ପେଲେଟ ବୋଝେଇ ଟ୍ରକ ଧକ୍କାରେ ଗଲା ଦୁଇ ଜୀବନ

ତିନି ତିନିଟି ପରିବାର ଉଚ୍ଛନ୍ନ, ଶବ ରଖି ଶହଶହ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଯଖପୁରା : ଆଗପଛ ହୋଇ ଯାଉଥିବା ଦୁଇ ଦୁଇଟି ମଟର ସାଇକଲକୁ ପଛରୁ ଏକ ପେଲେଟ ବୋଝେଇ ଟ୍ରକ୍ ଧକ୍କା ଦେବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ବିଜୁ ପଟ୍ଟନାୟକ ମାର୍ଗ ମାଣତିରା ଛକ ନିକଟରେ ଦୁଇ ଦୁଇଟି ଜୀବନ ଅକାଳରେ ଝଡ଼ିଯାଇଛି। ଅନ୍ୟ ୩ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସାଂଘାତିକ ଉତ୍ତେଜନା ପ୍ରକାଶ ପାଇଛି। ପଙ୍କପାଳ ପଞ୍ଚାୟତର ଶହ ଶହ ଉତ୍ତ୍ୟକ୍ତ ଲୋକେ ବିଜୁ ପଟ୍ଟନାୟକ ମାର୍ଗରେ ଶବ ରଖି ରାସ୍ତାରୋକ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଯଖପୁରା ଥାନା ଅନ୍ତର୍ଗତ ନୀଳମଣି ଦେଈପୁର ଶାସନ ଗ୍ରାମର ଶିଶିର ବେହେରା (୪୩) ଶ୍ବଶୁର ଘର ଯାଜପୁରରୋଡ଼ କହ୍ନେଇପୁରରେ ରହୁଥିବା ନିଜ ପୁଅ ସୌମ୍ୟରଂଜନ( ୧୫) ଏବଂ ଝିଅ ସମୀକ୍ଷା (୧୦)କୁ ନେଇ ମୋଟର ସାଇକେଲରେ ଗାଁକୁ ଫେରୁଥିଲେ। ସେହି ସମୟରେ ଯଖପୁରା ଥାନା ରାବଣା ଗ୍ରାମର କଳାକର ପତି(୩୩) ତାଙ୍କ ଶାଳକ କାହ୍ନୁ ଆଚାର୍ଯ୍ୟ (୨୩) ଅନ୍ୟ ଏକ ମୋଟର ସାଇକଲରେ ଆସୁଥିଲେ। ବିଜୁ ପଟ୍ଟନାୟକ ମାର୍ଗ ମାଣତିରା ଛକ ନିକଟରେ ଆଗପଛ ହୋଇ ଯାଉଥିବା ଉଭୟ ବାଇକକୁ ଏକ ପେଲେଟ ବୋଝେଇ ଷୋଳ ଚକିଆ ଟ୍ରକ (ସିଜି ୧୫ଏସି ୪୩୧୮) ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ବାଇକର ଯାଉଥିବା ପାଞ୍ଚଜଣ ବାଇକରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ନୀଳମଣିଦେଈପୁର ଗ୍ରାମର ଶିଶିର ବେହେରାଙ୍କର ମୃତ୍ୟୁ ଘଟିଥିଲା। ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ସୌମ୍ୟରଞ୍ଜନଙ୍କ ହାତ ଭାଙ୍ଗି ଯାଇଥିବାବେଳେ ଝିଅ ସମୀକ୍ଷା ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଶିଶିର ସ୍ଥାନୀୟ ରାବଣା ଛକରେ ଏକ ଚା ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ସେ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ସ୍ବାମୀଙ୍କୁ ହରାଇବା ପରେ ଦୁଇ ପାଠ ପଢ଼ୁଆ ପିଲାଙ୍କୁ କିପରି ଚଳାଇବେ ସେ ଚିନ୍ତାରେ ପତ୍ନୀ ଭାଙ୍ଗି ପଡ଼ିଛନ୍ତି।

ଅନ୍ୟ ବାଇକରେ ଯାଉଥିବା ଶଳା-ଭିଣୋଇଙ୍କ ମଧ୍ୟରୁ ଭିଣୋଇ କଳାକାର ପତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏଥିରେ ଶଳା କାହ୍ନୁ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପାଇ ଯଖପୁରା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ କଳାକରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କାହ୍ନୁ, ଶିଶିରଙ୍କ ପୁଅ ଓ ଝିଅ ତିନି ଜଣଙ୍କୁ ଟାଟା ମେଡିକା ହସ୍ପିଟାଲକୁ ନିଆଯାଇଥିଲା।

କଳାକାର ପତିଙ୍କର ରାବଣା ଛକରେ ଏକ ଇଲେକ୍ଟ୍ରି ପାର୍ଟସ ଦୋକାନ ରହିଥିବା ବେଳେ ଏଥିରେ ଶଳା କେନ୍ଦୁଝର ଜିଲ୍ଲା ‌କେଶୁଦରାପାଳର କାହ୍ନୁ ଆଚାର୍ଯ୍ୟ ସେଲସମ୍ୟାନ ଭାବରେ କାମ କରୁଥିଲେ। କଳାକାର ହୋଲସେଲିଂ ମଧ୍ୟ କରୁଥିଲେ। ଭିଣୋଇଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସହିତ ଶଳା କାହ୍ନୁଙ୍କ ପରିବାର ପାଇଁ ଦୁର୍ଦିନ ଘନେଇ ଆସିଛି। କାହ୍ନୁ ତାଙ୍କ ବାପାମାଆଙ୍କର ଏକମାତ୍ର ପୁଅ ବୋଲି ଜଣାପଡ଼ିଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ଶୋକାକୁଳ ପରିବେଶରେ କଳାକାରଙ୍କର ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର