ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ସହିଦନଗର ଭବାନୀ ମଲ୍ରେ ଥିବା ବାର୍ରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ବାର୍ର କୌଣସି ଗ୍ରାହକ କିମ୍ବା କର୍ମଚାରୀ ମୃତାହତ ହୋଇନଥିଲେ ହେଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ତେବେ ଭବାନୀ ମଲ୍ର ତିନି ମହଲାରେ ଥିବା ଟ୍ରାଭେଲ୍ ଏଜେନ୍ସିର ୪ କର୍ମଚାରୀ ଫସି ରହିଥିବା ବେଳେ ଅଗ୍ନିଶମ ବାହିନୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କୋଠାର ପଛ ପଟ କାନ୍ଥକୁ କଟର୍ରେ କାଟି ଅଗ୍ନିଶମ କର୍ମଚାରୀମାନେ ଭିତରକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ୨୫ କର୍ମଚାରୀ ପ୍ରାୟ ଦେଢ଼ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲେ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ନିଆଁ ଲାଗିବା ବେଳେ କିଛି ଗ୍ରାହକ ବାର୍ରେ ବସି ମଦ୍ୟପାନ କରୁଥିଲେ। ସେତିକିବେଳେ ଉପର ମହଲାରେ ଥିବା ସ୍ପା’ରେ ମଧ୍ୟ ଅନେକ ଗ୍ରାହକ ଥିଲେ। ତିନି ମହଲାରେ ଥିବା ଟ୍ରାଭେଲ୍ ଏଜେନ୍ସିର କର୍ମଚାରୀମାନେ ଥିଲେ। ହଠାତ୍ ବାର୍ରେ ନିଆଁ ଲାଗିବାରୁ ପ୍ରବଳ ଧୂଆଁ ବାହାରିଥିଲା। ଧୂଆଁ ଦେଖି ସମଗ୍ର ମଲ୍ରେ ଆତଙ୍କ ଖେଳି ଯାଇଥିଲା। ବାର୍ ଓ ସ୍ପାର ଗ୍ରାହକମାନେ ଦୌଡ଼ାଦୌଡ଼ି ହୋଇ ବାହାରି ଆସିଥିଲେ। କିନ୍ତୁ ଟ୍ରାଭେଲ୍ ଏଜେନ୍ସିର ୪ କର୍ମଚାରୀ ବାହାରି ପାରିନଥିଲେ। ଅଗ୍ନିଶମ କର୍ମଚାରୀମାନେ ଶିଡ଼ି ଲଗାଇ ଝରକା ବାଟେ ଟ୍ରାଭେଲ୍ ଏଜେନ୍ସିର ୪ ଜଣଙ୍କୁ ଉଦ୍ଧାର କରିଥିଲେ।