ଭୁବନେଶ୍ୱର: ଗତକାଲି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡ଼ିଥିବା ଗାଡ଼ି ଚୋରଙ୍କୁ ଆଜି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ବର ଥାନା ପୁଲିସ। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ପୁରୀ ତାଳବଣିଆ ଥାନା ଅଧୀନ ମଧୁବନର ଅବିନାଶ ଖୁଣ୍ଟିଆ ଓ ପୁରୀ ସଦର ଥାନା ଅଧୀନ ଖଣ୍ଡିଆବନ୍ଧର ପ୍ରଭୁରାମ ସ୍ବାଇଁ। ସେମାନଙ୍କଠାରୁ ଏକ ଆଇଫୋନ୍ ସହ ତିନୋଟି ମୋବାଇଲ ଫୋନ୍, ଦୁଇଟି ବାଇକ୍ ଓ ନଗଦ ୮ ହଜାର ଟଙ୍କା ଜବତ କରାଯାଇଛି। ନୟାପଲ୍ଲୀରେ ରହି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିଟେକ୍ ପଢ଼ୁଥିବା ସୋନପୁରର ରଜତ ପାତ୍ରଙ୍କ ଅଭିଯୋଗକ୍ରମେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ରଜତ ତାଙ୍କର ଏକ କେଟିଏମ୍ ବାଇକ୍ ବିକ୍ରି କରିବା ପାଇଁ ୧୦ ଦିନ ତଳେ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନର ୫ ଦିନ ପରେ ପୁରୀର ଏହି ଦୁଇ ଅଭିଯୁକ୍ତ ଗାଡ଼ି କିଣିବା ପାଇଁ ଭୁବନେଶ୍ବର ପହଞ୍ଚିଥିଲେ। ରଜତଙ୍କୁ ଫୋନ୍ କରି ମଞ୍ଚେଶ୍ବର କେଳୁଚରଣ ପାର୍କରେ ପହଞ୍ଚିବା ପାଇଁ କହିଥିଲେ। ସେଠାରୁ ଟେଷ୍ଟ ଡ୍ରାଇଭ୍ ପାଇଁ ଗାଡ଼ି ନେଇ ଫେରାର ହୋଇ ଯାଇଥିଲେ। ରଜତ ହତାଶ ହୋଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ଅଭିଯୁକ୍ତଦ୍ବୟ ରଜତଙ୍କୁ ଫୋନ୍ କରି ଗାଡ଼ି ଫେରାଇବାକୁ ଚାହିଁଥିଲେ। ଏଥିପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ। ପୁଲିସକୁ ଖବର ଦେଲେ ଗାଡ଼ି ମିଳିବନି ବୋଲି କହିଥିବାରୁ ରଜତ ୧୦ ହଜାର ଟଙ୍କା ନେଇ ଅଭିଯୁକ୍ତ କହିଥିବା ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍ରେ ପହଞ୍ଚିଥିଲେ। ଲୋୟର ପିଏମ୍ଜିରେ ଗାଡ଼ି ରଖାଯାଇଥିବା ଜାଣିବା ପରେ ରଜତ ଅଭିଯୁକ୍ତଙ୍କୁ ଗାଡ଼ିରେ ବସାଇ ବାହାରିଥିଲେ। ଆଗରେ ପୁଲିସର ଅସ୍ଥାୟୀ ଶିବିର ଦେଖି ରଜତ ଉପସ୍ଥିତ ବୁଦ୍ଧି ଖଟାଇ ଅଭିଯୁକ୍ତଙ୍କୁ ଧରାଇଥିଲେ। ତେବେ ଦୁଇଦିନ ତଳେ ଲକ୍ଷ୍ମୀସାଗର ଥାନା ଅଧୀନରେ ଅନୁରୂପ ଘଟଣା ଘଟିଥିଲେ ମଧ୍ୟ ପୁଲିସ ମୋପେଡ୍ ବା ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ।