ଶିଳ୍ପ କ୍ଷେତ୍ରରେ ବିଜୁ ବାବୁଙ୍କ ସଫଳତା ଠାରୁ ନବୀନ ବାବୁ ବଳିଗଲେଣି: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର : ଏବେ ଆମ ରାଜ୍ୟର ଆର୍ଥିକ ସଂସ୍ପାର ଅଣାଯାଇଛି। ଶିଳ୍ପ କ୍ଷେତ୍ରରେ ବହୁତ ପୁଞ୍ଜିନିବେଶ ହେଉଛି। ପୂର୍ବରୁ ବି ଯେଉଁମାନେ ସରକାରରେ ଥିଲେ ସେମାନେ ହଜାରେ ଦିନରେ ହଜା‌େର ଶିଳ୍ପ କଥା କହୁଥିଲେ। ହେଲେ କରିପାରୁନଥିଲେ, କାରଣ ଭଲ ଶିଳ୍ପ ନୀତି ନଥିଲା। ବିଜୁ ବାବୁଙ୍କ ସରକାର ବି ଶିଳ୍ପ କ୍ଷେତ୍ରରେ ଯେଉଁ ସଫଳତା ପାଇନଥିଲା, ନବୀନ ବାବୁ ତା’ଠାରୁ ଅଧିକ ସଫଳତା ପାଇଛନ୍ତି। ଏବେ ରାଜ୍ୟରେ ୪୪-୪୫ ବଡ଼ ଶିଳ୍ପାନୁଷ୍ଠାନ ହେଲାଣି। ୨୦୩୦ ସୁଦ୍ଧା ୧୦୦ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରଖିଛୁ। ଦକ୍ଷିଣ-ପୂର୍ବ ଏସିଆରେ ଓଡ଼ିଶା ସର୍ବାଧିକ ଉତ୍ପାଦନ ରେକର୍ଡ କରିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ଗୁରୁବାର ଦିନ ବିଭାଗର ୭୯୦କୋଟି ୨୦ଲକ୍ଷ ୧୦ହଜାର ଟଙ୍କା ବଜେଟ୍‌ର ଖର୍ଚ୍ଚ ଦାବି ଆଲୋଚନା କରି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ, ଆମର ମେକ୍‌ ଇନ୍ ଓଡ଼ିଶା ପରେ ମଧ୍ୟ ପ୍ରଦେଶ ସରକାର ‘ମେକ୍‌ ଇନ୍ ମଧ୍ୟପ୍ରଦେଶ’ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କଲେ, ବିଦେଶ ମନ୍ତ୍ରୀ, ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଏଥିରେ ସାମିଲ୍‌ ହେଲେ। ଏତେ ସତ୍ତ୍ବେ ବି ୧୪ଲକ୍ଷ ୬୦ହଜାର କୋଟିର ପୁଞ୍ଜିନିବେଶ ଆସିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏକା ଉଦ୍ୟମରେ ଓଡ଼ିଶାକୁ ୧୦ଲକ୍ଷ ୪୮ହଜାର କୋଟିର ପୁଞ୍ଜିନିବେଶ ଆସିଲା। ଆଜି ଦିନରେ ଓଡ଼ିଶା ଶିଳ୍ପାୟନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ପଶ୍ଚିମ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ପଛୁଆ କହି ରାଜନୀତିକରଣ କରାଯାଉଛି। କିନ୍ତୁ ଏବେ ସେଠାରେ ବି ଶିଳ୍ପ ସଂସ୍ଥା ଖୋଲିଲାଣି। ଆମର ରତ୍ପାନି ବଢ଼ୁଛି। ଗତ ଆର୍ଥିକ ବର୍ଷରେ ୧ଲକ୍ଷ ୩୩ହଜାର କୋଟିର ସାମଗ୍ରୀ ରତ୍ପାନି କରାଯାଇଛି। ଏହା କ’ଣ ଶିଳ୍ପ କ୍ଷେତ୍ରରେ ବିକାଶ ନୁହେଁ।

ସମ୍ବନ୍ଧିତ ଖବର