କ’ଣ ନ କରୁଛି ମଦ? ରୋଗିଣା ଝିଅ ବେକରେ ବ୍ଲେଡ୍‌ ମାରିଦେଲା ବାପା

ମା’ ୨୦ ଟଙ୍କା ଦେଲାନି ବୋଲି ଜୀବନ ହାରିଲା ଭେଣ୍ଡିଆ ପୁଅ

ବାରିପଦା: ମଦ ପିଇବାକୁ ବାରଣ କଲା ମା’। ୨୦ ଟଙ୍କା ‌ହେଲେ ବି ଚଳିଯିବ କହି ପୁଅ ପାଟିତୁଣ୍ଡ କରିଥିଲା, କିନ୍ତୁ ଟଙ୍କା ଦେଇନଥିଲେ ମା’। ଏହି ସାମାନ୍ୟ କଥାକୁ ନେଇ ବେକରେ ରଶି ବାନ୍ଧି ଜୀବନ ହାରିଛି ଭେଣ୍ଡିଆ ପୁଅ। ବାରିପଦା ସହର ମଧୁବନ ବଗିଚାସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ପୁଲିସ କହିବା ଅନୁଯାୟୀ, ଛତିଶ ପାତ୍ର (୨୨) ଏକ ଫାଷ୍ଟଫୁଡ୍‌ ଦୋକାନରେ କାମ କରନ୍ତି। ସେଥିରୁ ଯାହା ଟଙ୍କା ମିଳେ, ତାକୁ ମଦ ପିଇବାରେ ଉଡ଼ାଇ ଦିଅନ୍ତି। ଗତକାଲି ଛତିଶଙ୍କ ପାଖରେ ମଦ ପିଇବାକୁ ଟଙ୍କା ନଥିଲା। ତେଣୁ ମା’ଙ୍କୁ ୨୦ ଟଙ୍କା ମାଗିଥିଲେ। ହେଲେ ପୁଅ ନିୟମିତ ମଦ ପିଉଥିବାରୁ ଟଙ୍କା ଦେବାକୁ ମନା କରି ଦେଇଥିଲେ ମା’। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ପରେ ମା’ କାମରେ ବ୍ୟସ୍ତ ଥିବା ବେଳେ ରାତିରେ ଘର ଭିତରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ ଛତିଶ। ବାରିପଦା ଟାଉନ୍‌ ଥାନା ପୁଲିସ ପିଆର୍‌ଏମ୍‌ ମେଡିକାଲ କଲେଜ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ବାଲିଅନ୍ତା: ଆଜି ବାଳକାଟିସ୍ଥିତ ଏକ ଇଟାଭାଟିରେ ଘଟିଛି ‌ଲୋମଟାଙ୍କୁରା ଘଟଣା। ଜଣେ ମଦ୍ୟପ ବାପାର ବର୍ବର କାଣ୍ଡ ଲୋକଙ୍କ ଛାତି ଥରାଇ ଦେଇଛି। ଅପପୁଷ୍ଟିର ଶିକାର ୩ ବର୍ଷର ରୋଗିଣା ଝିଅର ବେକକୁ ବଡ଼ ନିଷ୍ଠୁର ଭାବେ ମଦୁଆ ବାପା ବ୍ଲେଡ୍‌ରେ କାଟି ଦେଇଛି। ସ୍ତ୍ରୀ ମଦ ପିଇବାକୁ ପଇସା ଦେଲେନି ବୋଲି ନିଶାଡ଼ି ସ୍ବାମୀ ଏଭଳି ନିର୍ମମ କାଣ୍ଡ ଭିଆଇଛି। ପୁଲିସ ନିଶାଡ଼ିକୁ ଅଟକ ରଖିଥିବା ବେଳେ ବିଚାରି ଶିଶୁଟି ଏବେ କଟକ ବଡ଼ ମେଡିକାଲରେ ମରଣ ସହ ସଂଗ୍ରାମ କରୁଛି। ଏହି ଘଟଣା ବାଳକାଟି ସମେତ ପୂରା ରାଜଧାନୀରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

କେନ୍ଦୁଝର ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳର ରୋଇହା ସିଂ ଓରଫ୍‌ ଗଣେଶ ବାଳକାଟି ସାଇଫନ୍‌ ନିକଟ ସାତକାଣିଆଠାରେ ଏକ ଇଟାଭାଟିରେ କାମ କରୁଛି। ପ୍ରାୟ ୫ବର୍ଷ ହେଲା ସେ ପତ୍ନୀ ପାନା ସିଂ ଓ ଦୁଇ ଝିଅଙ୍କୁ ଧରି ଇଟାଭାଟି‌ରେ ଶ୍ରମିକ ବସ୍ତିରେ ରହୁଛି। ପତ୍ନୀ ପାନା ବି ସେଠ‌ାରେ ଶ୍ରମିକ ଭାବେ କାମ କରେ। ବଡ଼ ଝିଅଟି ଅପପୁଷ୍ଟିର ଶିକାର। ସାନ ଝିଅର ବୟସ ମାତ୍ର ୧ ବର୍ଷ। ଗଣେଶ ସବୁବେଳେ ମଦ ନିଶାରେ ଚୁର୍‌ ରହୁଥିବାରୁ ପତ୍ନୀ ପାନା ନିଜ ରୋଜଗାରରେ ଘର ଚଳାଇବା ସହ ବଡ଼ଝିଅର ଚିକିତ୍ସା କରାଇଥାଏ। ଗଣେଶ ଏତେ ନିଶାସକ୍ତ ଯେ ଦିନେ ବି ଝିଅର ଚିକିତ୍ସା କଥା ବୁଝେନାହିଁ। ବରଂ ମଦ ପିଇବାକୁ ପାନାଠାରୁ ପଇସା ଛଡ଼ାଇ ନିଏ। ଏଥିପାଇଁ ସେ ବହୁ ସମୟରେ ପାନାକୁ ମାର୍‌ଧର ବି କରେ। ବିଚାରି ପାନା ମଦୁଆ ସ୍ବାମୀର ସବୁ ନିର୍ଯାତନା ସହିବା ସହ ଇଟା ଭାଟିରେ କାମ କରି ବଡ଼ଝିଅର ଚିକିତ୍ସା କରାଉଛି। ଆଜି ବଡ଼ ଝିଅର ଦେହ ଅଧିକ ବିଗିଡ଼ିବାରୁ ପାନା ତାକୁ ହସ୍ପିଟାଲ୍‌ ନେବାକୁ ସ୍ବାମୀ ଗଣେଶକୁ କହିଥିଲେ। କିନ୍ତୁ ଗଣେଶ ସେକଥାକୁ ମୁଣ୍ଡରେ ନପୂରାଇ ଓଲଟା ମଦ ପିଇବାକୁ ପାନାକୁ ପଇସା ମାଗି‌ଲା। ପାନା ମଦ ପାଇଁ ଟଙ୍କା ଦେବାକୁ ମନା କରିବାରୁ ଗଣେଶ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ପାନାକୁ ଗାଳି କରିବା ସହ ମାଡ଼ ମାରିଥିଲା। ଏତିକିରେ ତା’ ମନ ବୁଝିନଥିଲା। ରୋଗିଣା ଝିଅଟା ପାଇଁ ତାକୁ ମଦ ପିଇବାକୁ ପଇସା ମିଳୁନି ବୋଲି ସେ ଧରି ନେଇଥିଲା। ତେଣୁ ସବୁଦିନ ପାଇଁ ରୋଗିଣା ଝିଅକୁ ରାସ୍ତାରୁ ହଟାଇ ଦେବାକୁ ସେ ଏକ ବ୍ଲେଡ୍‌ରେ ତା’ ବେକକୁ କାଟି ଦେଇଥିଲା। ପାନାଙ୍କ ଚିତ୍କାର ଶୁଣି ବସ୍ତିବାସିନ୍ଦାମାନେ ଧାଇଁ ଆସି ଗଣେଶକୁ କାବୁ କରିବା ସହ ପିଲାଟିର ପ୍ରାଥମିକ ଚିକିତ୍ସା କରାଇଥିଲେ। ଖବର ପାଇ ତୁରନ୍ତ ବାଳକାଟି ଫାଣ୍ଡି ପୁଲିସ ସେଠାରେ ପହଞ୍ଚିଥିଲା ଏବଂ ଆମ୍ବୁଲାନ୍‌ସ ଯୋଗେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନେ ଶିଶୁଟିକୁ ତୁରନ୍ତ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର