ଯୌତୁକ ନିର୍ଯାତନା ଦଫା ୪୯୮ (କ)ର ଅପବ୍ୟବହାର: ମିଛ ଅଭିଯୋଗ ପ୍ରତି ସତର୍କ ରୁହ

ହାଇକୋର୍ଟଙ୍କ ଉଦ୍‌ବେଗ

କଟକ: ଆଇପିସିର ଦଫା ୪୯୮(କ)ର ଅପବ୍ୟବହାର ପ୍ରସଂଗକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନଣନ୍ଦଙ୍କ ବିରୋଧରେ ଭାଉଜଙ୍କ ଯୌତୁକ ନିର୍ଯାତନା ଅଭିଯୋଗ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ପରିବାରକୁ ଚାପଗ୍ରସ୍ତ କରିବା ପାଇଁ ଆଇପିସିର ଦଫା ୪୯୮-(କ) ଅଧୀନରେ ‌ଯୌତୁକ ନିର୍ଯାତନା ଅପରାଧର ଅପବ୍ୟବହାର କରାଯାଉଛି। ପୃଥକ୍‌ ବା ଦୂର ସ୍ଥାନରେ ରହୁଥିବା ସ୍ବାମୀଙ୍କ ସଂପର୍କୀୟଙ୍କୁ ଯୌତୁକ ନିର୍ଯାତନା ମାମଲାରେ ସଂପୃକ୍ତ କରାଇବା ଏକ ପ୍ରବୃତ୍ତିରେ ପରିଣତ ହୋଇଗଲାଣି। ଏଭଳି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ଅଦାଲତଙ୍କ ଗୁରୁଦାୟିତ୍ବ।

କିନ୍ତୁ ଏ କଥାକୁ ମଧ୍ୟ ଅସ୍ବୀକାର କରାଯାଇ ନପାରେ ଯେ ବହୁ ‌ଯୌତୁକ ନିର୍ଯାତନା ମାମଲାରେ ସ୍ବାମୀଙ୍କ ସହ ଶାଶୂ ଓ ନଣନ୍ଦଙ୍କ ମାରାତ୍ମକ ଭୂମିକା ରହୁଛି। ସ୍ବାମୀ-ସ୍ତ୍ରୀଙ୍କ ବୈବାହିକ ବିବାଦ ସଂପର୍କିତ ମାମଲା ବିଚାର କରିବା ବେଳେ ପ୍ରକୃତ ଘଟଣା ଓ ମିଛ ଅଭିଯୋଗକୁ ପୃଥକ କରିବା ପାଇଁ ଅଦାଲତ ସତର୍କ ହେବା ଉଚିତ। ସ୍ବାମୀ ଓ ତାଙ୍କ ସଂପର୍କୀୟଙ୍କ ଦ୍ବାରା ଯୌତୁକଜନିତ ନିର୍ଯାତନାରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ଦଫା ୪୯୮ (କ) ପ୍ରଣୟନ କରାଯାଇଥିଲା। କିନ୍ତୁ ଅଧିକାଂଶ ସମୟରେ ମାମୁଲି ପ୍ରସଙ୍ଗକୁ ନେଇ ଦଫା ୪୯୮(କ)ରେ ଅଭିଯୋଗ ରୁଜୁ ହେଉଛି। ଏପରି ବହୁ ଅଭିଯୋଗ ପଛରେ ସତ୍ୟତା ନଥିବା ଜଣାପଡ଼ୁଛି। କିନ୍ତୁ କେତେକ ପ୍ରକୃତ ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ ରହୁଛି।

ଏଥିସହ ଭାଉଜଙ୍କ ଅଭିଯୋଗ ଆଧାରରେ ବିବାହିତା ନଣନ୍ଦଙ୍କ ବିରୋଧରେ ରୁଜୁ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ନଣନ୍ଦଙ୍କ ବିରୋଧରେ ଆପରାଧିକ ମାମଲା ଚାଲିବା ଅଦାଲତୀ ପ୍ରକ୍ରିୟାର ଅପବ୍ୟବହାର ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ କଟକ ସଦର ଏସଡିଜେଏମ୍‌ ଅଦାଲତରେ ନଣନ୍ଦଙ୍କ ବିରୋଧରେ ବିଚାରାଧୀନ ମାମଲାକୁ ରଦ୍ଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ବାମୀ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆପରାଧିକ ମାମଲାର ଶୁଣାଣି ଚାଲିପାରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି. ପତିଙ୍କ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ଭାଇଙ୍କୁ ଏତଲାକାରୀ ମହିଳା ୨୦୧୭ରେ ବିବାହ କରିଥିଲେ।

୨୦୧୮ରେ ଏତଲାକାରୀ ମହିଳା ନିଜ ସ୍ବାମୀ, ନଣନ୍ଦ ଓ ଶାଶୂଘରର ଅନ୍ୟ ସଦସ୍ୟଙ୍କ ବିରୋଧ‌ରେ ଯୌତୁକ ନିର୍ଯାତନା ସହିତ ଧମକ ଦେବା ଓ ଗାଳିଗୁଲଜ କରିବା ନେଇ ମହିଳା ଥାନାରେ ଏତଲା ଦେଇଥିଲେ। କଟକ ମହିଳା ଥାନା ପୁଲିସ ଆଇପିସିର ଦଫା ୪୯୮-କ, ୨୯୪, ୫୦୬, ୩୪ ଓ ଯୌତୁକ ନିରୋଧ ଆଇନର ଧାରା ୪ରେ ଏତଲାକାରୀଙ୍କ ସ୍ବାମୀ, ବିବାହିତା ନଣନ୍ଦ ଓ ଆନ୍ୟାମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଚାର୍ଜସିଟ୍‌ ଦାଖଲ ପରେ ସ୍ବାମୀ, ନଣନ୍ଦ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି ଆପରାଧିକ ମାମଲାକୁ ରଦ୍ଦ କରିବାକୁ ନିବେଦନ କରି ନଣନ୍ଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଇଥିଲେ। ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କିଛି ଅଭିଯୋଗ ନଥିବା ବେଳେ ଅପରାଧିକ ମାମଲା ଚାଲିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ନଣନ୍ଦ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର