କାଳିଆ ଯୋଜନା, ପିଏମ କିଷାନ ଯୋଜନା ବିରୋଧରେ ମାମଲା, ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ବର : ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା କେତେକ ସିଧାସଳଖ ନଗଦ ଅର୍ଥ ପ୍ରେରଣ ଯୋଜନାକୁ ଅସିଦ୍ଧ ଘୋଷଣା କରିବାକୁ ତେଲେଙ୍ଗାନାର ଜନସେନା ପାର୍ଟି ଅଧ୍ୟକ୍ଷ ଡଃ ପେଣ୍ଟାପତି ପୁଲାରାଓ କରିଥିବା ଆବେଦନକୁ ବିଚାର ଲାଗି ସୁପ୍ରିମ୍ କୋର୍ଟ ଗ୍ରହଣ କରିଛନ୍ତି । ଏ ମାମଲାରେ  ସୁପ୍ରିମ  କୋର୍ଟ କେନ୍ଦ୍ର ସରକାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସରକାର ଓ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି।
ଏସବୁ ଯୋଜନା ମଧ୍ୟରେ ରହିଛି ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା, କେନ୍ଦ୍ରର ପିଏମ୍ କିଷାନ, ତେଲେଙ୍ଗାନାର ରଇତୁବନ୍ଧୁ, ଆନ୍ଧ୍ରର ପୁଷୁପୁ କୁମ୍ସୁମ ପରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଅନୁରୂପ ଯୋଜନା । ଏପରି ଯୋଜନା ଘୋଷଣା କରି ନିର୍ବାଚନ ସମୟରେ ଚାଷୀଙ୍କ ଆକାଉଣ୍ଟଙ୍କୁ ସିଧା ଟଙ୍କା ପଠା ଯାଇଥିଲା। ଏହାଛଡ଼ା ଟିଭି ଓ ଫ୍ରିଜ୍ ଭଳି ମୂଲ୍ୟବାନ ଘରକରଣା ସାମଗ୍ରୀ ମଧ୍ୟ ବଣ୍ଟା ଯାଇଥିଲା। ଯାହା ଜନ ପ୍ରତିନିଧି ଆଇନର ୧୯୫୧ର ସେକ୍ସନ ୧୨୩-୧ ଅନୁସାରେ ଭୋଟରଙ୍କୁ ସିଧାସଳଖ ଲାଞ୍ଚ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ନିଜ ପିଟିସନରେ ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ବିଭିନ୍ନ ଦଳ ଏସବୁ ଟଙ୍କା ବାଣ୍ଟୁଥିବାବେଳେ ତାହାକୁ ରୋକିବାକୁ ନିର୍ବାଚନ କମିଶନ ବିଫଳ ହୋଇଛନ୍ତି, ଯାହାକି ସୁପ୍ରିମକୋର୍ଟଙ୍କ ୨୦୧୩ର ଏକ ଆଦେଶର ବିରୁଦ୍ଧାଚରଣ କରୁଛି ।

ସମ୍ବନ୍ଧିତ ଖବର