ବ୍ରାହ୍ମଣୀନଦୀର ଜଳସ୍ତର କମିଲା,ସଙ୍କଟ ଏଡ଼ାଇବାକୁ ଅଦିନିଆ ବର୍ଷା ଆବଶ୍ୟକ

ରାଉରକେଲା: ପୂର୍ବ ବର୍ଷ ମେ’ ମାସ ତୁଳନାରେ ଏଥର ବ୍ରାହ୍ମଣୀ ନଦୀର ଜଳସ୍ତର କମିଛି। ପ୍ରାୟତଃ, ପ୍ରତ୍ୟେକ ଗ୍ରୀଷ୍ମଋତୁରେ ଜଳସ୍ତର ହ୍ରାସ ପାଇଥାଏ। କିନ୍ତୁ ଗତ କିଛି ବର୍ଷ ହେଲା କ୍ରମାଗତଭାବେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଆଉ ଏହାର ମୁଖ୍ୟ କାରଣ ପାଲଟିଛି ଉପରମୁଣ୍ଡରେ ଅଦିନିଆ ବର୍ଷାର ଅଭାବ। ଶନିବାର ପୂର୍ବାହ୍ନ ୮ଟାରେ ବ୍ରାହ୍ମଣୀ ନଦୀର ଜଳସ୍ତର ମପାଯାଇଥିଲା।
ଆଜି ନଦୀର ଜଳସ୍ତର ୧୭୧.୦୨ ମିଟର ରହିଛି। ଠିକ୍‌ ବର୍ଷ ପୂର୍ବେ, ଅର୍ଥାତ୍‌ ୨୦୨୩ ମେ’ ୨୫ ତାରିଖରେ ବ୍ରାହ୍ମଣୀର ଜଳସ୍ତର ୧୭୧.୫ ମିଟର ରହିଥିଲା। ଯଦିଓ ଏହି ପରିମାଣ ଉଦ୍‌ବେଗଜନକ ନୁହେଁ; ତେବେ ଆଗାମୀ ଦିନରେ ଅଦିନିଆ ବର୍ଷା ନ ହେଲେ ଜଳସ୍ତର ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି।
ଗତ ବର୍ଷ ମେ’ ମାସରେ ଉପରମୁଣ୍ଡରେ ଅଦିନିଆ ବର୍ଷା ହୋଇଥିଲା। ଯଦ୍ବାରା ଶଙ୍ଖ ଓ କୋଏଲ ନଦୀର ଜଳସ୍ତର ବୃଦ୍ଧି ହୋଇଥିଲା। ଫଳରେ ଶଙ୍ଖ ଓ କୋଏଲ ନଦୀର ମିଶ୍ରଣରୁ ସୃଷ୍ଟି ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିଥିଲା। ଏତଦ୍‌ବ୍ୟତୀତ ମନ୍ଦିରା ଡ୍ୟାମ୍‌ର ଗେଟ୍‌ ଖୋଲିଲେ ବି ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଇଥାଏ। ଏଥର କିନ୍ତୁ ତାହା ଘଟିନଥିବାରୁ ଜଳସ୍ତର ସାମାନ୍ୟ କମ୍‌ ରହିଛି। ଗତକାଲି ନଦୀର ଜଳସ୍ତର ୧୭୧.୦୨ ମିଟର ରହିଥିବାବେଳେ ୨୦୨୩ ମେ’ ୨୪ ତାରିଖରେ ଜଳସ୍ତର ୧୭୧.୦୮ ମିଟର ରେକର୍ଡ କରାଯାଇଥିଲା।
ସେହିଭଳି ପୂର୍ବବର୍ଷ ଓ ଏଥରର ମେ’ ୨୩ ତାରିଖରେ ମପାଯାଇଥିବା ଜଳସ୍ତରରେ ବିରାଟ ବ୍ୟବଧାନ ଦେଖିବାକୁ ମିଳିଥିଲା। ମେ’ ୨୩ ୨୦୨୩ରେ ଜଳସ୍ତର ୧୭୧.୨୨ ମିଟର ଥିବାବେଳେ ଏଥର ଉକ୍ତ ଦିନ ୧୭୧.୨ ମିଟର ରହିଥିଲା। ଏହି ଜଳସ୍ତର ଯଦିଓ ନିରନ୍ତର ଜଳଯୋଗାଣ ପ୍ରତି କୌଣସି ସମସ୍ୟା ସୃଷ୍ଟି କରିବନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଆଗାମୀ ଦିନରେ ଉପରମୁଣ୍ଡରେ ଅଦିନିଆ ବର୍ଷାର ଆବଶ୍ୟକତା ରହିଥିବା କହିଛନ୍ତି।
ତେବେ ମୌସୁମୀ ଆସିବା ପୂର୍ବରୁ ବର୍ଷ ନହେଲେ ବି ବି‌ଶେଷ ପ୍ରଭାବ ପଡ଼ିବନିବୋଲି କହିଛନ୍ତି,ଯାହାକି ସହରବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତ କରିଛି। ଉଲ୍ଲେଖଯୋଗ୍ୟ, ବର୍ଷା ଦିନେ ପ୍ରତି ଘଣ୍ଟାରେ ନଦୀର ଜଳସ୍ତର ମପଯାଉଥିବାବେଳେ ଖରାଦିନେ ଦୈନିକ ଥରୁଟିଏ କେବଳ ସକାଳ ୮ଟାରେ ମପାଯାଇଥାଏ। ବିଗତ ଦିନରେ ଅଦିନିଆ ବର୍ଷ ଯୋଗୁଁ ଜଳସ୍ତର ସାମାନ୍ୟ ବଢ଼ିଥିବାବେଳେ ଏବେ ବର୍ଷା ହୋଇନଥିବାରୁ କମିଛି।
ସମ୍ବନ୍ଧିତ ଖବର