ସମ୍ବଲପୁର ଚଳାଇବ ଓଡ଼ିଶା: ଧର୍ମେନ୍ଦ୍ର

ମହାନଦୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି

ସମ୍ବଲପୁର: ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରୁଛନ୍ତି। ଏଥର ଆମେ ସମ୍ବଲପୁରରୁ ଥାଇ ଯେଉଁ ପ୍ରସଙ୍ଗ ଉତ୍‌ଥାପନ କରିଥିଲୁ, ଯାହା ସାରା ଓଡ଼ିଶାରେ ବଡ଼ ପ୍ରସଙ୍ଗ ହୋଇଛି। ଆଗାମୀଦିନରେ ସମ୍ବଲପୁର ଚଳାଇବ ଓଡ଼ିଶା ବୋଲି ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବଡ଼ ବୟାନ ଦେଇଛନ୍ତି।

ଆଜି ଅପରାହ୍ନରେ ଏଠାକାର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଥିଲେ, ସମ୍ବଲପୁର ଓ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ସବୁବେଳେ ଅବହେଳା କରି ଆସୁଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କେବଳ ସମ୍ବଲପୁର କିମ୍ବା ପଶ୍ଚିମ ଓଡ଼ିଶାର ପ୍ରସଙ୍ଗ ନୁହେଁ, ଏହା ସାରା ଓଡ଼ିଶାର ପ୍ରସଙ୍ଗ। ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ହେଲେ ଲୋକଙ୍କ ମାମଲାଗୁଡ଼ିକର ଶୀଘ୍ର ଫଇସଲା ହେବା ସହିତ ‌ଲୋକଙ୍କୁ ତ୍ବରିତ୍‌ ନ୍ୟାୟ ମିଳିପାରିବ। ହାଇକୋର୍ଟର ମାମଲାଗୁଡ଼ିକର ଶୀଘ୍ର ଫଇସଲା ହେଲେ କଟକର ଲୋ‌କେ ବି ଉପକୃତ ହେ‌ବେ। ଆମେ ସମ୍ବଲପୁର ଜିଲ୍ଲା ଓକିଲ ସଂଘକୁ ଯାଇ ଆଶୀର୍ବାଦ ନେଲୁ। ଆମ ପ୍ରତିଦ୍ବନ୍ଦ୍ବୀଙ୍କ କିନ୍ତୁ ସତ୍‌ସାହସ ନାହିଁ ଜିଲ୍ଲା ଓକିଲ ସଂଘକୁ ଯାଇ ସଦସ୍ୟମାନଙ୍କୁ ଭେଟିବା ପାଇଁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ କାହିଁକି ଭୁବନେଶ୍ବରରେ ରହିବ? ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟରେ ଶିକ୍ଷକ ନଥିବାରୁ ନାକ୍ ମାନ୍ୟତା ମିଳିପାରୁନାହିଁ। ସମ୍ବଲପୁର ବିଶ୍ବବିଦ୍ୟାଳୟ, ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ସବୁଠି ଶିକ୍ଷକ ଅଭାବ। ପିଏଚ୍‌ସି/ସିଏଚ୍‌ସି କୌଣସି ଠାରେ ଡାକ୍ତର ନାହାନ୍ତି। ସମ୍ବଲପୁର ମହାନଗର ନିଗମ ଗଠନର ୧୧ ବର୍ଷ ପରେ ବି ନିର୍ବାଚନ ନାହିଁ। ନାଳିଗଳି କିଛି ଜଣାପଡ଼ୁନାହିଁ। ମାର୍ଚ୍ଚ ମାସରେ ଏଠାରେ ହଇଜା ହେଉଛି। ଲୋକଙ୍କଠାରୁ ଟିକସ ନେଇ ଉପଯୁକ୍ତ ସେବା ନଯୋଗାଇବା ଏକ ଅପରାଧିକ ମାମଲା। ଗତବର୍ଷ ହନୁମାନ ଜୟନ୍ତୀରେ ଯେଉଁ ପରିସ୍ଥିତି ସୃଷ୍ଟି କରାଗଲା ସମ୍ବଲପୁରବାସୀ ତାହା ଭଲ ଭାବେ ଜାଣିଛନ୍ତି। ଚଳିତବର୍ଷ ହନୁମାନ ଜୟନ୍ତୀ କରାଇଦିଆଗଲା ନାହିଁ। ହେଲେ, ନିର୍ବାଚନୀ ସଭାରେ ମସ୍‌ଜିଦ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଉଛି ବୋଲି ଶ୍ରୀ ପ୍ରଧାନ ବିଜେଡିକୁ ତ୍ରୀବ ସମାଲୋଚନା କରିଥିଲେ। ସମ୍ବଲପୁରକୁ ଦେଶର ଶ୍ରେଷ୍ଠ ୫୦ ସହର ଭିତରେ ସ୍ଥାନିତ କରିବା, ସମ୍ବଲପରକୁ ଏକ ‘ନଲେଜ୍ ହବ୍’ କରିବା, କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କରିବା, ସୁପର୍‌ ସ୍ପେସାଲିଟି ଡାକ୍ତରଖାନା ସ୍ଥାପନ, ବୁଣାକାରମାନଙ୍କ ଉନ୍ନତି ପାଇଁ ପଦେକ୍ଷପ ସହିତ ସମ୍ବଲପୁରକୁ ଆମଦାନୀ/ରତ୍ପାନୀର କେନ୍ଦ୍ରରେ ପରିଣତ କରିବା ଆଦି ଅନେକ ଯୋଜନା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ମହାନଦୀ ଜଳ ପ୍ରସଂଗ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ, ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମିଛି। ବିଧାନସଭାରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଗୋଟିଏ ଥର ବି ଆଲୋଚନା କରିଛନ୍ତି କି? ମୁଁ ନି‌ଜଆଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ୬ ଥର ଚିଠି ଲେଖି ସେତେବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଯିବାକୁ ବାରମ୍ବାର ପ୍ରସ୍ତାବ ଦେଲି। କିନ୍ତୁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କଲେ ନାହିଁ। ଅନ୍ୟପକ୍ଷରେ, ମୌସୁମୀ ଋତୁରେ ମହାନଦୀ ପାଣିକୁ ବାନ୍ଧି ରଖିବା ପାଇଁ ରାଜ୍ୟ ସରକାର ତଳମୁଣ୍ଡରେ କେତୋଟି ବନ୍ଧ ତିଆରି କରିଛନ୍ତି, ବୋଲି ସେ ପ୍ରଶ୍ନ କରିଥିଲେ। ଏହି ଅବସରରେ ଏଥର ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବ ଏବଂ ବିଜେପି ସମସ୍ତ ୨୧ଟି ଲୋକସଭା ଆସନ ବି ଜିତିବ ବୋଲି ସେ ଦମ୍ଭୋକ୍ତି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଡ. ପ୍ରମୋଦ ରଥ, ଗୋବିନ୍ଦ ଅଗ୍ରୱାଲ, ମାନସ ବକ୍ସି, ସଂଜୟ ଷଡ଼ଂଗୀ, ମୁକେଶ ଜରିୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର