ନୂଆଦିଲ୍ଲୀରେ ‘ଜୁହାର ପରିବାର’ ପାଳିଲା ନୂଆଁଖାଇ

ସମ୍ବଲପୁର: ନୂଆଦିଲ୍ଲୀରେ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାମ କରୁଥିବା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର, ଦିଲ୍ଲୀ ପକ୍ଷରୁ ଆଜି ନୂଆଁଖାଇ ପରବ ଅନୁଷ୍ଠିତ ହୋଇଛି। ଦିଲ୍ଲୀ କେଣ୍ଟସ୍ଥିତ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ନୂଆଁଖାଇ ହେଉଛି ଆମର ପରିଚୟ ଓ ସଂସ୍କୃତିର ପ୍ରତୀକ। ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ, ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ସମ୍ବଲପୁରୀ ଡାଲଖାଇ ଗୀତରେ ବିଶ୍ୱର ନେତୃତ୍ୱଙ୍କୁ ସ୍ୱାଗତ କରାଯାଇଥିଲା ବୋଲି ସେ କହିଥିଲେ। ଉତ୍ତର ପ୍ରଦେଶ ପୁଲିସର ଜେଲ୍ ମହାନିର୍ଦେଶକ ସତ୍ୟନାରାୟଣ ସାବତ ସମ୍ମାନିତ ଅତିଥି, ଭାରତୀୟ ନବୀକରଣ ଶକ୍ତି ବିକାଶ ଏଜେନ୍ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାଶ ଓ ଜାତୀୟ ତାପଜ ଶକ୍ତି ନିଗମର ମାନବ ସମ୍ବଳ ନିର୍ଦେଶକ ଦିଲୀପ ପଟେଲ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବଲପୁରୀ ନୃତ୍ୟ ପାଇଁ ଜୀବନବ୍ୟାପୀ ସାଧନା ଓ ତ୍ୟାଗ କରିଥିବା ବେଟିଖାଇ ବରିହାଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ‘ଜୁହାର ସମ୍ମାନ-୨୦୨୩’ରେ ସମ୍ମାନିତ କରିଥିଲେ। ପ୍ରଖ୍ୟାତ କଳାକାର ଅଟଳ ବିହାରୀ ପଣ୍ଡାଙ୍କ ସମ୍ମାନାର୍ଥେ ପ୍ରଦାନ କରାଯାଉଥିବା ‘ଜୁହାର ଅଟଳ ସମ୍ମାନ’ ଏଥର ଦଣ୍ଡନୃତ୍ୟ ଗୁରୁ ବିପିନ ଜାଲଙ୍କୁ ଦିଆଯାଇଥିଲା। ଏହି ଅବସରରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର