ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ସମ୍ବଲପୁରରୁ ନବୀନ ନିବାସ

ସମ୍ବଲପୁର: ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଓଡ଼ିଶା ଡ୍ରାଇଭର୍‌ ମହାସଂଘ ପକ୍ଷରୁ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି। ମା’ ସମଲେଶ୍ବରୀଙ୍କ ମନ୍ଦିରରୁ ମଙ୍ଗଳବାର ଦିନ ସାଢ଼େ ୧୧ଟାରେ ମହାସଂଘର ସଦସ୍ୟମାନେ ପୂଜା କରିବା ପରେ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହା ପୂର୍ବରୁ ଡ୍ରାଇଭର୍‌ ମହାସଂଘ ପକ୍ଷରୁ ପଦଯାତ୍ରା କରାଯାଇ ନବୀନ ନିବାସରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ପ୍ରତିଶ୍ରୁତି ଛଡ଼ା କିଛି ନ ମିଳିବାରୁ ମଙ୍ଗଳବାର ମହାସଂଘର ଶତାଧିକ ସଦସ୍ୟ ଦଣ୍ଡବତ ପଦଯାତ୍ରାରେ ବାହାରିଛନ୍ତି।

ସେମାନଙ୍କ ସହ ଯିବା ବାଟରେ ଅନ୍ୟ ଅଞ୍ଚଳର ଗାଡ଼ି ଚାଳିକମାନେ ମଧ୍ୟ ଯୋଡ଼ି ହେବେ। ସମ୍ବଲପୁରରୁ ଏହି ଦଣ୍ଡବତ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ମହାସଂଘରେ ଥିବା ସାରା ରାଜ୍ୟର ଡ୍ରାଇଭର୍‌ମାନେ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ଥିବା କହାଯାଇଛି। ଗତ ପଦଯାତ୍ରା ସମୟରେ ଯେଉଁ ୧୦ ଦାବି ରଖା ଯାଇଥିଲା, ସମାନ ଦାବି ଚଳିତଥର ମଧ୍ୟ ରଖାଯାଇଛି। ଡ୍ରାଇଭର୍‌ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ, ପ୍ରତି ଶହେ କିମିରେ ଡ୍ରାଇଭର୍‌ ମାନଙ୍କ ପାଇଁ ବିଶ୍ରାମାଗାର ସହ ଶୌଚାଳୟ ବ୍ୟବସ୍ଥା, ୫୫ ବର୍ଷ ପରେ ପେନ୍‌ସନ୍‌, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର୍‌ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା, ଶାରୀରିକ ଅକ୍ଷମଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ଚିକିତ୍ସାଧୀନଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ, ଆବାସ ଯୋଜନାରେ ୫ ଲକ୍ଷ ପ୍ରଦାନ ଆଦି ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି। ତେବେ ଏଥର ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ନ ଦେବା ଯାଏ ଏହି ଆନ୍ଦୋଳନ ନବୀନ ନିବାସ ସମ୍ମୁଖରେ ଜାରି ରଖାଯିବ ବୋଲି ମହାସଂଘ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର