ଇଭିଏମ୍‌ରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

ବଡ଼ ବିଜୟ ହେବ: ନବୀନ

ଭୁବନେଶ୍ବର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କଟକ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ଏଥିରେ ରାତି ୭ଟା ସୁଦ୍ଧା ୬୧% ମତଦାନ ହୋଇଥିବା ଜଣାପଡ଼ିଛି। ଆଜିର ମତଦାନ ପରେ ମୋଟ୍ ୪୮ ଆସନରେ ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଜୁନ୍‌ ୪ରେ ଭୋଟ୍ ଗଣତି ପରେ କାହାକୁ ଭୋଟର ବିଜୟ ମୁକୁଟ ପିନ୍ଧାଉଛନ୍ତି ଜଣାପଡ଼ିବ।

ଭାରତ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରରେ ୫୩.୫୪%, କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%, ପୁରୀରେ ୬୬.୫୦%, ସମ୍ବଲପୁରରେ ୬୮.୮୭% ମତଦାନ ହୋଇଛି। ସେହିପରି ବିଧାନସଭା ଆସନ ମଧ୍ୟରେ କୁଚିଣ୍ଡାରେ ସର୍ବାଧିକ ୭୯.୨୪% ମତଦାନ ହୋଇଥିବାବେଳେ ବାରବାଟୀ କଟକରେ ସବୁଠୁ କମ୍‌ ୪୨.୧୦% ମତଦାନ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ଚାଲିଥିବାରୁ ରବିବାର ମୋଟ୍ ମତଦାନ ହାର ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଆଜି ସକାଳ ୭ଟାରୁ ରାଜ୍ୟର ୧୦୫୧୫ଟି ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଥିଲା।

ତୃତୀୟ ପର୍ଯ୍ୟାୟରେ ୬୧% ମତଦାନ
ସମ୍ବଲପୁରରେ ସର୍ବାଧିକ ୬୮.୮୭%, ଭୁବନେଶ୍ବରରେ ସର୍ବନିମ୍ନ ୫୩.୫୪%
ଖରା ଓ ଗୁଳୁଗୁଳି ସତ୍ତ୍ବେ ମତଦାନ କେନ୍ଦ୍ରରେ ଲମ୍ବା ଧାଡ଼ି

କାଁ ଭାଁ ‌ମତଦାନ କେନ୍ଦ୍ରକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ମତଦାନ କେନ୍ଦ୍ରରେ ମତଦାତାଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। ଗଣତନ୍ତ୍ର ଏହି ମହାପର୍ବରେ ମତଦାତାମାନେ ଆଗ୍ରହର ସହ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବାକୁ ଲମ୍ବା ଧାଡ଼ି ଲଗାଇଥିଲେ। ୬ଟି ସଂସଦୀୟ କ୍ଷେତ୍ରର ସବୁ ଅଞ୍ଚଳରେ ସମସ୍ତ ବର୍ଗର ମତଦାତା ଭୋଟ୍ ଦେବାକୁ ଆସିଥିଲେ। ୫୨୪ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୪ଟା, ୩୩୮ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୫ଟା, ବାକି ବୁଥ୍‌ରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାର ଥିଲେ ହେଁ ବହୁ ବୁଥ୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ହୋଇଥିବା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ଟାଣ ଖରା ଓ ପ୍ରବଳ ଗୁଳିଗୁଳି ଯୋଗୁ ମତଦାତାମାନେ ଅପରାହ୍ନରେ ଭୋଟ୍ ଦେବାକୁ ଲମ୍ବା ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ବୁଥ୍‌ରେ ଆକର୍ଷଣୀୟ ସେଲ୍‌ଫି ପଏଣ୍ଟ କରାଯାଇଥିଲା। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଘରୁ ମତଦାନ କେନ୍ଦ୍ରକୁ ଆଣିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ମତଦାନ କେନ୍ଦ୍ରକୁ ମୋବାଇଲ୍ ନେବା ବାରଣ ଥିବାରୁ ଏହାକୁ ନେଇ କେତେକ ସ୍ଥାନରେ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଆଜି ସକାଳୁ ମତଦାନ ଆରମ୍ଭ ହେବା ପୂର୍ବରୁ ମକ୍‌ ପୋଲ୍ ସମୟରେ ଅଳ୍ପ କିଛି ସ୍ଥାନରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ, ବାଲାଟ ୟୁନିଟ ଓ ଭିଭିପାଟ୍‌ରେ ତ୍ରୁଟି ଦେଖାଦେଇଥିଲା। ସେ ସମସ୍ତ ୟୁନିଟଗୁଡ଼ିକ ତୁରନ୍ତ ବଦଳାଯିବା ପରେ ମତଦାନ ସ୍ବାଭାବିକ ହୋଇଥିଲା। ପ୍ରତ୍ୟେକ ବୁଥ୍‌ରେ ଯେପରି ଶାନ୍ତିଶୃଙ୍ଖଳାର ସହ ମତଦାନ ହେବ ସେଥିପାଇଁ ୬୦% ବୁଥ୍‌ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିଲା। ନିର୍ବାଚନ ପାଇଁ ସଖି ବୁଥ୍‌, ସଂପୂର୍ଣ୍ଣ ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ସଂପୂର୍ଣ୍ଣ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ରେ ମତଦାତାଙ୍କୁ ଭିନ୍ନ ଉପାୟରେ ସ୍ବାଗତ କରାଯାଇଥିଲା। ସମସ୍ତ ବୁଥ୍‌ରେ ପାନୀୟ ଜଳ, ସେଲ୍ଫି ଷ୍ଟାଣ୍ଡ ଓ ଛାଇ ବ୍ୟବସ୍ଥା କରାଯାଇଥିଲା।

ବଡ଼ ବିଜୟ ହେବ: ନବୀନ

ଭୁବନେଶ୍ବର: ବିଜେଡି ପୁଣି ରାଜ୍ୟରେ ସ୍ଥିର ସରକାର ଗଠନ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଦୃଢ ମତ ରଖିଛନ୍ତି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଏରୋଡ୍ରମ୍ ୟୁପି ସ୍କୁଲ୍‌ ମତଦାନ କେନ୍ଦ୍ରରେ ଭୋଟ୍ ଦେବା ସହ ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଥିଲେ ଯେ ଚଳିତ ନିର୍ବାଚନରେ ବିଜେଡ଼ିର ବଡ଼ ବିଜୟ ହେବ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ବଡ଼ ବିଜୟ ମିଳିବ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଆମେ ରାଜ୍ୟରେ ସ୍ଥିର ସରକାର ଗଠନ କରିବୁ। ଏହାସହ ସସସ୍ତ ଭୋଟରଙ୍କୁ ଭୋଟ ଦେବାକୁ ସେ ଅପିଲ କରିଥିଲେ।

ସମ୍ବନ୍ଧିତ ଖବର