ନାମଯଜ୍ଞ ବେଳେ ଯଜ୍ଞକର୍ତ୍ତାଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ହତ୍ୟା ପାଇଁ ୨ ଲକ୍ଷର ସୁପାରି ଦିଆଯାଇଥିଲା, ମୁଖ୍ୟ ଅଭିଯୁକ୍ତ ସହ ସୁପାରି କିଲର୍‌ ଗିରଫ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ପଞ୍ଚାୟତ ପିପଲପାଲି ଗାଁରେ ବୁଧବାର ରାତିରେ ନାମଯଜ୍ଞ ଚାଲିଥିବା ସମୟରେ ଦୁଇରାଉଣ୍ଡ ଗୁଳି ଫୁଟିଛି। ଏଥିରେ ନାମଯଜ୍ଞର କର୍ତ୍ତା ବିଶ୍ବାମିତ୍ର ଜାନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଏଥିପାଇଁ ୨ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁପରିକିଲର୍‌ ବଳବନ୍ତ ନାଏକ (୨୧)କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ସହ ବିଶ୍ବାମିତ୍ରଙ୍କ ପୂର୍ବରୁ ଶତ୍ରୁତା ଥିଲା। ଏଥିପାଇଁ ବିଶ୍ବାମିତ୍ରଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିବା ସହିତ ବଳବନ୍ତକୁ ୨ ଲକ୍ଷ ଟଙ୍କାର ସୁପାରି ଦେଇଥିଲା। ବୁଧବାର ରାତିରେ ସୁପାରିକିଲର୍‌ ବଳବନ୍ତ ତା’ର ଜଣେ ସହଯୋଗୀ ସହିତ ଆସି ବିଶ୍ବାମିତ୍ରଙ୍କ ଉପରକୁ ଗୁଳି ଚଳାଇଥିଲା। ପରେ ଗ୍ରାମବାସୀ ତାକୁ କାବୁକରି ନିସ୍ତୁକ ମାଡ଼ ମାରିବା ପରେ ପୁଲିସରେ ଜିମା ଦେଇଥିଲେ। ତା’ସହିତ ଥିବା ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଥିସହିତ, କଣ୍ଟାମାଳ ପୁଲିସ ତଦନ୍ତ କରି ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଧରିଛି। ହେଲେ ତା’ର ନାମ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କ‌ୁହାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ, ବିଶ୍ବାମିତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କଣ୍ଟାମାଳରୁ ବଲାଙ୍ଗୀର, ବରଗଡ଼ ଓ ପରେ ରାୟପୁରକୁ ଚିକିତ୍ସା ପାଇଁ ନିଆଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର