ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ଯୁବକ, ଚିକିତ୍ସା ସମୟରେ ବାଇକ ସହ ମୋବାଇଲ ଓ ଟଙ୍କା ଧରି ଫେରାର

ଲକ୍ଷ୍ମୀପୁର: ମୋଟରସାଇକେଲ୍ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇଜଣ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇବା ପରେ ଚିକିତ୍ସା ସମୟରେ ଉଦ୍ଧାରକାରୀ ତାଙ୍କ ମୋବାଇଲ, ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟଙ୍କା ଧରି ଫେରାର ହେବା ଲକ୍ଷ୍ମୀପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ସିକରପାଇ ଅଞ୍ଚଳର ଫିରୋଜ ସେଠି ଓ ନିରଞ୍ଜନ ନାୟକ ନାମକ ଯୁବକ କୌଣସି ଏକ କାମରେ କୋରାପୁଟ ଆସି ରାୟଗଡା ଫେରୁଥିବା ସମୟରେ ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ଆହତ ଅବସ୍ଥାରେ ୨ଜଣ ପଡିଥିବା ଦେଖି ଜଣେ ଯୁବକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଲକ୍ଷ୍ମୀପୁର ଡାକ୍ତରଖାନା ପଠାଇଥିଲେ। ସେମାନଙ୍କ ବାଇକ୍ ଧରି ଲକ୍ଷ୍ମୀପୁର ଡାକ୍ତରଖାନାରେ ପହଁଚିଥିଲେ। ଦୁର୍ଘଟଣାଗ୍ରସ୍ତ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଚିକିତ୍ସା କରୁଥିବା ଡାକ୍ତର୍ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜକୁ ରେଫର୍ କରିଥିଲେ। ଆହତ ଯୁବକମାନେ ରାୟଗଡାର ହୋଇଥିବାରୁ ସେମାନେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଚାହିଁଥିଲେ।

ଉଦ୍ଧାର କରିଥିବା ଯୁବକ ସେହି ସମୟରେ ଆହତମାନଙ୍କୁ ଗାଡି ଠିକ୍ କରିଦେବି କହି ସେମାନଙ୍କଠାରୁ ୩ହଜାର ଟଙ୍କାମାଗିଥିଲା। ଟଙ୍କା ଦେବା ପରେ ଯୁବକ ଜଣକ ଆହତ ଯୁବକମାନଙ୍କ ମୋଟର ସାଇକେଲ୍ ଓ ଦୁର୍ଘଟଣା ସ୍ଥାନରୁ ପାଇଥିବା ମୋବାଇଲ୍ ଧରି ଚମ୍ପଟ ମାରିଦେଇଥିଲା। ଦୀର୍ଘ ସମୟ ଧରି ସେହି ଯୁବକ ଜଣକ ନଆସିବାରୁ ଫେରାର୍ ହୋଇଯାଇଥିବା ଜାଣିବା ପରେ ପୁଣି କୋରାପୁଟ ମେଡିକାଲ୍ କଲେଜକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା। ଆହତ ଦୁହେଁ କୋରାପୁଟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯୋଗୁଁ ଖବର ଲେଖାଯିବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର