ମୁରବି ବିହୀନ ଆରସିଏମ୍ଏସରେ ନାହିଁ ଖାତା ଖତିଆନ: ୩ବର୍ଷ ହେଲା ହୋଇନି ଅଡିଟ୍,

ଜୟପୁର: ଜୟପୁର ଆଂଚଳିକ ସମବାୟ ମାର୍କେଟିଂ ସୋସାଇଟି ଲିମିଟେଡ (ଜେଆରସିଏମ୍ଏସ୍ ) ମୁରବୀ ବିହୀନ। ଏଭଳିକି ଏଠାରେ ଖାତା ଖତିଆନ୍ କିଛି ନଥିବା ବେଳେ ଗତ ୩ବର୍ଷ ହେବ ଅଡିଟ୍ ହୋଇନି କି ଆୟକର ବିଭାଗରେ ରିଟର୍ଣ୍ଣ ଦାଖଲ କରାଯାଇନି। ଫଳରେ ଆୟକର ବିଭାଗ ୫୪ଲକ୍ଷର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ପରିଚାଳନା କମିଟିର ସଭାପତି ସୁକାନ୍ତ ତ୍ରିପାଠୀ। ସାମାୟିକ ଆଶ୍ବସ୍ତି ପାଇଁ ୫ଲକ୍ଷ ଟଙ୍କା ଜମା କରାଯାଇଛି। କୋଟି କୋଟି ଟଙ୍କାର କାରବାର କରୁଥିବା ଏହି ସମିତିର କିଛି ଖାତା କିମ୍ବା ଖତିଆନ୍ ନଥିବାରୁ ବର୍ଷକୁ କେତେ ଟଙ୍କାର ବ୍ୟବସାୟ ହେଉଛି ତାହାର କିଛି ସ୍ପଷ୍ଟ ଚିତ୍ର ନାହିଁ ବୋଲି କହିଛନ୍ତି ସଭାପତି। ଏଭଳିକି ଏଠାରେ ଉତ୍ତରଦାୟୀ ପାଇଁ କେହି ଜଣେ ସ୍ଥାୟୀ କର୍ମଚାରୀ ନାହାନ୍ତି। ସଂପାଦକଙ୍କର ଦେଖା ମିଳୁନଥିବା ବେଳେ ଘରୋଇ ସଂସ୍ଥା ଦ୍ବାରା ଆଉଟସୋର୍ସିଂରେ କାମ କରୁଥିବା କର୍ମଚାରୀମାନେ ପରିଚାଳନା କରୁଛନ୍ତି। ଜଣେ ମାତ୍ର ସ୍ଥାୟୀ କର୍ମଚାରୀ ଭାବେ ପିଅନ୍ ରହିଥିବା ବେଳେ ସେ ହିସାବ, ଆୟବ୍ୟୟ ଆଦିର ଉତ୍ତରଦାୟୀ ହୋଇ ପାରିବେ ନାହିଁ। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସଭାପତି ଜିଲ୍ଲା ସମବାୟ ଉପନିବନ୍ଧକଙ୍କୁ ଚିଠି କରିଛନ୍ତି। ଏଭଳିକି ନୂଆ ପରିଚାଳନା ସଂସ୍ଥା ଗଠନ ହେବା ପରେ ଥରେ ବି ପରିଚାଳନା କମିଟି ବୈଠକ ସଂପାଦକ କରିନଥିବା ବେଳେ ପ୍ରସ୍ତାବିତ କାର୍ଯ୍ୟଖସଡା ବି ତିଆରି ହୋଇନି। ଏଭଳିକି ଅନିମିୟତତାକୁ ନେଇ ସଭାପତି ସଂପାଦକଙ୍କୁ ଲିଖିତ ଭାବେ ଜଣାଇବା ପରେ ସଂପାଦକ ମାସକ ମଧ୍ୟରେ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସବୁ ଖାତା ପ୍ରସ୍ତୁତ କରି ସମସ୍ତ ଆୟବ୍ୟୟର ବିବରଣୀ ସଭାପତିଙ୍କୁ ଦେବେ ବୋଲି କହିଥିଲେ। ତେବେ ୫ମାସ ପରେ ବି ଏହା ପ୍ରସ୍ତୁତ ହୋଇ ନଥିବା ବେଳେ ଆୟକର ବିଭାଗରୁ ଜରିମାନା ୫୪ଲକ୍ଷ ଆସିବା ନିଶ୍ଚିତ ରୁପେ ଚିନ୍ତା ଜନକ ବିଷୟ। ଶହ ଶହ ଚାଷୀଙ୍କ ଆଶା ଭରସାର ସଂସ୍ଥା ଏଭଳି ଅବ୍ୟବସ୍ଥାରେ ପରିଚାଳନା ହେବା ପରିତାପର ବିଷୟ ବୋଲି ସଭାପତି କହିଛନ୍ତି। ଯଦି ୫୪ଲକ୍ଷ ଟଙ୍କାର ଜରିମାନା ଆସୁଛି ତେବେ ସଂସ୍ଥାରେ କେତେ ଟଙ୍କାର କାରବାର ହୋଇଛି ତାହାର ସ୍ବଚ୍ଛତା ରଖି ଲୋକଲୋଚନକୁ ଆସିବା କଥା। ସଂପାଦକ କାହିଁକି ଘରେ ବସି ସଂସ୍ଥାର ଚେକ୍ ଦସ୍ତଖତ କରିବେ ।

ଘରୋଇ ତଥା ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଏତେ ବଡ଼ ସଂସ୍ଥାର ପରିଚାଳନା ଭାର ନ୍ୟସ୍ତ କରିବା କେତେ ଦୁର ସମୀଚିନ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ଯଦି ଆୟକର ବିଭାଗ ୫୪ଲକ୍ଷର ଜରିମାନା ଆଦାୟ କରିବା ପ୍ରକ୍ରିୟା ଆରମ୍ଭ କରି ସମବାୟ ସଂସ୍ଥାର ସବୁ ଜବତ କଲେ ସଂସ୍ଥା କିଭଳି ଚାଲିବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ଖାତା ଖତିଆନକୁ ସଜାଡିବା ଏବଂ ପରିଚାଳନା କମିଟି ବୈଠକ କରିବାକୁ ଅନୁରୋଧ କରିଥିଲେ। ୨୦୧୬-୧୭ରୁ ବି ଅଡିଟ୍ ହୋଇନଥିବା ସନ୍ଦେହ ପ୍ରକାଶ ପାଇଛି ବୋଲି କହିଛନ୍ତି ସଭାପତି । ପ୍ରତ୍ୟେକ ବର୍ଷ କାହିଁକି ପ୍ରସ୍ତାବିତ ଆୟବ୍ୟୟ ରିପୋର୍ଟ ପ୍ରସ୍ତୁତ ହେଉନି, ଆୟବ୍ୟୟର ହିସାବ ରଖାଯାଉନି, ଅଡିଟ କରାଯାଉନି , ନିୟମିତ ଭାବେ ଜିଲ୍ଲା ଉପନିବନ୍ଧକ ସମବାୟ ସମିତି ଯାଂଚ କରୁ ନଥିଲେ , ଏହାର ପଛରେ ବ୍ୟାପକ ଆର୍ଥିକ ଅନିମିୟତତା ଓ ସରକାରୀ ଅର୍ଥ ତୋଷାରପାତର ସଂଦେହ ପ୍ରକାଶ ପାଉଛି ବୋଲି କହିଛନ୍ତି ସଭାପତି। ସେ ଏହାର ନକଲ ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ଜିଲ୍ଲାପାଳ ଓ ସମସ୍ତ ନିର୍ଦ୍ଦେଶକଙ୍କୁ ପଠାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଆସନ୍ତା ୫ତାରିଖ ଦିନ ଏହାର ଯାଂଚ କରାଯିବ ବୋଲି ଡିଆରସିଏସ୍ ସଭାପତିଙ୍କୁ ଚିଠି କରିଛନ୍ତି।

 

 

 

ସମ୍ବନ୍ଧିତ ଖବର