ସିଏମ୍‌ସି, ଓଏଚ୍‌ପିସି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଇ-ଅଫିସର ଶୁଭାରମ୍ଭ

‘ଇ-ଅଫିସ୍‌ ବ୍ୟବସ୍ଥା ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି’

ଭୁବନେଶ୍ୱର : ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ କଟକ ମହାନର ନିଗମ (ସିଏମ୍‌ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ନିମନ୍ତେ ଇ-ଅଫିସ୍‌ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ରାଜ୍ୟ ଲୋକସେବା ଭବନ ସଭାଗୃହରୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟୱେୟାରକୁ ଶୁଭାରମ୍ଭ କରି କହିଛନ୍ତି ଯେ, ଓସ୍ୱାସ୍ ଏବଂ ଇ-ଅଫିସ୍ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ। ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ୱୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହାଦ୍ବାରା ଅଫିସ ବାରଣ୍ଡାରେ ଗଦା ଗଦା ଫାଇଲ୍ ରହିବା, ମାସ ମାସ ଧରି ଫାଇଲ୍ ଗୋଟିଏ ଟେବୁଲରେ ପଡ଼ି ରହିବା, ଫାଇଲ୍ ଲୁଚାଇଦେବା, ଫାଇଲ୍ ହଜିବା ଓ ଫାଇଲ୍‌ରେ ହେରଫେର କରିବା ଆଦି ଅତୀତର କଥା ହୋଇଯାଇଛି। ଇ-ଅଫିସ୍ ମଧ୍ୟ ଅନଲାଇନ୍‌ରେ ବିଭିନ୍ନ ପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବିଶେଷ ସହାୟକ ହୋଇଛି। ଇ-ଅଫିସ୍ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତର ଆହ୍ୱାନ ପାଇଁ ଦକ୍ଷ କରିଛି। ସେହିପରି ଯେଉଁ କାର୍ଯ୍ୟାଳୟ ଗୁଡ଼ିକ ଓସ୍ୱାସ୍ ଦ୍ୱାରା ସଂଯୋଗ ହୋଇନପାରିଛି ସେସବୁରେ ଇ-ଅଫିସ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ସିଏମ୍‌ଜିଆଇ ଏବଂ ଏନ୍ଆଇସିକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୮୩୬ ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସିଏମ୍‌ଜିଆଇର କାର୍ଯ୍ୟ ପ୍ରଶଂସନୀୟ। ଏହି ବ୍ୟବସ୍ଥା ଫାଇଲ୍ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କହିଥିଲେ ଯେ ଖୁବ୍ ଶୀଘ୍ର ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ଆରମ୍ଭ କରାଯିବ।

ସେହିପରି ଆଉ ୧୦୦ଟି କାର୍ଯ୍ୟାଳୟ ଓ ନିଗମରେ ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସିଏମ୍‌ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ଓଏଚ୍‌ପିସିର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ, ଏନ୍‌ଆଇସି ଉପ ମହାନିର୍ଦ୍ଦେଶକ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକ, ସିଏମ୍‌ଜିଆଇ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର