ଗଞ୍ଜାମରେ ଧାନ ଅଭାବୀ ବିକ୍ରି ପାଇଁ ବାଟ ଖୋଲା; ସପ୍ତାହେ ପୂରିବ ୪୬୪ରୁ ୫୭ ମଣ୍ଡି ଖୋଲିଛି

ଧାନ ବିକିବେ ୧.୨୪ ହଜାର ଚାଷୀ, ଟୋକନ୍‌ ଆସିଛି ୧୦ ହଜାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ୍‌ରେ ଧାନମଣ୍ଡି ଖୋଲିନି। ଯେଉଁଠି ଖୋଲିଛି ସେଠାରେ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ଧାନ ରଖିବା ପାଇଁ ଗୋଦାମ ଗୃହ ନଥିବା ବେଳେ ଆଉ କେଉଁ ମଣ୍ଡିରେ ଓଜନ୍ ମେସିନ୍‌ ମଧ୍ୟ ନାହିଁ। ଏଭଳି ଅବ୍ୟବସ୍ଥା ଭିତରେ ଗଞ୍ଜାମ ଜିଲ୍ଲାରେ ଚଳିତ ୨୦୨୨-୨୩ ଖରିଫ୍‌ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯେଉଁଥିରୁ ପ୍ରଶାସନ ଧାନ ଅଭାବୀ ବିକ୍ରି ପାଇଁ ବାଟ ଖୋଲି ଦେଇଥିବା ବିଭିନ୍ନ ମହଲରେ ଅଭିଯୋଗ ଉଠିଲାଣି। ଚଳିତ ମାସ ୧୬ ତାରିଖରେ ଜିଲ୍ଲାରେ ମଣ୍ଡି ଆରମ୍ଭ ହେଲା। ହେଲେ ଜିଲ୍ଲାର ୨୨ ବ୍ଲକ୍‌ରେ ୪୬୪ ମଣ୍ଡି ଖେଶଲିବା ପ୍ରସ୍ତାବ ଥିବା ବେଳେ ସପ୍ତାହେ ବିତିବ, ଏବେ ସୁଦ୍ଧା ମାତ୍ର ୫୭ ମଣ୍ଡି ଖୋଲିଛି। ଧାନ ବିକିବାକୁ ୧ ଲକ୍ଷ ୨୪ ହଜାର ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ କେବଳ ୩ଶହ ଚାଷୀ ଧାନ ବିକିଛନ୍ତି। ଚାଷୀ ଧାନବସ୍ତା ଥାକ ମାରି ଜଗି ବସିଥିବା ବେଳେ ମଣ୍ଡି ଖୋଲୁ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜାନୁଆରି ପ୍ରଥମ ସପ୍ତାହରେ ଧାନକ୍ରୟ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସମବାୟ ବିଭାଗ ଆଶା ରଖିଛି। ଏହା ନହେଲେ ଧାନ ଅଭାବୀ ବିକ୍ରି ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍‌ ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ମୋଟ ୧ଲକ୍ଷ ୩୨ହଜାର ଚାଷୀ ନାମପଞ୍ଜୀକରଣ କରିଥିଲେ। ଯାଞ୍ଚ ଓ ଡ୍ରୋନ୍‌ ସର୍ଭେ ପରେ ପ୍ରାୟ ୮ହଜାର ଚାଷୀ ଏଥିରୁ ବାଦ୍‌ ପଡ଼ିଛନ୍ତି। ପ୍ରାୟ ୧ଲକ୍ଷ ୨୪ହଜାର ଚାଷୀ ଏଥର ସରକାରଙ୍କୁ ମଣ୍ଡି ଜରିଆରେ ଧାନ ବିକ୍ରି କରିବେ। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ୪୬୪ଟି ପିପିସି(ପେଡି ପ୍ରକ୍ୟୁର୍‌ମେଣ୍ଟ୍‌ ସେଣ୍ଟର୍‌) କରାଯାଇଛି। ତନ୍ମଧ୍ୟରେ ୩୬୦ଟି ପ୍ରାଥମିକ ସେବା ସମବାୟ ସମିତି ରହିଥିବା ବେଳେ ୧୦୩ଟି ଏସ୍‌ଏଚ୍‌ଜି ଓ ଗୋଟିଏ ପାଣି ପଞ୍ଚାୟତ ରହିଛି। ଗତ ୧୬ତାରିଖରୁ ଗଞ୍ଜାମ ଜିଲ୍ଲାରେ ଧାନକ୍ରୟ ଆରମ୍ଭ ହୋଇଛି।
ପ୍ରଥମ ଦଫାରେ ପ୍ରାୟ ୧୦ହଜାର ଚାଷୀଙ୍କ ପାଖକୁ ଟୋକନ୍‌ ଆସିଛି। ହେଲେ ଗତକାଲି ସୁଦ୍ଧା ୬ଦିନରେ ମାତ୍ର ୩୦୦ ଚାଷୀ ଧାନ ବିକ୍ରି କରିଥିବା ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ବିଭିନ୍ନ କାରଣ ଯୋଗୁଁ ଜିଲ୍ଲାରେ ମଣ୍ଡି ଖୋଲିପାରି ନାହିଁ। କେଉଁ ପିପିସିରେ ଓଜନ୍‌ ମେସିନ୍‌ ନାହିଁ ତ ଆଉ କେଉଁଠି ଧାନ ରଖିବା ପାଇଁ ସ୍ଥାନ ନାହିଁ। ଏପରିକି ଧାନ ମଣ୍ଡିକୁ ନଆଣି ସିଧାସଳଖ ମିଲ୍‌କୁ ନେବା ପାଇଁ କିଛି ପିପିସିର କର୍ମଚାରୀ ଚାଷୀଙ୍କୁ କହୁଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଅଭିଯୋଗ ଆଣିଛନ୍ତି। ଫଳରେ ଗରିବ ଚାଷୀ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ଧାନକ୍ରୟ ପରେ ତାହା ମଣ୍ଡି ଜିମାରେ ରହିବା କଥା। ମଣ୍ଡିରୁ ଧାନ ମିଲ୍‌କୁ ଯିବାର ନିୟମ ରହିଛି। ହେଲେ ଚାଷୀଙ୍କୁ ସିଧାସଳଖ ମିଲ୍‌କୁ ‌ଧାନ ନେବା ପାଇଁ କୁହାଯାଉଥିବା ଅଭିଯୋଗ ଆସିଲାଣି। ଏଣୁ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଚଳିତ ଖରିଫ୍‌ ଋତୁ ପାଇଁ ଗଞ୍ଜାମ ଜିଲ୍ଲାରୁ ପ୍ରାଥମିକ ପର୍ଯ୍ୟାୟରେ ୩୬ଲକ୍ଷ କ୍ବିଣ୍ଟାଲ୍‌ ଧାନକ୍ରୟ କରିବାକୁ ଟାର୍ଗେଟ ଆସିଛି। ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୩୫୮ଜଣ ମିଲର୍‌ ଏଗ୍ରିମେଣ୍ଟ କରିଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାର ୪୬ଟି ସମିତି ଓ ୧୧ ଏସ୍ଏଚ୍‌ଜି ଜରିଆରେ ମୋଟ ୩ଶହ ଚାଷୀଙ୍କ ଠାରୁ ୧୬ହଜାର ୪୭୬ କ୍ବିଣ୍ଟାଲ୍‌ ଧାନ କ୍ରୟ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଗତକାଲି ସୁଦ୍ଧା ୫୭ଟି ପିପିସି ଖୋଲିଛି।
ଚଳିତ ବର୍ଷ ଧାନକ୍ରୟ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ ମହଲରେ ଦାବି ହୋଇଛି। ପ୍ରଥମେ ଛୋଟ ଓ ଭାଗଚାଷୀଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ ଧାନ କ୍ରୟ କରାଯାଉ। ଧାନକ୍ରୟ ପରେ ଚାଷୀଙ୍କୁ ଅଖା ଫେରାଯାଉ ନହେଲେ ସେ ବାବଦ ଟଙ୍କା ‌ଦିଆଯାଉ। ପିପିସି କେନ୍ଦ୍ର ନିୟମିତ ଯାଞ୍ଚ କରି କଟ୍‌ନି ଛଟ୍‌ନି ନାଁରେ ଅଧିକ ଧାନ ନେଉଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ନାହାକ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର