ଏୟାର ଇଣ୍ଡିଆ ବିମାନରେ ଆଉ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର: କମ୍ବଳରେ ପରିସ୍ରା କଲା ମଦ୍ୟପ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ମଦ୍ୟପ ଯାତ୍ରୀଙ୍କ ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ କାରନାମା ସାମ୍ନାକୁ ଆସୁଛି। ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀଗାମୀ ଏୟାର ଇଣ୍ଡିଆ ବିମାନରେ ଜଣେ ମଦ୍ୟପ ସମସ୍ତଙ୍କ ଆଗରେ ପ୍ୟାଣ୍ଟ ଖୋଲି ସହଯାତ୍ରୀ ମହିଳାଙ୍କ ଉପରେ ପରିସ୍ରା କରିବାର ୧୦ ଦିନ ପରେ ଏଭଳି ଆଉ ଏକ ଘଟଣା ଘଟିଥିଲା ଯାହାକି ଆଜି ସାମ୍ନାକୁ ଆସିଛି। ପ୍ୟାରିସ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପ୍ରଚୁର ମଦ୍ୟପାନ କରିଥିବା ଜଣେ ଯାତ୍ରୀ ମହିଳାଙ୍କ କମ୍ବଳରେ ପରିଶ୍ରା କରିଥିଲା। ତେବେ ଏହି ମଦ୍ୟପ ବ୍ୟକ୍ତି ପରେ କ୍ଷମା ପ୍ରାର୍ଥନା କରିବାରୁ ତା’ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ଏହି ଘଟଣା ୬ ଡିସେମ୍ବରରେ ଫ୍ଲାଇଟ୍‌ ସଂଖ୍ୟା ୧୪୨ରେ ଘଟିଥିଲା। ପାଇଲଟ ଏ ସଂପର୍କରେ ଦିଲ୍ଲୀ ଏୟାର ଟ୍ରାଫିକ୍‌ କଂଟ୍ରୋଲ (ଏଟିସି)କୁ ଖବର ଦେଇଥିଲେ। ଏହାପରେ ଅଭିଯୁକ୍ତ ଯାତ୍ରୀକୁ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ସୂଚନାଯୋଗ୍ୟ, ମଦ୍ୟପ ଯାତ୍ରୀ ଜଣକ ଅନ୍ୟ ସହଯାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ କ୍ୟାବିନ୍‌ ପରିଚାଳନା ଟିମ୍‌ର କୌଣସି ନିର୍ଦ୍ଦେଶକୁ ଖାତିର କରିନଥିଲା ଏବଂ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ପରିଶ୍ରା କରିଥିଲା।

ଏହା ପୂର୍ବରୁ ୨୬ ନଭେମ୍ବରରେ ଆଉ ଜଣେ ମାତାଲ ନ୍ୟୁୟର୍କରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପରିସ୍ରା କରିବାରୁ ଜଣେ ମହିଳାଙ୍କ ଲୁଗାପଟା, ଜୋତା, ବ୍ୟାଗ୍ ଓ ସିଟ୍ ସବୁକିଛି ଓଦା ଓ ଦୁର୍ଗନ୍ଧମୟ ହୋଇଗଲା। ବିମାନ ପରିଚାରିକାଙ୍କୁ ସାହାଯ୍ୟ କରିବା ପାଇଁ ସେ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ସାହାଯ୍ୟ ମିଳି ନ ଥିଲା।

ସମ୍ବନ୍ଧିତ ଖବର