ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ କରସିଂ ପଞ୍ଚାୟତର ପୋକଶୁଙ୍ଗା ଗ୍ରାମରେ ବାର୍ହା ଶିକାର କରିବାକୁ ଯାଇଥିବା ଦୁଇ ଆଦିବାସୀ ଯୁବକ ଅନ୍ୟ ୩ ସହଯୋଗୀ ଶିକାରୀଙ୍କ ଗୁଳିରେ ଆହତ ହୋଇଛନ୍ତି। ସେମାନେ ହେଲେ, ରଘୁନାଥ ଜାନି (୨୧) ଓ ଅବକାଶ ଜାନି (୨୫)। ରଘୁନାଥଙ୍କ ଡାହାଣ ଜଂଘରେ ୩ଟି ଓ ବାମ ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଥିବା ବେଳେ ଅବକାଶଙ୍କ ବାମ ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମଧ୍ୟାହ୍ନରେ ୫ ଜଣ ଯୁବକ ବାର୍ହା ଶିକାର କରିବାକୁ ପୋକଶୁଙ୍ଗା ଗ୍ରାମ ନିକଟ କାଜୁ ଜଙ୍ଗଲକୁ ବନ୍ଧୁକ ଓ ଶିକାରୀ କୁକୁର ସହ ଯାଇଥିଲେ। ରଘୁନାଥ ଓ ଅବକାଶ ଏକ ନାଳ ନିକଟରେ ଛକି ବସିଥିବା ବେଳେ ଅନ୍ୟ ୩ ଜଣ ନାଳର ଅପରପାର୍ଶ୍ବରେ ଥିଲେ। ଏହି ସମୟରେ ଏକ ବାର୍ହା ପାଣି ପିଇବାକୁ ନାଳକୁ ଆସିଥିବା ଜାଣି କୁକୁର ଦୌଡ଼ିବାରୁ ରଘୁନାଥ ଓ ଅବକାଶ ପଛେପଛେ ଯାଉଥିଲେ। ନାଳର ଅପରପାର୍ଶ୍ବରେ ପ୍ରସ୍ତୁତ ହୋଇ ରହିଥିବା ୩ ଜଣ ଶିକାରୀ ବାର୍ହାକୁ ଲକ୍ଷ୍ୟ କରି ଗୁଳି ଚଳାଇବା ବେଳେ ତାହା ରଘୁ ଏବଂ ଅବକାଶଙ୍କ ଦେହରେ ବାଜିଥିଲା। ଉଭୟଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ବୁଗୁଡ଼ା ପୁଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି। ଅବକାଶ ଓ ରଘୁନାଥ ସଂପର୍କୀୟ ଭାଇ ହୋଇଥିବା ବେଳେ ଉଭୟ ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଛନ୍ତି। ଭୋଟ୍ ଦେବାକୁ ସେମାନେ କିଛିଦିନ ତଳେ ଗ୍ରାମକୁ ଆସିଥିଲେ। ତେବେ ଏମାନେ ବନ୍ଧୁକ କେଉଁଠୁ ଆଣିଥଲେ ଓ ଅନ୍ୟ ୩ ଜଣ ଶିକାରୀ କିଏ ଥିଲେ, ଏନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ଏବେ ସେମାନଙ୍କ ଖୋଜଖବର ମିଳୁନି।