ଆଜି ଭିନ୍ନକ୍ଷମ ଦିବସ: ନିଜ କର୍ମଚାରୀଙ୍କ ଦାବି ବି ଶୁଣୁନି ବିଭାଗ ଓ ପ୍ରଶାସନ

ପାଟଣାଗଡ଼: ଡିସେମ୍ବର ୩। ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରା ଯାଇଥାଏ। ଭିନ୍ନକ୍ଷମମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ନିଜ ବିଭାଗରେ କାର୍ଯ୍ୟରତ ଭିନ୍ନକ୍ଷମ କର୍ମଚାରୀଙ୍କ ଦାବିକୁ ନା ବିଭାଗ ଶୁଣୁଛି ନା ବ୍ଲକ ପ୍ରଶାସନ। ଲଗାତାର ୩ ଜଣ ବିଡିଓଙ୍କୁ ଲିଖିତ ଆକାରରେ ତାଙ୍କ ପାଇଁ ଏକ ରାମ୍ପ କରାଯିବା ନେଇ ଦାବି କରିଥିଲେ ହେଁ ଏ ଯାଏଁ କୌଣସି ବିଡିଓ ତାଙ୍କ ଦାବିକୁ କର୍ଣ୍ଣପାତ କରି ନ ଥିବାରୁ ବାଧ୍ୟ ହୋଇ ଶନିବାର ବିଡିଓଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡିଛି। ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ଅଶୋକ ଦାଶ। ସେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ କାର୍ଯ୍ୟକ୍ରମ ସହାୟକ ଭାବେ କାମ କରନ୍ତି। ସେ ନିଜେ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ୨୦୧୭ରୁ ଚାକିରି କରୁଛନ୍ତି। ପ୍ରଥମେ ସେ ଖପ୍ରାଖୋଲ ବ୍ଲକରେ କାମ କରୁଥିବା ବେଳେ ଗତ ୧୨ ରୁ ୧୪ ମାସ ହେଲା ପାଟଣାଗଡ଼ ବ୍ଲକରେ କାମ କରୁଥିବା ଜଣାପଡିଛି। ପାଟଣାଗଡ଼ ବ୍ଲକରେ ଥିବା ସାମାଜିକ ସୁରକ୍ଷା ବିଭାଗରେ ୪ ଗୋଟି ମାର୍ବଲ ଯୁକ୍ତ ପାହାଚ ରହିଛି। ଭିନ୍ନକ୍ଷମ ହୋଇଥିବାରୁ ସେ ତାଙ୍କ ବାଡି ସାହାଯ୍ୟରେ ନିଜ ପ୍ରକୋଷ୍ଠକୁ ଯିବା ସମୟରେ ଅନେକ ଥର ତଳେ ପଡି ଯାଇଥାନ୍ତି।

କିଛି ଦିନ ତଳେ ମଧ୍ୟ ସେ ତଳେ ପଡି ଯାଇଥିବା କହିଛନ୍ତି। ସେ ପାଟଣାଗଡ଼ ବ୍ଲକରେ ଯୋଗ ଦେବା ପରେ ଏହି ସମସ୍ୟା ସମ୍ପର୍କରେ ତାଙ୍କ ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ପାଇଁ ଏକ ରାମ୍ପ ତିଆରି କରିବା ନେଇ ପୂର୍ବରୁ ଅନେକବାର ୩ ଜଣ ବିଡିଓଙ୍କୁ କହିଥିଲେ। ନୀଳମାଧବ ସୁନାଙ୍କ ଠାରୁ ଆରମ୍ଭ କରି ପ୍ରଭାତ ସାହୁ ଓ ସୁମନ୍ତ କୁମ୍ଭାର। କେବଳ ବିଡିଓମାନଙ୍କୁ ନୁହେଁ ବରଂ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ମଧ୍ୟ ଏ ନେଇ କହିଛନ୍ତି। ଏପରି କି ପ୍ରଭାତ ସାହୁ ବିଡିଓ ଭାବେ ଦାୟିତ୍ବରେ ଥିବା ସମୟରେ ଲିଖିତ ଆକାରରେ ମଧ୍ୟ ଦେଇଥିଲେ। ହେଲେ ତାଙ୍କ ଦାବିକୁ କୌଣସି ବିଡିଓ କର୍ଣ୍ଣପାତ କରି ନ ଥିଲେ। ଗତ ଦୁଇ ଦିନ ତଳେ ସେ ନିଜ ପ୍ରକୋଷ୍ଠକୁ ଯିବା ସମୟରେ ତଳେ ପଡି ଯାଇଥିଲେ। ତେଣୁ ସେ ବାଧ୍ୟ ହୋଇ ଶନିବାର ବ୍ଲକ ପରିସରରେ ସେ ନିଜ ଟ୍ରାଇ ସାଇକଲରେ ବସି ଅଭିନବ ଭାବେ ପ୍ରତିବାଦ ତଥା ଧାରଣାରେ ବସିଥିବା ଜଣାପଡିଛି।

କେବଳ ପ୍ରତିବାଦ କରି ନାହାନ୍ତି ବରଂ ତାଙ୍କ ପାଖକୁ ଆସୁଥିବା ନିଜ ସମସ୍ୟା ନେଇ ଆସୁଥିବା ଲୋକଙ୍କ ଅଭିଯୋଗକୁ ସେଠାରୁ ବସି ଗ୍ରହଣ କରୁଥିବା ଜଣାପଡିଛି। ଏ ସମ୍ପର୍କରେ ଶ୍ରୀ ଦାଶଙ୍କୁ ପଚାରିବାରୁ ସେ ନିଜ ସମସ୍ୟା ଓ ଦାବିକୁ ନେଇ ବାରମ୍ବାର କହିବା ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରି ନ ଥିବାରୁ ବାଧ୍ୟ ହୋଇ ବାହାରେ ବସିଛି, ଯେପର୍ଯ୍ୟନ୍ତ ଦାବି ପୁରଣ ନ ହେବ ସେ ସେଠାରେ ବସି ଲୋକଙ୍କ ଅଭିଯୋଗ ଗ୍ରହଣ କରି ନିଜ କାର୍ଯ୍ୟ ସମ୍ପାଦନ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ପାଟଣାଗଡ଼ ବିଡିଓ ସୁମନ ମିଞ୍ଜଙ୍କୁ ପଚାରିବାରୁ ଅପର ପାର୍ଶ୍ବରେ ଏକ ରାମ୍ପ ରହିଛି, ଯେଉଁଥିରେ ଟ୍ରାଇ ସାଇକେଲ ମାଧ୍ୟମରେ ଯାଇ ଆସିପାରିବେ, ଅଯଥାରେ ସେ ନାଟକବାଜୀ କରି ଆଉ ଏକ ରାମ୍ପ କରିବା ନେଇ ଦାବି କରୁଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର