ନବୀନବାବୁଙ୍କ ଇଚ୍ଛା ଅନୁସାରେ କିଛି ହେଉନି: ମୋଦୀ

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଲେ

ପୁରୀ: ଓଡ଼ିଶାର ନାଗରିକଙ୍କ ମନରେ ଏକ ବଡ଼ ପ୍ରଶ୍ନ ରହିଛି। ନବୀନ ବାବୁଙ୍କ ନେତୃତ୍ବକୁ ଓଡ଼ିଶାବାସୀ ତିନି ଦଶନ୍ଧି ଧରି ସ୍ବୀକାର କରି ଆସୁଛନ୍ତି। ‌ହେଲେ, ଗତ କିଛିବର୍ଷ ହେଲା ନବୀନବାବୁ ସରକାର ଚଳାଉନାହାନ୍ତି। ନବୀନବାବୁଙ୍କ ଇଚ୍ଛା ଅନୁସାରେ କିଛି ହେଉନି। ତାଙ୍କୁ କେବଳ ବ୍ୟବହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ପୁରୀ ବଡ଼ଦାଣ୍ଡରେ ରୋଡ୍‌ ସୋ’ କରିବା ଅବସରରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ନବୀନ ବାବୁଙ୍କ ପାଇଁ ଭଲ ହୋଇଥା’ନ୍ତା, ଯଦି କେହି ଓଡ଼ିଆ ବ୍ୟକ୍ତିଙ୍କୁ ପାଖରେ ରଖିଥା’ନ୍ତେ। ଯିଏ ଓଡ଼ିଆ ଭାଷାଙ୍କୁ ଭଲରେ ଜାଣିଛନ୍ତି, ଓଡ଼ିଆ ଅସ୍ମିତା ତଥା ଓଡ଼ିଆଙ୍କ ଜନଜୀବନ ସହ ବଢ଼ିଛନ୍ତି, ତାଙ୍କୁ ନିଜର କରିଥା’ନ୍ତେ। କିନ୍ତୁ, ସେ ଆଉଟ୍‌ସୋର୍ସିଂ କରୁଛନ୍ତି। ଅନ୍ୟ ରାଜ୍ୟ ଭରସାରେ ଓଡ଼ିଶା ଶାସନ ଚାଲୁଛି। ଓଡ଼ିଆବାସୀ ସ୍ବାଭିମାନୀ ଓ ସ୍ବାଭିମାନ ପାଇଁ ଲଢ଼ି ଆସିଛନ୍ତି। ଯେଉଁ ସମୟରେ ଦେଶରେ ଓଡ଼ିଆମାନେ ନେତୃତ୍ବ ନେଉଛନ୍ତି, ସେଭଳି ସ୍ଥିତିରେ ପୁଣିଥରେ କାହାର ଗୋଲାମି କରିବାକୁ ଓଡ଼ିଆମାନେ ପ୍ରସ୍ତୁତ ନୁହନ୍ତି ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ନବୀନ ବାବୁଙ୍କୁ ପସନ୍ଦ କରନ୍ତି। କିନ୍ତୁ ନବୀନ ବାବୁଙ୍କୁ ଯେଉଁମାନେ ପରିଚାଳିତ କରୁଛନ୍ତି, ସେମାନଙ୍କ ପାଇଁ ଓଡ଼ିଶାବାସୀ କିଛି କରିବାକୁ ପ୍ରସ୍ତୁତ ନୁହନ୍ତି। ଏଣୁ ଓଡ଼ିଶାବାସୀ ଚାହୁଛନ୍ତି, ଓଡ଼ିଆର ଅସ୍ମିତା, ସ୍ବାଭିମାନ, ଉଜ୍ଜ୍ବଳ ଭିବଷ୍ୟତ ପାଇଁ ଓଡ଼ିଶାରେ ବହୁତ ବଡ଼ ପରିବର୍ତ୍ତନ। ୨୦୨୪ ନିର୍ବାଚନ ଓଡ଼ିଶାର ପରିବର୍ତ୍ତନ ପାଇଁ ଓ ଦିଲ୍ଲୀରେ ଓଡ଼ିଆଙ୍କ ସାମର୍ଥ୍ୟ ଦେଖାଇବାର ସମୟ ବୋଲି ‌ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଆମ ଦେଶର ସମ୍ବିଧାନ ଏତେ ଭଲ ଯେ ଏଠି ଚା ବାଲାଙ୍କ ପୁଅ ବି ରାଜନେତା ହୋଇପାରୁଛି। କିନ୍ତୁ, କଂଗ୍ରେସ ସର୍ବଦା ସମ୍ବିଧାନକୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବ୍ୟବହାର କରି ଆସିଛି। ସର୍ବପ୍ରଥମେ ଯେବେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ସେ ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ରେ କଟକଣା ଲଗାଇବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କ ଝିଅଙ୍କୁ ଯେତେବେଳେ ନ୍ୟାୟପାଳିକା ସାଂସଦ ରୂପେ ଅଯୋଗ୍ୟ ଘୋଷିତ କଲେ, ସେତେବେଳେ ସେ ସମ୍ବିଧାନ ପରିବର୍ତ୍ତନ କରିଦେଲେ। ଦେଶର ଲୋକେ ଯେତେବେଳେ ତାଙ୍କୁ ପଦ ଛାଡ଼ିବାକୁ ଦାବି କଲେ, ସେତେବେଳେ ସେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମ୍ବିଧାନରେ ହସ୍ତକ୍ଷେପ କଲେ। ପରେ ତାଙ୍କ ପୁଅ ଆସିଲେ, ସେ ସମ୍ବିଧାନରେ ହସ୍ତକ୍ଷେପ କରି ଲକ୍ଷାଧିକ ମା’,ଭଉଣୀଙ୍କ ଅଧିକାରକୁ ଛଡ଼ାଇ ନେଇଥିଲେ। ପରେ ତାଙ୍କ ପୁଅ କ୍ୟାବିନେଟ୍‌ ନିର୍ଣ୍ଣୟକୁ ବଦଳାଇ ଦେଲେ। ସମ୍ବିଧାନର ଏହାଠୁ ବଳି ଅପମାନ ଅନ୍ୟ କେହି କରିନାହାନ୍ତି ବୋଲି ସେ କହିଥିଲେ।

ରତ୍ନଭଣ୍ଡାର ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ସେବାୟତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ଆଜି ଶ୍ରୀମନ୍ଦିରର ସେବାୟତମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ଗୋଚ୍ଛିକାର କହିଛନ୍ତି, ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ ସାରି ମହାଲକ୍ଷ୍ମୀଙ୍କ ଦର୍ଶନ ବେଳେ ସେବାୟତମାନେ ଚାରିଦ୍ବାର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିବା ଶ୍ରୀ ଗୋଚ୍ଛିକାର କହିଛନ୍ତି।

ସମ୍ବନ୍ଧିତ ଖବର