ଜୁଲାଇ ୭ରୁ କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ

ତୈଳ ଦର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରାଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନି। ହେଲେ କେନ୍ଦ୍ର ସରକାର ୨ମାସ ମଧ୍ୟରେ ୨୯ଥର ତୈଳ ଦର ବୃଦ୍ଧି କରିବା ଦ୍ବାରା ଦେଶର ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପିଛା ୧୦୦ଟଙ୍କା ପାର୍‌ ହେଲାଣି। ରନ୍ଧନ ଗ୍ୟାସ୍‌ରୁ ଆରମ୍ଭ କରି ଖାଇବା ତେଲ, ଡାଲିଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟିମାନେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି। ‌ଲୋକଙ୍କର ଏପରି ଦୁଃଖଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି କଂଗ୍ରେସ ପକ୍ଷରୁ ଜୁଲାଇ ୭ରୁ ୧୭ତାରିଖ ପର୍ଯ୍ୟନ୍ତ ‌ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବାଦ କରାଯିବ। ଏଥିରେ ଓଡ଼ିଶାରେ ବ୍ଲକରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠି ଆନ୍ଦୋଳନ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଜୁଲାଇ ୭ରେ ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ କା‌ର୍ଯ୍ୟାଳୟ ସମ୍ମୁଖରେ ଥାଳି, ଖଞ୍ଜଣି ବଜାଇ ପ୍ଲାକାର୍ଡ, ବ୍ୟାନର ଓ ପତାକା ଦେଖାଇ ତୈଳ ଦର, ରନ୍ଧନ ଗ୍ୟାସ୍‌, ଖାଇବା ତେଲ ଓ ନିତ୍ୟ ବ୍ୟବହୃତ ସମାଗ୍ରୀ ଦର ବୃଦ୍ଧିକୁ ବିରୋଧ କରାଯିବ। ଧାନ କ୍ବିଣ୍ଟାଲ ପିଛା ଏମ୍‌ଏସ୍‌ପି ୨୯୩୦ଟଙ୍କାକୁ ବୃଦ୍ଧି, ଧାନ କିଣିବା ଟୋକନ୍ ଅବଧି ଜୁଲାଇ ୨୫ପର୍ଯ୍ୟନ୍ତ ବୃଦ୍ଧି, ରିହାତି ଦରରେ ଚାଷୀଙ୍କୁ ବିହନ, ସାର, କୀଟନାଶକ ଯୋଗାଇବାକୁ ଦାବି କରାଯିବ। ସେହିପରି ଜୁଲାଇ ୯ରେ ଜିଲ୍ଲା ସଦର ମହକୁମା ସମେତ ପୌରପରିଷଦ, ଏନ୍‌ଏସିରେ ସମସ୍ତ ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି, ଏଆଇସିସି ସଭ୍ୟଗଣ, ପୂର୍ବତନ ମନ୍ତ୍ରୀ, ସାଂସଦ, ବିଧାୟକ, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମକର୍ତାମାନେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଦୂରଦର୍ଶୀ ନିଷ୍ପତ୍ତିକୁ ବିରୋଧ କରି ସାଇକେଲରେ ପ୍ଲାକାର୍ଡ ଓ ପତାକା ଲଗାଇ ୫ କିଲୋମିଟର ପର୍ଯ୍ୟନ୍ତ ସମୂହ ଯାତ୍ରା କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ସେହିପରି ପିସିସି ପକ୍ଷରୁ ଜୁଲାଇ ୧୪ରେ ଏକ ସାଇକେଲ ଯାତ୍ରା କଂଗ୍ରେସ ଭବନରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଣ୍ଟିନ, ରାମମନ୍ଦିର, ବିଗ୍‌ବଜାର, ପାନ୍ଥନିବାସ, କଳ୍ପନା ଛକ, ରାଜମହଲ, ବିମାନବନ୍ଦର ଟ୍ରାଫିକ ଦେଇ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ଯିବ। ଏଥିରେ କଂଗ୍ରେସର ସମସ୍ତ ବରିଷ୍ଠ ନେତା ଯୋଗଦେବେ। ଏହାବ୍ୟତୀତ ଜୁଲାଇ ୧୭ରେ କେନ୍ଦ୍ର ସରକାରଙ୍କ ତୈଳଦରର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଦଳ ସବୁ ନେତା, କର୍ମୀ ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର