ସମ୍ଭାବିତ ବାତ୍ୟା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର: ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏସ୍‌ଆରସି ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସମ୍ଭାବିତ ବାତ୍ୟାର ଗତିପଥ ନେଇ ରିପୋର୍ଟ ଆସିଛି। ବଙ୍ଗୋପସାଗରରେ ଭୀଷଣ ବାତ୍ୟା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୫ସୁଦ୍ଧା ବାତ୍ୟା ଓ ୨୬ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୫ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ପରେ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଭାବେ ବାଙ୍ଗଲାଦେଶ ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଂଚିବାର ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତା ୨୭ ତାରିଖ ଯାଏଁ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ତେବେ ବାତ୍ୟାରେ ଓଡିଶାକୁ ସିଧାସଳଖ ପ୍ରଭାବ ନାହିଁ । ୨୩, ୨୪ ଓ ୨୫ ତାରିଖରେ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖରେ ଉତର ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୭ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ। ବାଲେଶ୍ୱର, ମୟୁରଭଂଜରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି ଲଘୁଚାପ କ୍ଷେତ୍ର ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ ରୂପ ନେବ। ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟା  ପରେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଭୀଷଣବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର