ବିକ୍ରମଦେବ ବିଶ୍ବବିଦ୍ୟାଳୟ ସମ୍ମୁଖରେ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ବସାଇବା ପାଇଁ ପ୍ରଶାସନ ଭୁଲିଗଲେ କି ?

ଜୟପୁର:  ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ସ୍ଥାପନ କରାଯାଇଥିବା ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିକୁ ନେଇ ବିଭିନ୍ନ ମହଲରେ ଉଠିଥିଲା ଆପତ୍ତି। ଏବଂ ଏହି ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରର ବର୍ଷକ ବିତିସାରିଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନି। ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଥିବା ସମୟରେ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତି ବିଶ୍ବବିଦ୍ୟାଳୟ ଆରମ୍ଭ ପରେ ପରିବର୍ତ୍ତନ ହେବ ବୋଲି ଯେଉଁ ଆଶା ପ୍ରକଟ କରାଯାଇଥିଲା ତାହା ଏ ପର୍ଯ୍ୟନ୍ତ ନ ହେବା ପଛର କାରଣ ସ୍ପଷ୍ଟ ହୋଇ ପାରୁନି। ଅପରପକ୍ଷରେ ସମ୍ମୁଖ ଗେଟରୁ ପ୍ରତିମୂର୍ତ୍ତି ଉଠାଇ ନେବା ପରେ ଉକ୍ତ ସ୍ଥାନଟି ଲଣ୍ଡା ଲଣ୍ଡା ଦିଶୁଛି।

ସୂଚନା ଅନୁଯାୟୀ, ଗତ ୨୦୨୨ମସିହା ସେପ୍ଟମ୍ବର ୧୭ତାରିଖ ଦିନ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଫୁଟ ଓଭରବ୍ରିଜର ଲୋକାର୍ପଣ କରାଯାଇଥିଲା। ଏହା ସହ ଏହି ପ୍ରତିମୂର୍ତ୍ତିକୁ ଲୋକାର୍ପଣ ହୋଇଥିଲା। ଏହି ପ୍ରତିମୂର୍ତ୍ତିଟି ଆକାରେ ବହୁ ଛୋଟ ରହିଥିବା ବେଳେ ଏହା ରାଜଶ୍ରୀ ବିକ୍ରମଦେବ ବର୍ମାଙ୍କର ନୁହେଁ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା।  ପ୍ରତିମୂର୍ତ୍ତିରେ ବ୍ୟାପକ ଭୁଲ ରହିଥିବା ଦର୍ଶାଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଓ ପ୍ରଶାସନକୁ ଭେଟି ଆପତ୍ତି ଅଭିଯୋଗ କରିଥିଲେ। ଏହା ପରେ ଏହି ପ୍ରତିମୂର୍ତ୍ତିକୁ ଧଳା କନା ଘୋଡେଇ ସେଭଳି ରଖାଯାଇଥିଲା। ଗତ ଡିସେମ୍ବର ୨୫ତାରିଖ ଦିନ ମହାରାଜା ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ବ୍ରୋଂଜର ପ୍ରତିମୂର୍ତ୍ତି ବସାଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘୋଷଣା କରିଥିଲେ।

ବିଶାଖାପାଟଣାସ୍ଥିତ ଆନ୍ଧ୍ର ବିଶ୍ବବିଦ୍ୟାଳୟ ପରିସରରେ ଜୟପୁର କଲେଜ ଅଫ ଟେକ୍ନୋଲୋଜୀ ଏଣ୍ଡ ସାଇନସ୍ ବ୍ଲକ ସମ୍ମୁଖରେ ଥିବା  ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିର ଅବିକଳ ପୁର୍ଣ୍ଣାଙ୍ଗ ବ୍ରୋଂଜର ମୂର୍ତ୍ତି ଜୟପୁର ବିକ୍ରମ ଦେବ କଲେଜ ସମ୍ମୁଖ ଗେଟରେ ସ୍ଥାପନ  କରାଯିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ବିଧାୟକ ପାଣ୍ଠିରୁ ୨୫ଲକ୍ଷ ଟଙ୍କା ଏଥି ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ଜୟପୁର ବିଧାୟକ।  ଆନ୍ଧ୍ରବିଶ୍ବବିଦ୍ୟାଳୟ ଓ ଏହାରି ପରିସରରେ ଜୟପୁର କଲେଜ ଅଫ ଟେକ୍ନୋଲୋଜୀ ଏଣ୍ଡ ସାଇନସ୍ , ଜୟପୁରରେ ବିକ୍ରମ ଦେବ ମହାବିଦ୍ୟାଳୟ, ଶ୍ରୀ ବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟ ସ୍ଥାପନ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟକୁ ଆର୍ଥିକ ସହଯୋଗ କରି ଦେଶରେ ‌ଶିକ୍ଷାର ବିକାଶ କ୍ଷେତ୍ରରେ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ଉଦ୍ୟମ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ଏପରି ମହାନ ବ୍ୟକ୍ତିଙ୍କ ପୂଜ୍ୟପୂଜା ପାଇଁ ତଥା ତାଙ୍କ ସଂପର୍କରେ ଆଗାମୀ ପିଢ଼ୀ ଜାଣିବା ପାଇଁ ସଠିକ ପ୍ରତିମୂର୍ତ୍ତି ସ୍ଥାପନ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ଜୟପୁର ବିଧାୟକ।

ପୂର୍ବରୁ ପୂର୍ତ୍ତବିଭାଗ ମୂର୍ତ୍ତି ଲଗାଇଥିବା ବେଳେ ଏଥରକ ପୌରପାଳିକାକୁ ଏହି ଦାୟିତ୍ବ ମିଳିଛି ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଆନ୍ଧ୍ର ବିଶ୍ବବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ସଂପର୍କରେ ସଂପୁର୍ଣ୍ଣ ତଥ୍ୟ ବାହାର କରି ସେଭଳି ଅବିକଳ ମୂର୍ତ୍ତି ବିକ୍ରମ ଦେବ କଲେଜରେ ସ୍ଥାପନ କରିବା ପାଇଁ ମୂର୍ତ୍ତି ନିର୍ମାଣ ପାଇଁ ହାଇଦ୍ରାବାଦର ଗୋଟିଏ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବା ବେଳେ ଏ ଯାଏଁ ମୂର୍ତ୍ତି ବସି ନଥିବା ପଛର ରହସ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

 

ସମ୍ବନ୍ଧିତ ଖବର