ସର୍ବଦଳୀୟ ବୈଠକର ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ: ରାଜସ୍ୱ ମନ୍ତ୍ରୀ

ସୀମା ବିବାଦ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଉପରେ ପ୍ରତିକ୍ରିୟା

ଭୁବନେଶ୍ବର: ସୀମା ବିବାଦ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସର୍ବଦଳୀୟ ବୈଠକର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଡ଼ିଲେ ନେବେ। ସୀମାବର୍ତ୍ତୀ ଅଞ୍ଚଳରେ ଯାହା କାର୍ଯ୍ୟକ୍ରମ କରିବା କଥା ମୁଖ୍ୟମନ୍ତ୍ରୀ କରିଛନ୍ତି। ପଡ଼ୋଶୀ ରାଜ୍ୟ ପ୍ରଲୋଭିତ କରୁଛନ୍ତି, କିନ୍ତୁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଉଛନ୍ତି।


ଉଲ୍ଲେଖଯୋଗ୍ୟ, ସୀମା ବିବାଦ ସମାଧାନ ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣାରେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ। ସର୍ବଦଳୀୟ ବୈଠକ ଡକାଇ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପସ୍ଥାପନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ୨ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।
ବିଗତ ବର୍ଷ ମାନଙ୍କରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ କରାଯିବା ପରେ ବି ଏଥିରେ କୌଣସି ପରିବର୍ତନ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହ ଚିଠିରେ ଉଲ୍ଲେଖ ରହିଛି ବିଗତ କିଛି ଦିନମାନଙ୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୀମାବର୍ତ୍ତୀ ଗାଁର ପ୍ରଶାସନିକ ଅଧିକାରୀ ହସ୍ତକ୍ଷେପ କରିବାର ଖବର ସାମ୍ନାକୁ ଆସୁଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ବେଆଇନ ଓ ଦୁର୍ଭାଗ୍ୟପୂର୍ଣ୍ଣ ହସ୍ତକ୍ଷେପ କେବଳ କୋଟିଆରେ ସୀମିତ ହୋଇ ରହିନାହିଁ ବରଂ ଦକ୍ଷିଣ ଓଡ଼ିଶାର ଅନେକ ଗାଁକୁ ବ୍ୟାପିବାର ଲାଗିଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର