ସାଧାରଣ ନିର୍ବାଚନ ପାଇଁ ଛାତ୍ର ବିଜେଡିର ପ୍ରସ୍ତୁତି

ଭୁବନେଶ୍ବର : ତୃଣମୂଳ ସ୍ତରରେ ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବା ଦିଗ‌ରେ ପଦକ୍ଷେପ ନେଇଛି ବିଜୁ ଜନତା ଦଳ। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନ ସମୟରେ ଡିଜିଟାଲ ପ୍ରଚାର, ସମସ୍ତ କର୍ମକର୍ତ୍ତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଯଥା ବିଏସ୍‌କେୱାଇ, ୫-ଟି ସ୍କୁଲ ରୂପାନ୍ତରୀକରଣ, ସ୍ବାସ୍ଥ୍ୟ ଓ ଗମନାଗମନ ସୁବିଧା ଆଦି ବିଷୟରେ ଲୋକଙ୍କୁ ଅବଗତ କରିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା।

ଡିଜିଟାଲ କ୍ୟାମ୍ପେନ୍ ମାଧ୍ୟମରେ ପ୍ରଚାର ସହ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧ‌ରେ ଲଢ଼େଇ ପାଇଁ ପ୍ରମୁଖ ସୈନିକ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଜେଡି ମିଡିଆ ସେଲ୍‌ ମୁଖ୍ୟ ସ୍ୱୟଂ ପ୍ରକାଶ ମହାପାତ୍ର ପ୍ରମୁଖ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଡ଼ି ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଙ୍ଗଠନର ସମସ୍ତ ଜିଲ୍ଲା ସଭାପତି, ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଓ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର