ଆତ୍ମସମର୍ପଣ କଲେ ମହିଳା ମାଓବାଦୀ: ନାଆଁରେ ଥିଲା ଏକ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି: ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ରୋଶନୀ ଓରଫ ଉଙ୍ଗି ମାଡଭି। କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ମାଲକାନଗିରି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମାଲକାନଗିରି ଏସପିଙ୍କ ସୂଚନା ଅନୁଯାୟୀ, ଉଙ୍ଗି ମାଡଭିଙ୍କ ଘର ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ପିତଦଵା ଗାଁରେ। ସେ ୨୦୧୬ରେ ମାଓ ସଂଗଠନରେ ଯୋଗ ଦେଇଥିଲେ। ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସାକାଣ୍ଡରେ ସାମିଲ ଥିଲେ। ଉଙ୍ଗିଙ୍କ ନାଁରେ ଓଡ଼ିଶା ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।


ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ନିବେଦନକ୍ରମେ ସେ ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା କହିଛନ୍ତି ଉଙ୍ଗି ମାଡଭି। ଏହାଛଡ଼ା ସଂଗଠନ ମୁଖ୍ୟ ଆଦର୍ଶରୁ ଓହରି ଲୋକଙ୍କୁ ଅତ୍ୟାଚାର କରି ବିକାଶରେ ବାଧା ସୃଷ୍ଟି କରୁଛନ୍ତି। ମାଓ ସଂଗଠନରେ ମହିଳାଙ୍କୁ ଠିକ ଭାବରେ ସମ୍ମାନ ଦିଆଯାଉନଥିବା ବି ସେ କହିଛନ୍ତି। ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ଉଙ୍ଗି ମାଡଭିଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର