ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ଜାରି: ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ

ସମସ୍ତ ଦଳ ସହ ଆଲୋଚନା କଲେ ସିଇଓ, ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ଷେପ କରିପାରିବେନି

ଭୁବନେଶ୍ବର: ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏନେଇ ଆଜି ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା‌ ଆରମ୍ଭ ହୋଇଛି। ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି। ଏପ୍ରିଲ ୨୫ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୯ରେ ନାମାଙ୍କନ ପ୍ରତ୍ୟାହାର ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜୋର୍ ଥିବାରୁ ସମସ୍ତ ରାଜନୈତିକ ଦଳ ଭୁବନେଶ୍ବର ପାଣିପାଗ କେନ୍ଦ୍ର, ସ୍ବତନ୍ତ୍ର ରିଲିଫ କମିସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଉଥିବା ଗାଇଡ୍‌ଲାଇନ୍ ମାନିବାକୁ କୁହାଯାଇଛି। ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ବେଳେ ବଡ଼ ରାଲି ଓ ରୋଡ୍‌ ସୋ’ ନକରିବାକୁ
କୁହାଯାଇଛି। ରାଲିରେ ବୟସ୍କ ଲୋକ, ଶିଶୁଙ୍କୁ ସାମିଲ ନକରିବାକୁ କୁହାଯାଇଛି। ରାଲି ଓ ସଭାରେ ରାଜନୈତିକ ଦଳଗୁଡ଼ିକ ଓଆର୍‌ଏସ୍‌, ଅଂଶୁଘାତ ସଂକ୍ରାନ୍ତୀୟ ଔଷଧପତ୍ର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି। ନିର୍ବାଚନକୁ ‘ଅଂଶୁଘାତଜନିତ ହତାହତଶୂନ୍ୟ’ କରିବାରେ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଏହାସହ ପରାମର୍ଶ ଦେଇଛନ୍ତି ଯେ ପ୍ରାର୍ଥୀମାନେ ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବେ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ଇଭିଏମ୍‌ ମେସିନ୍‌ର ରୢାଣ୍ଡମାଇଜେସନ୍ ଶେଷ ହୋଇଛି। ଏହାକୁ ରିଟର୍ଣ୍ଣିଂ ଅଫିସରଙ୍କ ଅଧୀନସ୍ଥ ଷ୍ଟ୍ରଙ୍ଗରୁମ୍‌କୁ ପଠାଯାଇଛି। ପ୍ରାର୍ଥୀ ଚୂଡ଼ାନ୍ତ ହେବା ପରେ ଇଭିଏମ୍‌ ମେସିନ୍‌ଗୁଡ଼ିକ କମିସନିଂ ହେବ। ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ରାଲି, ରୋଡ୍‌ ସୋ’ ଓ ସଭା ପାଇଁ ସୁବିଧା ଆପ୍‌ରେ ଆବେଦନ କରିବାକୁ କୁହାଯାଇଛି। ଏବେ ୮୫ବର୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କୁ ଫର୍ମ ୧୨(ଡି) ବଣ୍ଟାଯାଉଛି। ଯାହାଦ୍ବାରା ସେମାନେ ଘରେ ବସି ଭୋଟ୍‌ ଦେଇପାରିବେ। ସେହିପରି ରାଜ୍ୟରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା‌ ବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମତଦାନ ସମୟକୁ ଘଣ୍ଟେରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ କମାଯାଇଛି। ନୂଆପଡ଼ାର ୩୯ଟି ବୁଥ୍ ଓ ଖଡ଼ିଆଳର ୨୯ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ବାକି ସବୁ ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଉମ‌ରକୋଟର ୨୨ଟି ବୁଥ୍‌ରେ ସକାଳ ୭ଟାରୁ ୪ଟା, ବାକି ବୁଥ୍‌ରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ, ଝରିଗାଁରେ ୨୬ଟି ବୁଥ୍‌ରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ, ବାକି ସବୁ ବୁଥ୍‌ରେ ସଂଧ୍ୟା ୬ଟା, ନବରଙ୍ଗପୁରରେ ୧୦ଟି ବୁଥ୍‌ରେ ଅପରାହ୍ନ ୪ଟା, ବାକି ସବୁ ବୁଥ୍‌ରେ ସଂଧ୍ୟା ୬ଟା, ଡାବୁଗାଁରେ ୪ଟି ବୁଥ୍‌ରେ ଅପରାହ୍ନ ୪ଟା, ବାକି ସବୁ ବୁଥ୍‌ରେ ସଂଧ୍ୟା ୬ଟା, ଲାଞ୍ଜିଗଡ଼ରେ ସବୁ ବୁଥ୍‌ରେ ଅପରାହ୍ନ ୪ଟା, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣାରେ ସବୁ ବୁଥ୍‌ରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ, ନର୍ଲାରେ ୧୯ଟି ବୁଥ୍‌ରେ ଅପରାହ୍ନ ୪ଟା, ବାକି ବୁଥ୍‌ରେ ଅପରାହ୍ନ ୫ଟା, ମୋହନା, ଲକ୍ଷ୍ମୀପୁର, ପଟାଙ୍ଗୀରେ ସବୁ ବୁଥ୍‌‌ରେ ଅପରାହ୍ନ ୪ଟା, ଗୁଣୁପୁର, ବିଷମ କଟକ, ରାୟଗଡ଼ା, କୋଟପାଡ଼, କୋରାପୁଟ, ମାଲକାନଗିରି, ଚିତ୍ରକୋଣ୍ଡାରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡି, ଜୟପୁରରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ୩୫ ପ୍ଲାଟୁନ୍ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହେବେ।

ଶ୍ରୀ ଧଳ ଆହୁରି କହିଛନ୍ତି ଯେ ରାଜ୍ୟରେ ୩କୋଟି ୩୬ଲକ୍ଷ ଭୋଟର ଥିବାବେଳେ ପ୍ରତି ହଜାରେ ପୁରୁଷରେ ୯୭୪ଜଣ ମହିଳା ଭୋଟର ଅଛନ୍ତି। କିନ୍ତୁ ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ସଂଖ୍ୟା ଠାରୁ ଅଧିକ। ଏଠାରେ ମୋଟ୍‌ ୬୨,୮୪,୬୪୯ ଜଣ ଭୋଟର ଥିବା ବେଳେ ଏଥିରେ ମୋଟ୍ ମହିଳା ଭୋଟର ୩୧,୮୭,୭୭୧ ଜଣ। ୩୦,୯୬,୨୪୩ ଜଣ ପୁରୁଷ ଭୋଟର, ୬୩୫ଜଣ କିନ୍ନର ଭୋଟର ଅଛନ୍ତି।କଳହାଣ୍ଡିରେ ପ୍ରତି ହଜାରେ ପୁରୁଷ ମତଦାତାରେ ୯୯୯ଜଣ ମହିଳା ଭୋଟର, ନବରଙ୍ଗପୁରରେ ୧୦୩୯ଜଣ ମହିଳା, ବ୍ରହ୍ମପୁରରେ ୯୯୬ଜଣ ମହିଳା ଏବଂ କୋରାପୁଟରେ ୧୦୯୫ଜଣ ମହିଳା ଭୋଟର ଅଛନ୍ତି। ଏହି ୪ଟି ଲୋକ‌ସଭା କ୍ଷେତ୍ରରେ ମହିଳା ଭୋଟରଙ୍କ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଓଡ଼ିଶା ପାଇଁ ତିନି ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ ଦିଆଯାଇଛି। ଏଥିରେ ଜଣେ ଅବସରପ୍ରାପ୍ତ ଆଇଏଏସ୍, ଅବସରପ୍ରାପ୍ତ ଆଇପିଏସ୍ ଓ ଅବସରପ୍ରାପ୍ତ ଆଇଆର୍‌ଏସ୍ ଅଧିକାରୀ ଅଛନ୍ତି। ଏହାବାଦ୍ ସବୁ ଲୋକସଭା କ୍ଷେତ୍ର ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର