ସ୍କୁଲ ଆଗରେ ଚଣାମୁଢ଼ି ବିକି ପ୍ରତିବାଦ ପରେ ଶିବଶଙ୍କରଙ୍କ ନାଁ ଲେଖାଇଲେ ଏବିଇଓ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସି ଅଧୀନ କୁମାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ନପାରିବାରୁ ପ୍ରତିବାଦରେ ବିଦ୍ୟାଳୟ ସମ୍ମୁଖରେ ଚଣା, ମୁଢ଼ି, ମିକ୍ସଚର୍, ଚକୋଲେଟ୍ ଓ କୁର୍‌କୁରେ ବିକି ଅଭିନବ ଢଙ୍ଗରେ ପ୍ରତିବାଦ କରୁଥିଲେ ସେହି ଗାଁର ଛାତ୍ର ଶିବଶଙ୍କର। ଶେଷରେ ଶିକ୍ଷା ବିଭାଗ ଏଥିରେ ହସ୍ତକ୍ଷେପ କରିଛି ଓ ତାଙ୍କୁ ଉକ୍ତ ବିଦ୍ୟାଳୟରେ ନାମ ଲେଖାଇବା ସୁଯୋଗ ମିଳିଛି।

ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବୀର ବେହେରା କୁମାରୀ ଗ୍ରାମକୁ ଯାଇ ଛାତ୍ରଙ୍କ ପରିବାରଙ୍କୁ ଭେଟିବା ସହ ସ୍ଥାନୀୟ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରଙ୍କ ନାମ ଲେଖାଇଛନ୍ତି। ଏହି ସମୟରେ ଛାତ୍ର ଶିବଶଙ୍କର ପଣ୍ଡା, ବାପା କୃଷ୍ଣଚନ୍ଦ୍ର ପଣ୍ଡା, ମାଆ ସୁଭଦ୍ରା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତିଲତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନାମଲେଖା ପରେ ଶିବ ଶଙ୍କର ଖୁସି ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ଗତ ୧୩ ତାରିଖରେ ଚଢ଼େୟାପଲ୍ଲୀ ବିଦ୍ୟାଳୟରୁ ଶିକ୍ଷାଗତ ପ୍ରମାଣପତ୍ର, ଡିସି ଧରି ଛାତ୍ର ଜଣକ କୁମାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପହଞ୍ଚିଥିଲେ। ହେଲେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ତାଙ୍କୁ ନାମଲେଖା ପାଇଁ ସୁଯୋଗ ଦିଆଯାଇ ନଥିଲା। ପ୍ରତିବାଦରେ ଛାତ୍ର ଜଣକ ବିଦ୍ୟାଳୟ ଆଗରେ ବସି ଚଣା, ମୁଢ଼ି, ଚକୋଲେଟ୍ ଓ କୁର୍‌କୁରେ ବିକ୍ରି କରିଥିଲେ। ଏହାସହ ବିଦ୍ୟାଳୟ ପକ୍ଷରୁ ନାମ ଲେଖାଇବା ପାଇଁ ଅନୁମତି ନଦେଲେ ନଦୀକୁ ଡେଇଁପଡ଼ିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର