ପାକିସ୍ତାନୀ ଡାକ୍ତରଙ୍କର ୩ ସ୍ତ୍ରୀ, ୬୦ ପିଲା: ଆହୁରି ବାହା ହୋଇ ପିଲା ଜନ୍ମ କରିବାକୁ ଇଚ୍ଛା

ଇସଲାମାବାଦ: ପାକିସ୍ତାନର ଜନୈକ ୫୦ ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ ମହମ୍ମଦ ଖାନ୍ ଖିଲଜି ନିକଟରେ ତାଙ୍କର ୬୦ତମ ସନ୍ତାନକୁ ସ୍ବାଗତ କରିଛନ୍ତି। ତାଙ୍କର ୩ ସ୍ତ୍ରୀ ଥିବା ସତ୍ତ୍ବେ ସେ ସାଙ୍ଗସାଥୀମାନଙ୍କୁ ତାଙ୍କ ପାଇଁ ଚତୁର୍ଥ ସ୍ତ୍ରୀ ଖୋଜିଦେବାକୁ ଅନୁରୋଧ କରିଛନ୍ତି। ଆହୁରି ବାହାହୋଇ ଅଧିକ ସନ୍ତାନ ଜନ୍ମ କରିବାକୁ ସେ ଚାହାନ୍ତି। ରଙ୍ଗିଲା ଡାକ୍ତର ଜଣକ କ୍ବେଟା ସିଟିର ଇଷ୍ଟର୍ଣ୍ଣ ବାଇପାସ୍ ନିକଟରେ ରହନ୍ତି। ୩ ସ୍ତ୍ରୀ ଓ ୬୦ ପୁଅଝିଅଙ୍କୁ ନେଇ ତାଙ୍କର ବିରାଟ ପରିବାର। ତେବେ ତାଙ୍କର ବିବାହ କରିବା ଓ ସନ୍ତାନ ଉତ୍ପାଦନ କରିବାର ନିଶା ଛାଡ଼ିନି। ସେ ବନ୍ଧୁବାନ୍ଧବ ସମସ୍ତଙ୍କୁ ଆଉ ଗୋଟିଏ ସ୍ତ୍ରୀ ଖୋଜିଦେବା ପାଇଁ ନିବେଦନ କରୁଛନ୍ତି। ଚତୁର୍ଥ ସ୍ତ୍ରୀଠାରୁ ସେ ଆହୁରି ଅଧିକ ସନ୍ତାନ ଏବଂ ପୁଅ ଅପେକ୍ଷା ଅଧିକ ଝିଅ ସନ୍ତାନ ଚାହାନ୍ତି। ପରିବାର ଯେତେ ବଢ଼ିଲେ ବି ସେ ସେଇ ଘରେ ସମସ୍ତେ ରହିବା ଚାହାନ୍ତି।

ସମ୍ପ୍ରତି ପାକିସ୍ତାନରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଡାକ୍ତର ହିସାବରେ ଯେତେ ରୋଜଗାର କଲେ ବି ତାଙ୍କୁ ଏବେ ଦରଦାମ୍ ବୃଦ୍ଧି ବାଧୁଥିବା କହନ୍ତି ଡାକ୍ତର ଖିଲଜି। ଅଟା, ଘିଅ, ଚିନି ସବୁକିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଏବେ ତିନିଗୁଣା ହୋଇଯାଇଛି। ଗତ ତିନିବର୍ଷ ହେଲା ପାକିସ୍ତାନରେ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ତେବେ ଡାକ୍ତର ଖିଲଜି ତାଙ୍କର ୩ ସ୍ତ୍ରୀ, ୬୦ ପିଲା ଏବଂ ସମ୍ଭାବ୍ୟ ଚତୁର୍ଥ ସ୍ତ୍ରୀ ଓ ତାଙ୍କର ହେବାକୁ ଥିବା ପିଲାମାନଙ୍କ ଭରଣପୋଷଣ କରିବା ପାଇଁ ପ୍ରସ୍ତୁତ।

ସମ୍ବନ୍ଧିତ ଖବର