‘ବାଲେଶ୍ବର ପାଇଁ କାର୍ଯ୍ୟକାରୀ ହେବ ନୂଆ ଯୋଜନା’

ଜଳେଶ୍ୱର/ନୀଳଗିରି: ‘ବାଲେଶ୍ୱର ମାଟିରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମ ଆରମ୍ଭ ହୋଇଥିଲା। ହେଲେ ୨୫ ବର୍ଷ ହେଲା ଓଡ଼ିଶାର ଅସ୍ମିତା ବିପଦରେ। ଯାହାକୁ ପ୍ରତିବାଦ କରି ବିଜେଡି ସରକାର ବିରୋଧରେ ଲୋକେ ଏକତ୍ରିତ ହେବା ଦରକାର। କେନ୍ଦ୍ର ସରକାରଙ୍କ ଅନୁଦାନକୁ ନିଜ ଅନୁଦାନ କହି ଲୋକଙ୍କୁ ଭ୍ରମିତ କରୁଥିବା ବିଜେଡି ସରକାର ପରିବର୍ତ୍ତନ ହେବା ଆବଶ୍ୟକ। ମୋଦୀ ଓଡ଼ିଶା ସହ ବାଲେଶ୍ବର ଓ ଜଳେଶ୍ବର ପାଇଁ ଅନେକ ନୂଆ ଯୋଜନା କରିଛନ୍ତି। ବିଜେପି ସରକାର ଆସିଲେ ସେସବୁ କାର୍ଯ୍ୟକାରୀ ହେବ। ରେଳକ୍ଷେତ୍ରରେ ନୀଳଗିରିବାସୀଙ୍କ ପାଇଁ ମଧ୍ୟ ବଡ଼ ଖୁସି ଖବର ରହିଛି।’ ବାଲେଶ୍ବରକୁ ନିର୍ବାଚନ ପ୍ରଚାର‌ରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହିଭଳି ମନ୍ତବ୍ୟ ଦେଇଛନ୍ତି।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ଜଳେଶ୍ବର ବ୍ଲକ୍‌ ଆରୁହା ପଞ୍ଚାୟତ ଶାଳିକୋଠା କାଳୀମନ୍ଦିର ପଡ଼ିଆରେ ଆୟୋଜିତ ମହିଳା ସମାବେଶ ଏବଂ ନୀଳଗିରି ବ୍ଲକ୍‌ ସନ୍ତରାଗଡ଼ିଆ କଲେଜ ପଡ଼ିଆରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇଥିଲେ। ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଜଳେଶ୍ବର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ସପକ୍ଷରେ ସେ ଭୋଟ୍‌ ମାଗିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସାଂସଦ ପ୍ରାର୍ଥୀ ପ୍ରତାପ ନିଜ ଭାଷଣରେ କହିଥିଲେ; ନବୀନ ପଟ୍ଟନାୟକ କାଗଜରୁ ନପଢ଼ି ଯଦି ଓଡ଼ିଆରେ ଭାଷଣ ଦେଇଦେବେ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ଏହିଅବସରରେ ବିଧାୟକ ପ୍ରାର୍ଥୀ ବ୍ରଜମୋହନ ଗୋ-ମାତାଙ୍କୁ ନେଇ ଦୁଇଦିନ ତଳେ ରଖିଥିବା ଏକ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଜଳେଶ୍ବର ସମାବେଶରେ ବିଜେପି ନେତ୍ରୀ ସୁମତୀ ଦେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧିତ ଖବର