ଜଙ୍ଗଲରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ  ଜଙ୍ଗଲରୁ ଠାବ ହୋଇଛି। ଗୁରୁଡ଼ିଝାଟିଆ ଥାନା ବ୍ରାହ୍ମଣବସ୍ତ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, କରାଯାଇଛି। ଏନେଇ ମଙ୍ଗଳାବାଗ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍ ଟିମ୍ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଦେହରେ ଅନେକଗୁଡ଼ିଏ କ୍ଷତ ଚିହ୍ନ ଏବଂ ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଥିବାର ସୂଚନା ମିଳିଛି। ଏଣୁ ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି।

ଜାନୁଆରି ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଥିଲା। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ସ୍ବାଇଁ  ଜଣେ ମହିଳା କ୍ରିକେଟ୍‌ ଖେଳାଳି। ସୂଚନା ଅନୁଯାୟୀ, ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନିଟି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ। ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଜାନୁଆରି ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। ଏହି ତାଲିକାରେ ବାଦ୍‌ ପଡ଼ିଥିଲେ ରାଜଶ୍ରୀ। ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ। କିନ୍ତୁ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍‌ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ।

ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି। କୋଚ୍‌ ପୁଷ୍ପାଞ୍ଜଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର