ରାଷ୍ଟ୍ରୀୟ ପାଠ୍ୟଚର୍ଚ୍ଚା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ

ଭୁବନେଶ୍ବର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଘୋଷଣା କରାଯାଇଥିବା ରାଷ୍ଟ୍ରୀୟ ପାଠ୍ୟଚର୍ଚ୍ଚାର ରୂପରେଖ ଦେଶର ଶିକ୍ଷା କ୍ଷେତ୍ର ପାଇଁ ଏକ ଅଭିନବ ପଦକ୍ଷେପ ହେବ। କେବଳ ସେତିକି ନୁହେଁ, ବରଂ ପରବର୍ତ୍ତୀ ପିଢ଼ିକୁ ଅଧିକ ସକ୍ଷମ କରି ଗଢ଼ି ତୋଳିବାର ଏକ ମାର୍ଗ ପାଲଟିବ ବୋଲି ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଅଧ୍ୟକ୍ଷ ଡି.ରାମକୃଷ୍ଣ ରାଓ କହିଛନ୍ତ।

ସେ ଆହୁରି କହିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ସରକାରୀ ଦୃଷ୍ଟିରୁ ବିଦ୍ୟାଳୟ ଶିକ୍ଷା ପ୍ରଥମ ଶ୍ରେଣୀରୁ ଆରମ୍ଭ ହେଉଥିଲା। ମାତ୍ର ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ରେ ପ୍ରାରମ୍ଭିକ ଶିକ୍ଷାକୁ ଔପଚାରିକ ଶିକ୍ଷାର ଏକ ଅଙ୍ଗରୂପେ ଗ୍ରହଣ କରାଯାଇଛି। ଶୈକ୍ଷିକ ଗୁଣବତ୍ତା ବିକାଶର ପ୍ରାଥମିକତା ତଥା ବିକାଶ ଲକ୍ଷ୍ୟ ଦୃଷ୍ଟିରୁ ଏହି ପାଠ୍ୟଚର୍ଚ୍ଚା ଦ୍ବାରା ଶିଶୁଟିର ବ୍ୟକ୍ତିତ୍ବର ସର୍ବାଙ୍ଗୀନ ବିକାଶ ହେବ। ଶିକ୍ଷାର ପ୍ରଚଳିତ ପଦ୍ଧତି ଦ୍ବାରା ୩ରୁ ୬ବର୍ଷ ଶିଶୁଙ୍କ ପାଇଁ ପାଠ୍ୟକ୍ରମ, ପାଠ୍ୟପୁସ୍ତକ, ଶ୍ରେଣୀ ଶିକ୍ଷଣ, ଗୃହ କାର୍ଯ୍ୟ, ପରୀକ୍ଷା ସଫଳ ହୋଇପାରିବ ନାହିଁ। ରାଷ୍ଟ୍ରୀୟ ପାଠ୍ୟଚର୍ଚ୍ଚା ଖେଳ ମାଧ୍ୟମରେ, ଖେଳଣା ମାଧ୍ୟମରେ, ଗତିବିଧି ମାଧ୍ୟମରେ ଓ ଆନନ୍ଦଦାୟକ ଶ୍ରେଣୀ କକ୍ଷ ଏବଂ ଖେଳ ପଡ଼ିଆ କାର୍ଯ୍ୟକ୍ରମ ମାଧ୍ୟମରେ ଶିଖାଯିବ। ଏଥିରେ ପିଲାମାନେ ଶିକ୍ଷାକୁ ବୋଝ ବୋଲି ନ ଭାବି ମଉଜମସ୍ତିରେ ଶିଖିବେ। ଶିକ୍ଷା ତଥା ବିଦ୍ୟାଳୟ ପ୍ରତି ସେମାନଙ୍କ ମନରେ ପିଲା ଦିନରୁ ଯେଉଁ ଭୟ ବିକଶିତ ହୋଇଥାଏ ତାହା ଦୂର ହେବ। ପ୍ରାରମ୍ଭିକସ୍ତର ନିମନ୍ତେ ରାଷ୍ଟ୍ରୀୟ ପାଠ୍ୟଚର୍ଚ୍ଚାର ରୂପରେଖ ୨୦୨୨କୁ ସଙ୍ଗଠନ ପକ୍ଷରୁ ସ୍ବାଗତ କାରାଯାଉଛି। ପ୍ରଧାନମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ର ପ୍ରାରୂପ ପ୍ରସ୍ତୁତ କରିବାରେ ଯେଉଁମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ତାଙ୍କୁ ଅଭିନନ୍ଦନ ଜଣାଉଛୁ ବୋଲି ଶ୍ରୀ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର