ଓଡ଼ିଶା ‘ବିକଶିତ ଭାରତ’ର ନେତୃତ୍ୱ ନେବ: ଧର୍ମେନ୍ଦ୍ର

ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର

ଭୁବନେଶ୍ୱର: ଉପଯୁକ୍ତ ସୁଯୋଗ ମିଳିଲେ ଆଗାମୀ ଦିନରେ ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବେ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭୁବନେଶ୍ବରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଶିଳ୍ପ ମହାସଂଘ ଏବଂ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନାଚକ୍ର ‘ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ସ୍ଥାପନ ଉପରେ ପ୍ରତିଫଳନ’ର ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଆମର ସାମୂହିକ ପ୍ରୟାସର ଏକ ଅଂଶବିଶେଷ। ପୂର୍ବୋଦୟ ମିସନର ସବୁଠାରୁ ବଡ଼ ଲାଭାର୍ଥୀ ଓଡ଼ିଶା ହୋଇଛି। ମିସନ ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୃଷ୍ଟିକୋଣ ନୂତନ ସୁଯୋଗ ସୃଷ୍ଟି କରୁଛି। ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ମାନବ ପୁଞ୍ଜି ଏବଂ ଭୌଗଳିକ ଅବସ୍ଥିତି ସହ ପୂର୍ବ ଭାରତ ଓ ଓଡ଼ିଶା ଆଗାମୀ ଦିନରେ ବିକଶିତ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାୟ ୧୦ କୋଟି ଲୋକ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟସମୂହରେ ବସବାସ କରନ୍ତି। ଆମର ପଡ଼ୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶର ସଂସ୍କୃତି ପ୍ରାୟ ସବୁ ଏକାପରି। ଓଡ଼ିଶା ସମେତ ଏହି ରାଜ୍ୟ ସମୂହରେ ଦକ୍ଷତାର କୌଣସି ଅଭାବ ନାହିଁ। ଏହି ସବୁ ଅଞ୍ଚଳର ସାମଗ୍ରିକ ବିକାଶର ରାସ୍ତା ଭାରତ ଦେଇ ହେବ। ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ ଭଳି ଅଞ୍ଚଳରେ ବନ୍ଦର ସଂଯୋଗୀକରଣ, ବୌଦ୍ଧିକ କ୍ଷମତାର ନେଟୱାର୍କିଂ, ସମ୍ବଳ ପରିଚାଳନା ଅଛି ତଥା ବିଶ୍ୱର ଅନ୍ୟ ଅଞ୍ଚଳକୁ ଯୋଡ଼ିହେବାର ରାସ୍ତା ଭାରତ ଦେଇଛି। ଏଥି‌େର ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି. ମୂରଲିଧରଣ ଯୋଗଦେଇ କହିଛନ୍ତି ଯେ ଏହି ସମ୍ମିଳନୀ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବ ସମୂହ ଅଞ୍ଚଳର ବିକାଶ କ୍ଷେତ୍ରରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍‌ ହେବ। ଭାରତ ଏବଂ ପୂର୍ବ ଏସିଆର ଦେଶଗୁଡ଼ିକ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିବାରେ ସହାୟକ ହେବ। ବିଶେଷତଃ ଯୋଗାଯୋଗ, ସାମୁଦ୍ରିକ ବାଣିଜ୍ୟ ଓ ଅର୍ଥନୀତି ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତର ପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ ଏନ୍‌ଏସ୍‌ଡିସି ସହ ବ୍ଲିନକିଟ୍, ଅପନା, କୁଇଜ୍ କ୍ରପ୍ ମଧ୍ୟରେ ପୃଥକ ପୃଥକ ତିନିଟି ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା ।  ଆଜିର ପ୍ରଥମ ଅଧିବେଶନରେ ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୌରଭ କୁମାର, ବାଂଲାଦେଶର ହାଇକମିସନର ମୁସ୍ତାଫିଜୁର ରେହମାନ, ବୈଦେଶିକ ମନ୍ତ୍ରଣାଳୟର ସଚିବ(ଇଷ୍ଟ) ସୌରଭ କୁମାର, ବୈଜ୍ଞାନିକ ଅନିଲ କାକୋଡକର, ସିଆଇଆଇର ସଭାପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର