ଭୀଷଣ ବାତ୍ୟା ରୂପ ନେଲା ରେମାଲ, ଆଜି ମଧ୍ୟରାତ୍ରିରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା

ଭୁବନେଶ୍ବର: ବାତ୍ୟା ରେମାଲ ଭୀଷଣ ରୂପ ନେଇଛି। ରେମାଲ ଆଜି ମଧ୍ୟ ରାତ୍ରିରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଓଡ଼ିଶାରେ ବାତ୍ୟାର ପ୍ରଭାବ ରହିବ ନାହିଁ। ତେବେ ଏହି ଦୁଇଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଏହାର ପ୍ରଭାବରେ ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି  ସୂଚନା ପ୍ରଦାନ କରିଛନ୍ତି।

ରବିବାର ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ୱର ଏବଂ ଭଦ୍ରକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହିତ ଉପକୂଳରେ ପବନର ଗତି ୪୦ ରୁ ୫୦କିମି ବେଗରେ ବୋହିବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଉପକୂଳ ଓଡିଶାରେ ଏହାର ପ୍ରଭାବରେ ରବିବାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର