ୟୁପିଏସ୍‌ସି ପରୀକ୍ଷାରେ ଚମକିଲେ ଅନୁଗୁଳର ପୁଅ ଅନିମେଶ: ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ସଫଳ

ତାଳଚେର: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ପ୍ରାଶାସନିକ ସେବା ପରୀକ୍ଷାରେ ଅନୁଗୁଳ ଜିଲ୍ଲା ତାଳଚେରର ପୁଅ ଅନିମେଶ ପ୍ରଧାନ ସାରାଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହାସହ ସେ ରାଜ୍ୟ ଟପ୍ପର ହୋଇଛନ୍ତି। ବହୁ ପ୍ରତିକୂଳ ପରିସ୍ଥିତିରେ ସେ ପାଠ ପଢ଼ି ଏହି ସଫଳତା ପାଇଥିଲାବେଳେ ତାଙ୍କ ପାଇଁ ତାଳଚେର ଗର୍ବିତ ହୋଇଛି। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଭାଲୁଗାଡ଼ିଆ ଗାଁରେ ଜନ୍ମିତ ଅନିମେଶ ପିଲାଟିଦିନରୁ ମେଧାବୀ ଥିଲେ। ତାଳଚେରସ୍ଥିତ କଳିଙ୍ଗ ଡିଏଭି ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ଏଠାରେ ଏଲ୍‌କେଜିରୁ ପାଠପଢ଼ା ଆରମ୍ଭ କରି ଯୁକ୍ତ୨ ପର୍ଯ୍ୟନ୍ତ ପଢ଼ିଥିଲେ। ଯୁକ୍ତ ୨ରେ ୯୮.୪ ପ୍ରତିଶତ ନମ୍ବର ରଖି ସେ ରେକର୍ଡ କରିଥିଲେ। ପରେ ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନ୍ଆଇଟି)ରେ କମ୍ପ୍ୟୁଟର ସାଇନ୍ସ ପଢ଼ିଥିଲେ। ୨୦୨୧ରେ ତାଙ୍କ ପଢ଼ା ଶେଷ ହେବାପରେ ସେ ଇଣ୍ଡିଆନ ଅଏଲ୍‌ରେ ଚାକିରି ପାଇଥିଲେ। ନୂଆଦିଲ୍ଲୀରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେଠାରେ ରହି ସେ ପ୍ରାଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଆଉ ପ୍ରଥମ ଉଦ୍ୟମରେ ସେ ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରି ବିରଳ ସଫଳତା ପାଇଛନ୍ତି।

ଅନିମେଶଙ୍କ ଏହି ସଫଳତାର ଯାତ୍ରା କିନ୍ତୁ ବିଲ୍‌କୁଲ ସହଜ ନ ଥିଲା। ଯାବତୀୟ ପ୍ରତିକୂଳ ପରିସ୍ଥିତି ସହ ସେ ଲଢ଼ି ଲଢ଼ି ଆଜି ସଫଳ ହୋଇଛନ୍ତି। ଅନିମେଶଙ୍କ ବାପା ପ୍ରଭାକର ପ୍ରଧାନ ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରହିଥିଲାବେଳେ ଗତ ୨୦୧୫ରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ପିତାଙ୍କ ଅକାଳ ବିୟୋଗ ଘରର ଏକମାତ୍ର ପୁଅ ଅନିମେଶଙ୍କୁ ଶକ୍ତ ଧକ୍କା ଦେଇଥିଲେ ମଧ୍ୟ ସେ ଲକ୍ଷ୍ୟରୁ ହଟି ନଥିଲେ। ଏପଟେ ଇଂଜିନିୟରିଂ ସାରି ପ୍ରାଶାସନିକ ସେବାପାଇଁ ପ୍ରସ୍ତୁତି ଆରମ୍ଭ କଲାବେଳେ ତାଙ୍କ ମା’ ଅରୁଣା ପାତ୍ର କ୍ୟାନସର୍‌ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେତେବେଳେ ଅନିମେଶଙ୍କ ମା’ ଭରତପୁର ଏମ୍‌ସିଏଲ୍‌ରେ ଚାକିରି କରୁଥିଲେ। ମା’ କ୍ୟାନସର୍‌ ସହ ଲଢ଼ୁଥିଲାବେଳେ ପ୍ରାଶାସନିକ ସେବାପାଇଁ ଦିନରାତି ଏକ କରିଦେଇଥିଲେ ଅନିମେଶ। ଏହା ଭିତରେ ନିତି ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଭୁଲି ନଥି‌ଲେ। ମା’ଙ୍କୁ ଡାକ୍ତରଖାନା ନେବା, ଡାକ୍ତରଙ୍କ ସହ ପରାମର୍ଶ କରିବା ଓ ଘରର ସବୁକଥା ବୁଝି ମଧ୍ୟ ପାଠପଢ଼ା ପ୍ରତି ସେ ହେଳା କରୁ ନଥିଲେ। ଆଉ ଏହାର ଫଳ ଏବେ ଅନିମେଶଙ୍କୁ ମିଳିଛି। ତେବେ ଏହି ଖୁସି ଖବର ପାଇବା ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ତାଙ୍କ ମା’ଙ୍କ ପରଲୋକ ହୋଇଯାଇଛି। ଜୀବନର ଏତେବଡ଼ ସଫଳତା ପାଇଥିବା ଅନିମେଶ ଉଭୟ ପିତାମାତାଙ୍କ ହରାଇଥିଲାବେଳେ ତାଙ୍କର ଏକମାତ୍ର ଭଉଣୀ ଅନ୍ବେଷା ପ୍ରଧାନ ଏବେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭାବେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ରେ କାର୍ଯ୍ୟରତ। ପ୍ରାଶାସନିକ ସେବା ପରୀକ୍ଷାରେ ସଫଳ ହେବା ପରେ ଅନିମେଶ କହିଛନ୍ତି, ‘ଏହା ମୋ ଜୀବନରେ ବଡ଼ ଖୁସି। ହେଲେ ଏହି ଖୁସି ବାଣ୍ଟିବାକୁ ମୋ ସହ ବାପା, ମା’ ନାହାନ୍ତି। ତଥାପି ସବୁ ଶ୍ରେୟ ସେମାନଙ୍କର। ମୋ ଖୁସି ପାଇଁ ମା’ ‌ଗତମାସ ପର୍ଯ୍ୟନ୍ତ କ୍ୟାନସର୍‌ ସହ ଲଢ଼େଇ କରୁଥିଲେ। ବାପା, ମା’ଙ୍କ ଆଶୀର୍ବାଦ ବିନା ଏହି ସଫଳତା ମିଳି ନଥାନ୍ତା। ସେହିପରି ଦିଦି ଓ ଭାଇନାଙ୍କର ବଡ଼ ଅବଦାନ ରହିଛି।’

୨୪ତମ ରୢାଙ୍କ୍‌ରେ ବରଗଡ଼ର ଡେପୁଟି କଲେକ୍ଟର

ବରଗଡ/ବାରିପଦା: ବରଗଡ଼ ଜିଲ୍ଲାର ଡେପୁଟି କଲେକ୍ଟର (ଆପାତକାଳୀନ ବିଭାଗ) ପ୍ରଜ୍ଞାନନ୍ଦନ ଗିରି ଚଳିତବର୍ଷ ୟୁପିଏସ୍‌ସି ପରୀକ୍ଷାରେ ୨୪ତମ ରୢାଙ୍କ୍‌ ହାସଲ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିବାସୀ ପ୍ରଜ୍ଞାନନ୍ଦନ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି, ଚତୁର୍ଥଥର ପରୀକ୍ଷା ଦେବାପରେ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମଥର ଯେତେବେଳେ ସେ ପରୀକ୍ଷା ଦେଇଥିଲେ, ସେ ସମୟରେ ଚାକିରି କରୁନଥିଲେ। ଫଳରେ ପୂରା ସମୟ ପାଠପଢ଼ାରେ ଧ୍ୟାନ ଦେଉଥିଲେ। କିନ୍ତୁ, ପରେ ଚାକିରିରେ ଥାଇ ୟୁପିଏସ୍‌ସି ପାଇଁ ଉଦ୍ୟମ ଜାରି ରଖିଥିଲେ।

ଡେପୁଟି କଲେକ୍ଟର ବିଶ୍ବଜିତ ପଣ୍ଡାଙ୍କୁ ୩୪୩ ରୢାଙ୍କ୍‌

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ସାରୁଗାଁ ପଞ୍ଚାୟତ ନୂଆଗାଁ ରାଉତରାପୁର ଗ୍ରାମର ବାସିନ୍ଦା ତଥା ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଥିବା ବିଶ୍ବଜିତ ପଣ୍ଡା (୩୦) ସର୍ବଭାରତୀୟ ସିଭିଲ୍‌ ସର୍ଭିସ ପରୀକ୍ଷାରେ ୩୪୩ ନମ୍ବର ସ୍ଥାନରେ ରହିଛନ୍ତି।

ଅମ୍ରିତାଂଶୁ ନାୟକ (ରୢାଙ୍କ୍‌୧୧୦)
ସିଭିଲ ସର୍ଭିସ୍ ପାଇଁ ଓଡ଼ିଶ‌ାରେ ପର୍ଯ୍ୟାପ୍ତ ସୁବିଧା ରହିଛି। ତେଣୁ ବାହାରେ ପଢ଼ିବାକୁ ନିର୍ଭର କରିବାର ଆବଶ୍ୟକତା ନାହିଁ।
ସଫଳତା ପାଇଥିବା
ଅମ୍ରିତାଂଶୁ ବ୍ୟକ୍ତିତ୍ବ ପରୀକ୍ଷା ପାଇଁ ଆପ୍ଟିପ୍ଲସରେ ପ୍ରଶିକ୍ଷଣ ନେଉଥିଲେ। ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ମିଳିବ ବୋଲି ସେ କହିଛନ୍ତି।

ପଦ୍ମନାଭ ମିଶ୍ର (୧୭୬ ରୢାଙ୍କ୍‌)
ରାଉରକେଲା ଛେଣ୍ଡ୍‌ କଲୋନି ନିବାସୀ ତଥା ଏନ୍‌ଆଇଟିର ପୁରାତନ ଛାତ୍ର ପଦ୍ମନାଭ ମିଶ୍ର ୧୭୬ତମ ସ୍ଥାନରେ ରହିଛନ୍ତି। ୨୦୨୦-୨୨ ଯାଏ ସେ ଆମେକ୍ସରେ ଉଚ୍ଚ ପଦବିରେ ଅବସ୍ଥାପିତ ଥିଲେ। ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ଥିବାରୁ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରିଥିଲେ।

ପଦ୍ମନାଭ ମିଶ୍ର (୧୭୬ ରୢାଙ୍କ୍‌)
ରାଉରକେଲା ଛେଣ୍ଡ୍‌ କଲୋନି ନିବାସୀ ତଥା ଏନ୍‌ଆଇଟିର ପୁରାତନ ଛାତ୍ର ପଦ୍ମନାଭ ମିଶ୍ର ୧୭୬ତମ ସ୍ଥାନରେ ରହିଛନ୍ତି। ୨୦୨୦-୨୨ ଯାଏ ସେ ଆମେକ୍ସରେ ଉଚ୍ଚ ପଦବିରେ ଅବସ୍ଥାପିତ ଥିଲେ। ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ଥିବାରୁ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରିଥିଲେ।

ପ୍ରିୟଙ୍କା ପ୍ରିୟଦର୍ଶିନୀ(୩୮୭ ରୢାଙ୍କ୍‌)
ରାଉରକେଲା ସହରର ପ୍ରିୟଙ୍କାଙ୍କୁ ତୃତୀୟ ପ୍ରୟାସରେ ଏହି ସଫଳତା ମିଳିଛି। ଗତବର୍ଷ ଦ୍ବିତୀୟ ପ୍ରୟାସରେ ସେ ୧୦ ମାର୍କ ପାଇଁ ପଛରେ ରହିଯାଇଥିଲେ। ତେବେ ତାଙ୍କୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ସହକାରୀ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଥିଲା।

ପ୍ରିୟଙ୍କା ପ୍ରିୟଦର୍ଶିନୀ (୩୮୭ ରୢାଙ୍କ୍‌)
ରାଉରକେଲା ସହରର ପ୍ରିୟଙ୍କାଙ୍କୁ ତୃତୀୟ ପ୍ରୟାସରେ ଏହି ସଫଳତା ମିଳିଛି। ଗତବର୍ଷ ଦ୍ବିତୀୟ ପ୍ରୟାସରେ ସେ ୧୦ ମାର୍କ ପାଇଁ ପଛରେ ରହିଯାଇଥିଲେ। ତେବେ ତାଙ୍କୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ସହକାରୀ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଥିଲା।

ସାଇରାଜ ମିଶ୍ର (୫୯୧ ରୢାଙ୍କ୍‌)
ସାଇରାଜଙ୍କ ଘର ବଲାଙ୍ଗୀର ସହରରେ। ଚାରିମାସ ତଳେ ସେ ଆୟକର ବିଭାଗରେ ଇନ୍ସପେକ୍ଟର ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ, ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେବାକୁ ଚାକିରିରୁ ଛୁଟି ନେଇଥିଲେ। ଘରେ ହିଁ ୟୁପିଏସ୍‌ସି ପାଇଁ ପଢ଼ା ଆରମ୍ଭ କରି ଶେଷରେ ସେ ସଫଳତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର