ବର୍ଷା ପାଣି ନିଷ୍କାସନରେ ଅବ୍ୟବସ୍ଥା: ରେଳ ଟନେଲ ଓ ଇଏସ୍‌ଆଇ ଡିସ୍‌ପେନ୍‌ସାରି ଉବୁଟୁବୁ

ରାଉରକେଲା : ସହର ବିକାଶ ପାଇଁ ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ହେଲେ ବର୍ଷା ପାଣି ନିଷ୍କାସନ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନିଆଗଲା ନାହିଁ। ପ୍ରତିବର୍ଷ ପରି ଚଳିତ ବର୍ଷାରେ ସହରବାସୀଙ୍କୁ ଭୋଗିବାକୁ ପଡ଼ିବ ସମଦଶା। କାରଣ ଗତକାଲି ରାତି ଓ ଆଜି ସକାଳ ବର୍ଷାରେ ସହରର କିଛି ସ୍ଥାନରେ ଏଭଳି ସମସ୍ୟା ଉପୁଯିବା ପରେ ସହରତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଆଜି ବର୍ଷା ପାଣି ଉବୁଟୁବୁ ହୋଇଥିଲା ପାନପୋଷ ରେଳ ଟନେଲ୍‌ ଓ ବିଶ୍ରା ଛକସ୍ଥ ସିଆଇଏସ୍‌ଏଫ୍‌ ଇଏସ୍ଆଇ ଡିସ୍‌ପେନ୍‌ସାରି।

ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ପାନପୋଷ ରେଳ ଟନେଲ୍‌ରେ ଦିନ ତମାମ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିଲା। ଟନେଲ୍‌ ଦେଇ ଯିବାଆସିବା କରୁଥିବା ଶହ ଶହ ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେ‌ଷ କରି ପାନ‌ପୋଷ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଅଧିକ ସମସ୍ୟା ଭୋଗିବାକୁ ପଡ଼ିଥିଲା। ଟନେଲ୍‌ର ଅପରପାର୍ଶ୍ବରେ ବସବାସ କରୁଥିବା ଲୋକମାନେ ଦିନତମାମ ଆଣ୍ଠୁଏ ଲେଖାଏଁ ପାଣିରେ ପଶି ବଜାରକୁ ଯିବା ଆସିବା କରିଥିଲେ। ସେହି ସମାନ ସମସ୍ୟା ଦେଖିବାକୁ ମିଳିଥିଲା ଇଏସ୍‌ଆଇ ଡିସ୍‌ପେନସାରିରେ। ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୧୦ ବର୍ଷ ଧରି ବର୍ଷା ଋତୁରେ ଡିସ୍‌ପେନ୍‌ସାରି ଆଗରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଛି। ରୋଗୀମାନଙ୍କ ଚିକିତ୍ସା ସେବାରେ ଜଟିଳ ସମସ୍ୟା ଉପୁଜିଛି। ସାଧାରଣତଃ ଜ୍ବର, ଥଣ୍ତା, କାଶ ଆଦିରେ ରୋଗରେ ଆକ୍ରାନ୍ତ ହୋଇ ଆସୁଥିବା ରୋଗୀମାନେ ଡିଏସ୍‌ପନ୍‌ସାରିରେ ପାଣି ଦେଖି ଫେରି ଯାଉଛନ୍ତି।

ଡିସ୍‌ପେନ୍‌ସାରିର ଏଭଳି ସମସ୍ୟା ସ୍ଥାୟୀ ସମାଧାନ କରିବାକୁ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗାମ୍ବର ମହାନ୍ତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପ୍ରତିବାଦରେ ଶ୍ରୀ ମହାନ୍ତି ଆସନ୍ତା ୨୦ରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର