ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ସ୍ବାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଧାନସଭାରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ଦେଲା ବେଳେ ଭୁଲ୍ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ ଗୃହକୁ ବିଭ୍ରାନ୍ତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଅପରାହ୍ନରେ ଗୃହରେ ଶ୍ରୀ ମିଶ୍ର ନୋଟିସ୍ ଉପସ୍ଥାପନ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ପଚାରିଛନ୍ତି ‘ସରକାର ଅଭିଯୁକ୍ତକୁ ପାଗଳ କହୁଛନ୍ତି ବା ଅଭିଯୁକ୍ତକୁ ପାଗଳ ଦେଖାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ କେଉଁଠୁ ଜାଣିବାକୁ ପାଇଲେ?’ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ୍ ଓ ଭ୍ରମାତ୍ମକ। ଏପରି ମିଥ୍ୟା ବିବୃତି ଦ୍ବାରା ଗୃହକୁ ବିଭ୍ରାନ୍ତ କରାଯାଉଛି। ଗତ ଫେବ୍ରୁଆରି ୨୦ ତାରିଖରେ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ ଗୋପଳ ଦାସର ମାନସିକ ଅସୁସ୍ଥତାର ଥିବାର ରେକର୍ଡ ରହିଛି। ଅଭିଯୁକ୍ତର ମାନସିକ ଅସୁସ୍ଥତା ଥିବାରୁ ୪ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା। ଏହି ବୋର୍ଡ ଅଭିଯୁକ୍ତର ମାନସିକ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ଏଥିରୁ ପ୍ରମାଣିତ ହେଉଛି ଯେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ଅସୁସ୍ଥତା ଅଛି ବୋଲି କ୍ରାଇମ୍‌ବ୍ରାଞ୍ଚ୍ ଗ୍ରହଣ କରିଛି। ଚାରି ଜଣିଆ ମେଡିକାଲ୍ ବୋର୍ଡ ଅଭିଯୁକ୍ତର ମାନସିକ ଅସୁସ୍ଥତା ନଥିବା ନେଇ କହିଥିଲେ। ତାହା ସତ୍ତ୍ବେ ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ୍ କରିବା ପାଇଁ ବେଙ୍ଗାଲୁରୁର ନିମ୍‌ହାନ୍ସ୍ ନେବା ନିମନ୍ତେ ଝାରସୁଗୁଡ଼ା ଜେଏମ୍ଏଫ୍‌ସିରେ କ୍ରାଇମବ୍ରାଞ୍ଚ୍ ଆବେଦନ କରିଥିଲା। ଜେଏମ୍ଏଫ୍‌ସି ଏହି ଆବେଦନକୁ ଖାରଜ କଲା ପରେ କ୍ରାଇମ୍‌ବ୍ରାଞ୍ଚ୍ ସେସନ୍ କୋର୍ଟରେ ଆବେଦନ କଲେ। ସେସନ୍ କୋର୍ଟ ମେଡିକାଲ୍ ବୋର୍ଡର ରିପୋର୍ଟ ଗ୍ରହଣ କଲେ ଓ ଅଭିଯୁକ୍ତ ବ୍ୟକ୍ତିର ମାନସିକ ଅସୁସ୍ଥତା ନାହିଁ ବୋଲି କହିଲେ।

ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ତାଙ୍କ ବିବୃତିରେ କହିଥିଲେ ଯେ ଅଭିଯୁକ୍ତ ବ୍ୟକ୍ତି ଆମେରିକାର ସଂସ୍ଥା ଏଫ୍‌ବିଆଇ ଦ୍ବାରା ଯାଞ୍ଚ୍ ହେବ। ଏହା ବାଦ୍ କ୍ରାଇମ୍‌ବ୍ରାଞ୍ଚ୍‌ର ପ୍ରେସ୍ ବିବୃତିରେ ସ୍ପଷ୍ଟ ହୋଇଛି ଯେ ଅଭିଯୁକ୍ତ ପାଗଳ ବୋଲି ସରକାର ସ୍ବୀକାର କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସ୍ବାଧିକାର ଭଙ୍ଗ କରିଛନ୍ତି। ଏହାକୁ ବିଧାନସଭାର ସ୍ବାଧିକାର କମିଟିକୁ ଆବଶ୍ୟକ ଯାଞ୍ଚ୍ ପାଇଁ ପଠାଯାଉ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

ଏହାକୁ ଆବଶ୍ୟକ ଯାଞ୍ଚ୍ କରି ରୁଲିଂ ଦେବି ବୋଲି ବାଚସ୍ପତି କହିଥିଲେ।

ସମ୍ବନ୍ଧିତ ଖବର