ପରେ ସମଗ୍ର ଦଶପଲ୍ଲା ସହର ପୁଲିସ ଛାଉଣିରେ ପରିଣତ ହୋଇଛି। ଦଶପଲ୍ଲା ଅଞ୍ଚଳରେ ଘଟିଥିବା ସଦ୍ୟ କେତେକ ଅପରାଧରେ କାଳିଆର ସଂପୃକ୍ତିକୁ ନେଇ ଗତ ୧୩ ତାରିଖରେ ପୁଲିସ ତାକୁ ଘରୁ ଉଠାଇ ଆଣିଥିଲା। ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଫାଣ୍ଡିରେ କାଳିଆକୁ ରଖାଯାଇଥିବା ବେଳେ ସେ ଗିରଫ ଭୟରେ ଗତ ୧୫ ତାରିଖ ଦିନ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା ବୋଲି ପୁଲିସ କହୁଛି। ତେବେ ୧୯ ତାରିଖରେ କାଳିଆର ପତ୍ନୀ ବିନି ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭେଟିବା ପରେ ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ହସ୍ପିଟାଲରେ ବିନିଙ୍କୁ କାଳିଆ ଦେଇଥିବା ସୂଚନା ଅନୁଯାୟୀ, ପୁଲିସ ତାକୁ ଘରୁ ଉଠାଇ ଆଣି ନୟାଗଡ଼ର ଏକ ଆମ୍ବତୋଟାରେ ନିସ୍ତୁକ ମାଡ଼ ମାରିଥିଲା ଓ ସତ ଓଗାଳିବାକୁ ବାଧ୍ୟ କରିଥିଲା ଏବଂ ୧୫ ତାରିଖରେ ଫାଣ୍ଡିକୁ ଆଣି ପାଟିରେ କନା ବାନ୍ଧି ପୁଣି ମାଡ଼ ମାରିବା ସହ ତା ଉପରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୁଲିସର ଏହି ଅମାନବୀୟ ଅତ୍ୟାଚାର ବିରୋଧରେ ଗତକାଲି ବିନି ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ। କାଳିଆର ମୃତ୍ୟୁ ପରେ ୨ ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ମଧ୍ୟଖଣ୍ଡ ଫାଣ୍ଡି କନେଷ୍ଟବଳ ପ୍ରଦୀପ କୁମାର ସାହୁ ଓ ଦଶପଲ୍ଲା ଥାନାର କନେଷ୍ଟବଳ ରେବାନନ୍ଦ ତାରେଡ଼ିଆ। ଏହି ଘଟଣାର ତଦନ୍ତ ଏଚ୍‌ଆର୍‌ପିସି ଦ୍ୱାରା କରାଯିବ ବୋଲି ଆଜି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର