ନକ୍ସଲଙ୍କ ଶବ ଧରି ଫେରୁଥିବା ବେଳେ ଗୁଳିବର୍ଷା କଲେ ମାଓବାଦୀ, କଡ଼ା ଜବାବ ଦେଲେ ସୁରକ୍ଷାକର୍ମୀ

ମୃତକ ନକ୍ସଲଙ୍କ ସଂଖ୍ୟା ୮, ଏକେ-୪୭ ସହ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାର ଆବୁଝମାଡ ଜଂଗଲରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଗତକାଲି ୭ ଜଣ ନକ୍ସଲଙ୍କ ମୃତଦେହ ଧରି ଫେରୁଥିବା ବେଳେ ପୁଣି ନକ୍ସଲ ସହ ଗୁଳିବିନିମୟ ଘଟିବାରୁ ଆଉ ଜଣେ ନକ୍ସଲ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି ଜିଲ୍ଲାର ସୀମାରେ ନକ୍ସଲ ଏକ ବଡ ଧରଣର ବୈଠକ କରୁଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ, ଡିଆରଜି ଏବଂ ଏସଟିଏଫର ପ୍ରାୟ ୮୦୦ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟରେ ୭ ଜଣ ନକ୍ସଲ ସହ ୫ଟି ବନ୍ଧୁକ ଜବତ କରାଯାଇଥିଲା। ଏଥିସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା।

ତେବେ ଯବାନ ମୃତ ନକ୍ସଲଙ୍କ ସହ ମାଓ ସାମଗ୍ରୀ ନେଇ ଇନ୍ଦ୍ରାବତୀ ନଦୀ ପାର କରି ଆସୁଥିବା ବେଳେ ପୁଣି ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ତୁରନ୍ତ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବନ୍ଧୁକ ମଧ୍ୟ ଜବତ ହୋଇଥିଲା। ନକ୍ସଲ ଯବାନଙ୍କ ଅତ୍ୟାଧୁନିକ ଗୁଳିର ଜବାବ ଦେଇନପାରି ଜଂଗଲରେ ଛତ୍ରଭଙ୍ଗ ଦେଇଥିଲେ। ଆଜି ଯବାନ ଜଂଗଲରୁ ବାହାରିଥିଲେ। ମୋଟ ୮ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ପୁଲିସ କହିଛି। ଏଥିସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ସଂଗଠନ ଧିରେ ଧିରେ ଦୁର୍ବଳ ହେଉଥିବା ବେଳେ ଗତ ଦେଢ ମାସ ମଧ୍ୟରେ ୧୧୨ ଜଣ ନକ୍ସଲଙ୍କର ପ୍ରାଣହାନୀ ଘଟିଲାଣି। ସଂଗଠନ ଏବେ ବେକଫୁଟରେ।

ସମ୍ବନ୍ଧିତ ଖବର