ସମଲେଇ ଯୋଜନା: ସରକାରଙ୍କ ସପକ୍ଷରେ ସୁପ୍ରିମ୍‌ କୋର୍ଟଙ୍କ ରାୟ

ଘୁନୁଘୁଟିପଡ଼ାର ରାକେଶ ସୁନାଙ୍କ ଆବେଦନ ଖାରଜ

ସମ୍ବଲପୁର : ସମଲେଇ ଯୋଜନାରେ ଓଡ଼ିଶା ସରକାରଙ୍କ ବଡ଼ ଆଇନଗତ ବିଜୟ ହୋଇଛି। ସରକାରୀ ଜମି ଅଧିଗ୍ରହଣର ପ୍ରକ୍ରିୟା ସଂପର୍କରେ ଗତ ଜୁଲାଇ ମାସରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ଦେଇଥିବା ରାୟକୁ ସୁପ୍ରିମ୍‌ କୋର୍ଟ କାଏମ ରଖିବା ସହ ଏ ସଂପର୍କିତ ଆବେଦନକୁ ଖାରଜ କରି ଦେଇଛନ୍ତି।

ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିର ତଥା ପାରିପାର୍ଶ୍ବିକ ବିକାଶ ପାଇଁ ରାଜ୍ୟ ସରକାର ‘ସମଲେଇ ଯୋଜନା’ର ଘୋଷଣା କରିଥିଲେ। ତେବେ, ଏହି ପ୍ରଳକ୍ପରେ ବିସ୍ଥାପିତ ହେବାକୁ ଥିବା ସ୍ଥାନୀୟ ଅଞ୍ଚଳର ବାସିନ୍ଦା ପୁନର୍ବାସ ଓ ଥଇଥାନ ପ୍ରସଙ୍ଗ ନେଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ରେ ଦିଲ୍ଲୀପ କୁମ୍ଭାର ଓ ଅନ୍ୟମାନେ, ୨୦୨୨ରେ ରାକେଶ ସୁନା ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାକେଶ ସୁନା ଓ ଅନ୍ୟମାନଙ୍କ ଆବେଦନର ୨୦୨୨, ଜୁନ ୨୭ରେ ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

The New Indian Express

ହେଲେ, ପୁଣି ଗତ ଜୁଲାଇ ୧୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଜୁନ୍ ୨୭ର ଅନ୍ତରୀଣ ନିର୍ଦ୍ଦେଶ ଉଠାଇ ଦେଇଥିଲେ। ଏହାପରେ ରାକେଶ ସୁନା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାର ବିଚାର କରି ଗୁରୁବାର ଜଷ୍ଟିସ୍‌ ବିଆର୍‌ ଗଭାଇ ଏବଂ ଜଷ୍ଟିସ୍‌ ବିକ୍ରମ୍‌ ନାଥଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଆବେଦନକୁ ଖାରଜ କରି ମାମଲାର ଅନ୍ତ ଘଟାଇଛନ୍ତି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ ଆଇନଜୀବୀ ଶିବାଶିଷ ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମଲେଇ ଯୋଜନା ସଂପର୍କିତ ସମସ୍ତ ମାମଲାର ଚୂଡ଼ାନ୍ତ ଶୁଣାଣି ଆସନ୍ତା ୩୧ରେ ହାଇକୋର୍ଟରେ ହେବ ବୋଲି ଧାର୍ଯ୍ୟ ହୋଇଛି। ପୂର୍ବରୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲା ଗୁଡ଼ିକର ଏକତ୍ର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ସମଲେଶ୍ବରୀ ଯୋଜନା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ (ଏସ୍‌ଏଲ୍‌ପି) ଦାଖଲ କରାଯାଇଛି। ଯେହେତୁ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ହେବାର ଅଛି, ତେଣୁ ଏଭଳି ସ୍ଥିତିରେ ହାଇକୋର୍ଟରେ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆବେଦନକାରୀଙ୍କୁ ସମୟ ପ୍ରଦାନ କରାଯାଉ। ଅନ୍ୟପକ୍ଷରେ, ସରକାରଙ୍କ ପକ୍ଷରୁ ସେତେବେଳେ ଏହାକୁ ବିରୋଧ କରାଯାଇ ମାମଲାର ଶୁଣାଣି ଶୀଘ୍ର କରାଯାଉ ବୋଲି ଦର୍ଶାଯାଇଥିଲା। ହାଇକୋର୍ଟରେ ମାମଲା ବିଚାରଧୀନ ଥିବା ଦର୍ଶାଇ କିଛି ଲୋକ ସମଲେଇ ଯୋଜନାରେ ଅନ୍ତର୍ଭୁକ୍ତ ଜମି ଛାଡୁ ନାହାନ୍ତି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର