ଖୋର୍ଦ୍ଧା ଜିଲ୍ଲାରେ ପୁଣି ଲୁଟ୍‌: ଗୁଳି ଫୁଟାଇ ମହିଳାଙ୍କ ଠାରୁ ଟଙ୍କା ନେଇଗଲେ ଦୁର୍ବୃତ୍ତ!

ଖୋର୍ଦ୍ଧା: କ୍ରମାଗତ ଭାବେ ଦ୍ବିତୀୟ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ଲୁଟ୍‌ ହୋଇଛି। ଲୁଟେରାଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। ଆଜି ବେଗୁନିଆ ଥାନା ଅନ୍ତର୍ଗତ ଧାନଘର ନୂଆଗାଁ ଅଞ୍ଚଳରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ୨ ଜଣ ଦୁର୍ବୃତ୍ତ ଗୁଳି କରି ମହିଳାଙ୍କ ଠାରୁ ଟଙ୍କା ଲୁଟି କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ବେଗୁନିଆ ତହସିଲ କାର୍ଯ୍ୟଳୟ ଠାରୁ ଧାନଘର ନୂଆଗାଁ ରାସ୍ତାରେ ଏକ ଘରୋଇ କଂପାନିରେ କାର୍ଯ୍ୟରତ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ଟାର୍ଗେଟ କରିଥିଲେ। ମହିଳା ଜଣକ ଏକାକୀ ସ୍କୁଟିରେ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ଅଚାନକ ପହଞ୍ଚିଥିଲେ। ସେମାନେ ମହିଳାଙ୍କ ଠାରୁ ବଳପୂର୍ବକ ଟଙ୍କା ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ଏଥିରେ ମହିଳା ଜଣକ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ। ମହିଳାଙ୍କର ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତରେ ମହିଳାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଜାଆଁଳା ନିକଟରେ ଥିବା ସାଗରିକା ଜୁଏଲର୍ସରୁ ବୁଧବାର ଅପରାହ୍ନରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟ୍ କରିଥିଲେ। ସୁନା ଲୁଟର ଚିତ୍ର ସିସିଟିଭିରେ କଏଦ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସିଥିଲେ। ସେମାନେ ଦୋକାନ ସାମ୍ନାରେ ବାଇକ ରଖି ଭିତରକୁ ଯାଇଥିଲେ । ସୁନା ଦୋକାନର ମାଲିକଙ୍କୁ ବନ୍ଧୁକ ଦେଖାଇଥିଲେ । ଦୋକାନୀ ଏଥିରେ ବାଧା ଦେବାରୁ ଦୁର୍ବୃତ୍ତମାନେ ଗୁଳିଚାଳନା କରିଥିଲେ। ପରେ ଦୋକାନରୁ ବାହାରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତଙ୍କ ବାଇକ ଷ୍ଟାର୍ଟ ହୋଇନଥିଲା। ଫଳରେ ଗାଡିଟିକୁ ଗଡାଇ ଗଡାଇ କିଛି ବାଟ ନେଇ ସେଠାରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।

ସମ୍ବନ୍ଧିତ ଖବର