ଗୌରହରି ଦାସ
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ସଦ୍ୟସମାପ୍ତ ନିର୍ବାଚନରେ ପରାଜୟ ଭୋଗିବା ପରେ ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ‘ଆମେ ବହୁତ ଭଲ କାମ କରିଛୁ। ନିର୍ବାଚନରେ ଏମିତି ଜୟ ପରାଜୟ ହୁଏ।’ ତାଙ୍କ କଥା ଠିକ୍ ହୋଇପାରେ। କାରଣ ଗତ ୨୪ ବର୍ଷ ଭିତରେ ସେ ଅନେକ କାମ କରିଛନ୍ତି। ତା’ ଭିତରୁ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ମିଶନ ଶକ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ସ୍ବାସ୍ଥ୍ୟ ବୀମା ପରି ଗୁରୁତ୍ବପୂର୍ଣ୍ଣ କଥା ଅନ୍ତର୍ଭୁକ୍ତ। ମାତ୍ର ଏସବୁ ରୁଟିନ୍ କାର୍ଯ୍ୟ ବାହାରେ ନବୀନ ପଟ୍ଟନାୟକ ଏଭଳି କିଛି ବଡ଼ କାମ କରିଛନ୍ତି କି ଯାହା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଲୋକେ କହିପାରିବେ କି ଏହି କୀର୍ତ୍ତି ଦ୍ବାରା ସେ ଓଡ଼ିଆ ଅସ୍ମିତାକୁ ଆହୁରି ଉପରକୁ ଉଠେଇ ପାରିଛନ୍ତି, ଯେମିତି ଏକ କୀର୍ତ୍ତି ନରେନ୍ଦ୍ର ମୋଦୀ ଗୁଜରାଟକୁ ଉପହାର ଦେଇଛନ୍ତି।
ଗୁଜରାଟର ନର୍ମଦା ନଦୀ କୂଳ କେବାଡ଼ିଆରେ ନିର୍ମିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ବିରାଟ ପ୍ରତିମୂର୍ତ୍ତି, ଯାହାକୁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବୋଲି କୁହାଯାଉଛି, ତାହା ଏକ ଉଲ୍ଲେଖନୀୟ କୀର୍ତ୍ତି। ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ବ୍ୟକ୍ତିତ୍ବ ଓ ଅବଦାନ ସମ୍ବନ୍ଧରେ ଅଧିକ ଉଲ୍ଲେଖ ଅନାବଶ୍ୟକ। କାଶ୍ମୀରର ହରି ସିଂହ ହୁଅନ୍ତୁ କି ହାଇଦ୍ରାବାଦର ନିଜାମ କିମ୍ବା ଜୁନାଗଡ଼ର ରାଜା- ଭାରତର ରାଜାଶାସିତ ରାଜ୍ୟଗୁଡ଼ିକୁ ଭାରତ ସହ ମିଶ୍ରଣରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ତାଙ୍କରି ସ୍ମୃତିକୁ ଚିରକାଳ ଉଜ୍ଜୀବିତ ରଖିବା ପାଇଁ ଏଭଳି ଏକ ବିଶାଳ ଭବ୍ୟ ମୂର୍ତ୍ତି ନିର୍ମାଣ କରାଯାଇଛି। ତେବେ ଏହି ମୂର୍ତ୍ତି ପ୍ରତିଷ୍ଠା ଗୁରୁତ୍ବପୂର୍ଣ୍ଣ କାହିଁକି? ନିକଟରେ କେବାଡ଼ିଆର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ବେଳେ ଜାଣିବାକୁ ମିଳିଲା ଯେ ‘‘ଛଅବର୍ଷ ତଳେ ଏଠି କିଛି ନ ଥିଲା। ଯାହା ଥିଲା ତାହା ବୁଦୁବୁଦିକିଆ ବଣ ଓ ବିକ୍ଷିପ୍ତ ବସ୍ତି।’’ ମାତ୍ର ଛଅଟି ବର୍ଷ ଭିତରେ ଗୁଜରାଟର କେବାଡ଼ିଆ ନିକଟରେ ଏକତା ନଗର ଗଢ଼ି ଉଠିବାର ଏକମାତ୍ର କାରଣ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାଣ। ଗୋଟିଏ ବଡ଼ କୀର୍ତ୍ତି କିଭଳି ରାଜ୍ୟର ଅସ୍ମିତାକୁ ଉଜ୍ଜ୍ବଳ କରେ ଏବଂ ମରୁଭୂମି ପ୍ରାୟ ଅପନ୍ତରା ଭୂଇଁରେ ଏକ ଭବ୍ୟ ସହର ଗଢ଼େଇ ଦିଏ ତାହାର ବଡ଼ ଉଦାହରଣ ଏହି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’। ଏହା ମଧ୍ୟ ଗୋଟିଏ ଦୂରଦୃଷ୍ଟିସଂପନ୍ନ ସରକାରର ସ୍ବପ୍ନ ଓ ସଂକଳ୍ପର ପରିଚୟ ଦେଇଥାଏ।
ସଭିଏ ଜାଣନ୍ତି ଯେ ଗୁଜରାଟର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପୃଥିବୀର ଉଚ୍ଚତମ ମୂର୍ତ୍ତି, ଯାହାର ଉଚ୍ଚତା ୬୦୦ ଫୁଟ। ୨୦୧୩ରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ମୁଖ୍ୟମନ୍ତ୍ରିତ୍ବର ଦଶମ ବର୍ଷରେ ସେ ଏହି ମୂର୍ତ୍ତିର ପ୍ରତିଷ୍ଠା ପ୍ରସଙ୍ଗ ଘୋଷଣା କରିଥିଲେ। ୨୦୧୪ରେ ସେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଏହି କାର୍ଯ୍ୟକୁ ପୃଷ୍ଠପୋଷକତା ବଢ଼ାଇ ଦେଇଥିଲେ। ଏଥିପାଇଁ ଆବଶ୍ୟକ ଲୁହା ଯୋଗାଡ଼ ନିମନ୍ତେ ସେ ଗୁଜରାଟବାସୀଙ୍କୁ ନିଜ ନିଜ ପରିବାରରେ ବ୍ୟବହୃତ ହୋଇଥିବା ଲୁହା ଦାନ କରିବା ନିମନ୍ତେ ଅନୁରୋଧ ଜଣାଇଥିଲେ ଏବଂ ସେମାନେ ପ୍ରାୟ ୧୩୫ ମେଟ୍ରିକ ଟନ୍ ଲୁହା ଦାନ କରିଥିଲେ। ଏଇ ପରିକଳ୍ପନା ସାକାର ହେବା ପାଇଁ ଲାଗିଥିଲା ୫୭ ମାସ ବା ପାଖାପାଖି ପାଞ୍ଚ ବର୍ଷ। ସେଥିମଧ୍ୟରୁ ୧୫ ମାସ ବିତିଥିଲା ଯୋଜନାରେ, ଦୁଇ ମାସ ପ୍ରତିମୂର୍ତ୍ତି ନିର୍ମିତ ସ୍ଥଳ ହସ୍ତାନ୍ତର କରିବାରେ ଏବଂ ମଝିରେ ୪୦ ମାସ ଏହି ଭବ୍ୟ ମୂର୍ତ୍ତିର ନିର୍ମାଣରେ। ୨୦୧୮ ଅକ୍ଟୋବର ୩୧ ତାରିଖରେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୪୩ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୃହତ୍ତମ ମୂର୍ତ୍ତିର ଲୋକାର୍ପଣ କରିଥିଲେ।
ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାଣ ଦ୍ବାରା ତିନିଟି କାର୍ଯ୍ୟ ସମ୍ଭବ ହୋଇଛି। ଗୋଟିଏ ହେଉଛି ଗୁଜରାଟ ଅସ୍ମିତାର ବିକାଶ। ଦ୍ବିତୀୟଟି ହେଉଛି ନୂଆ ଗୋଟିଏ ସହରର ନିର୍ମାଣ। ତୃତୀୟଟି ହେଉଛି ସବୁଦିନ ପାଇଁ ଏକ ଉତ୍ତମ ପର୍ଯ୍ୟଟନ କ୍ଷେତ୍ରର ପ୍ରତିଷ୍ଠା ମାଧ୍ୟମରେ ରାଜ୍ୟର ଅର୍ଥନୀତିର ସମୃଦ୍ଧି। ୨୦୧୪ରୁ ୨୦୨୪ ଭିତରେ କୋଭିଡ୍ ପରି ମହାବ୍ୟାଧି ସତ୍ତ୍ବେ ଏହି ମୂର୍ତ୍ତି ଦେଖିବାଲାଗି ପ୍ରାୟ ୨ କୋଟି ପର୍ଯ୍ୟଟକ ଆସିସାରିଲେଣି। ସେଠାକାର ଲୋକଙ୍କ କହିବାନୁସାରେ ଦୁଇ ବର୍ଷ ହେଲା ହାରାହାରି ୪୫ରୁ ୪୬ ଲକ୍ଷ ପର୍ଯ୍ୟଟକ କେବଳ ଏହି ମୂର୍ତ୍ତି ଦେଖିବାକୁ ଗୁଜରାଟ ଆସୁଛନ୍ତି।
ଷ୍ଟାଚ୍ୟୁ ଅଫ୍ ୟୁନିଟି ଆଗରୁ ଚୀନ୍ର ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ ମୂର୍ତ୍ତିକୁ ପୃଥିବୀର ବୃହତ୍ତମ ମୂର୍ତ୍ତି କୁହାଯାଉଥିଲା। ତାହାର ଉଚ୍ଚତା ୪୨୦ ଫୁଟ। ପୃଥିବୀରେ ସବୁଠାରୁ ଅଧିକ ପରିଚିତ ମୂର୍ତ୍ତି ହେଉଛି ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟି। ତାହା ଉଚ୍ଚ ପ୍ଲାଟ୍ଫର୍ମ ଉପରେ ପ୍ରତିଷ୍ଠିତ। ୩୦୫ ଫୁଟ ଉଚ୍ଚା ଏହି କୀର୍ତ୍ତିର ମୂର୍ତ୍ତି ଭାଗର ଉଚ୍ଚତା ମାତ୍ର ୧୫୧ ଫୁଟ। ଏହା ତୁଳନାରେ ଗୁଜରାଟର ଷ୍ଟାଚ୍ୟୁ ଖୁବ୍ ବଡ଼। ଏହି ମୂର୍ତ୍ତିଟି ପାଇଁ ଭାରତ ଏକ ବିରଳ ଗୌରବର ଅଧିକାରୀ ହୋଇପାରିଛି।
ଛଅ ବର୍ଷ ଭିତରେ କିଭଳି ଏକତା ନଗର ପରି ଏକ ସହର ଗଢ଼ିଉଠିଲା ତାହା ଯେଭଳି ଦେଖିବାର କଥା, ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅଧିକ ସମୟ ବାନ୍ଧି ରଖିବାଲାଗି ଆଖପାଖ ଅଞ୍ଚଳରେ ଯେଉଁ ଧରଣର ବ୍ୟବସ୍ଥାମାନ କରାଯାଇଛି ତାହା ମଧ୍ୟ ଲକ୍ଷ୍ୟ କରିବାର କଥା। ଉଦାହରଣ ସ୍ବରୂପ ଆଗରୁ ଏହି ସହର ନିକଟରେ ପ୍ରବାହିତ ନଦୀ କୂଳରେ ନର୍ମଦାଆଳତି ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଶୂଳେଶ୍ବର ମହାଦେବ ମନ୍ଦିର ନିକଟରେ ସେ ପ୍ରକାର ସନ୍ଧ୍ୟା ଆଳତିର ବ୍ୟବସ୍ଥା କରାଯାଇଛି, ଯେଉଁଠି ହଜାର ହଜାର ଲୋକ ଯାଇ ରୁଣ୍ଡ ହେଉଛନ୍ତି। ଷ୍ଟାଚ୍ୟୁ ଅଫ୍ ୟୁନିଟିର ‘ଲେଜର୍ ସୋ’ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ। ଏହି ସହରରେ ଗଢ଼ି ଉଠିଥିବା ‘ଆରୋଗ୍ୟ ବନ’ ଆଉ ଏକ ପର୍ଯ୍ୟଟନ ସ୍ଥଳୀ। ଏଠାରେ ୧୭ ଏକର ଜମି ଉପରେ କେବଳ ଔଷଧୀୟ ଗଛମାନ ଲଗାଯାଇଅଛି। ଏହାଛଡ଼ା ପର୍ଯ୍ୟଟକମାନଙ୍କ ଲାଗି ନୌକାବିହାର, ଜଙ୍ଗଲ ସଫାରି, ବିଶ୍ବବନ ଆଦି ବ୍ୟବସ୍ଥା ମଧ୍ୟ ରହିଛି। ଯେଉଁ ଧରଣର ନିର୍ମାଣ ଓ ଭିତ୍ତିଭୂମି ପ୍ରତିଷ୍ଠା କାମ ଚାଲିଛି, ସେଥିରୁ ଜଣାପଡୁଛି ଯେ ଆଉ ପାଞ୍ଚ ବର୍ଷ ଭିତରେ ଏହା ଏକ ବଡ଼ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହୋଇପାରିବ।
ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣକୁ ନେଇ ଗୁଜରାଟରେ ସମସ୍ତଙ୍କର ସହମତି ନ ଥିଲା। ସେତେବେଳେ କେବାଡ଼ିଆ, କୋଠୀ, ୱାଗାଡ଼ିଆ, ନବଗାମ ଓ ଗୋରା ପ୍ରଭୃତି ଗ୍ରାମର ଆଦିବାସୀମାନେ ତୀବ୍ର ବିରୋଧ କରିଥିଲେ। ପ୍ରତିମୂର୍ତ୍ତି ଉଦ୍ଘାଟନ ଆଗରୁ ପ୍ରାୟ ୩୦୦ ଲୋକଙ୍କୁ ଗିରଫ କରାଯାଇଥିଲା। ତେବେ ଗୁଜରାଟ ସରକାର ସେମାନଙ୍କର ଅଧିକାଂଶ ଦାବି ଗ୍ରହଣ କରିନେବା ସହ ଭଲ ଥଇଥାନ ଯୋଜନା କାର୍ଯ୍ୟକାରୀ କରି ସମସ୍ୟାର ସମାଧାନ କରିପାରିଥିଲେ। ଏହି ଷ୍ଟାଚ୍ୟୁ ପ୍ରକଳ୍ପ ପାଇଁ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟ ହୋଇଛି। ଗୁଜରାଟ ସରକାର ତାଙ୍କ ବଜେଟ୍ରୁ ପ୍ରଥମେ କେବଳ ୫୦୦ କୋଟି ଟଙ୍କା ଦେଇଥିଲେ। କେନ୍ଦ୍ର ସରକାର ଆଉ ୫୦୦ କୋଟି ଦେବା ପରେ ଅବଶିଷ୍ଟ ଅର୍ଥ ବିଭିନ୍ନ ବଡ଼ ବଡ଼ କମ୍ପାନିଗୁଡ଼ିକଠାରୁ ସଂଗ୍ରହ କରାଯାଇଥିଲା। ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାଣ କାମ ଲାର୍ସନ୍ ଆଣ୍ଡ ଟ୍ୟୁବ୍ରୋ କମ୍ପାନି ନେଇଥିଲା। ସେହି କମ୍ପାନି ମୂର୍ତ୍ତି ଓ ତା’ର ପାରିପାର୍ଶ୍ବିକ ଅଞ୍ଚଳର ରକ୍ଷଣାବେକ୍ଷଣ ଦାୟିତ୍ବ ୧୫ ବର୍ଷ ଲାଗି ନେଇଅଛି। ସାତପୁରା ଓ ବିନ୍ଧ୍ୟାଞ୍ଚଳ ପାହାଡ଼ କୋଳରେ ନିର୍ମିତ ଏହି ମୂର୍ତ୍ତି ଏଭଳି ମଜଭୁତ ଭାବରେ ନିର୍ମିତ ହୋଇଛି ଯାହା ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ ବହୁଥିବା ପବନକୁ ସାମ୍ନା କରିପାରିବ। ପୁଣି ମୂର୍ତ୍ତିଟି ଏଭଳି ସ୍ଥାନରେ ନିର୍ମିତ ହୋଇଛି ଯାହା ପାଖେ ପବନ ପହଞ୍ଚିବା କଷ୍ଟ। କାରଣ ଚାରିପଟେ ପାହାଡ଼ ରହିଛି।
ଏସବୁ ପ୍ରସଙ୍ଗ ଏଠାରେ ଉଲ୍ଲେଖ କରିବାର କାରଣ ହେଲା କିଭଳି ଗୋଟିଏ ବଡ଼ ସ୍ବପ୍ନକୁ ସାକାର କରିବା ଦ୍ବାରା ଅନେକଗୁଡ଼ିଏ ଲକ୍ଷ୍ୟ ସାଧନ କରିହୁଏ। ପୁଣିଥରେ ଓଡ଼ିଶା ପ୍ରସଙ୍ଗକୁ ଫେରିବା। ଓଡ଼ିଶାରେ ନବୀନବାବୁଙ୍କ ସରକାର ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ଥିଲା। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ଆଗରୁ ସାରା ପୃଥିବୀ ବୁଲିଥିଲେ। ମାତ୍ର ସେ କ’ଣ ଏଭଳି କିଛି ବଡ଼ କାମ କରିଛନ୍ତି ଯାହା ନୂଆ ସହରଟାଏ ନିର୍ମାଣ କରିବା ସହ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେଇଛି ଏବଂ ପର୍ଯ୍ୟଟକଙ୍କ ଆଗମନକୁ ନିଶ୍ଚିତ କରିପାରିଛି? ଅନେକ ଲୋକ ଯୁକ୍ତି କରିପାରନ୍ତି ଯେ ଗୋଟିଏ ଦରିଦ୍ର ରାଜ୍ୟରେ ଏତେଗୁଡ଼ାଏ ଟଙ୍କା ବ୍ୟୟ କରି ଏଭଳି କୀର୍ତ୍ତି ପ୍ରତିଷ୍ଠା କରାଯିବା ଅନୁଚିତ। କୋଣାର୍କ, ପୁରୀ କିମ୍ବା ଲିଙ୍ଗରାଜ ମନ୍ଦିର ନିର୍ମାଣ ସମୟରେ ମଧ୍ୟ ଏଭଳି ପ୍ରତିବାଦର ସ୍ବର ଉଠିଥିବ। ମାତ୍ର ସେହି କୀର୍ତ୍ତିଗୁଡ଼ିକର ନିର୍ମାତାମାନେ ସେ ପ୍ରତିବାଦକୁ ଗୁରୁତ୍ବ ଦେଇ ରହିଯାଇଥିଲେ ଆଜି ଓଡ଼ିଶାରେ ଏଭଳି ମନ୍ଦିରମାନ ମୁଣ୍ଡଟେକି ଠିଆହେଇ ନ ଥାନ୍ତା। ଗୋଟିଏ ପୁରୀ ମନ୍ଦିର ବା କୋଣାର୍କ ମନ୍ଦିର ଆମ ରାଜ୍ୟର ଅର୍ଥନୀତିକୁ ଯେଉଁଭଳି ସମୃଦ୍ଧ କରିଛି ତାହା ଅନୁମାନ କରିବା ସହଜ ନୁହେଁ। ଦୁଃଖର ସହ କହିବାକୁ ପଡୁଛି ଯେ ନବୀନବାବୁ ବିରାଟ ସୁଯୋଗ ହାତଛଡ଼ା କରିଦେଇଛନ୍ତି। ତାଙ୍କ ପରି ସୁଯୋଗ ଆଗରୁ କେହି ପାଇ ନ ଥିଲେ। ଅନ୍ୟ କଥା ଥାଉ, ବଡ଼ ଏୟାରପୋର୍ଟଟିଏ କିମ୍ବା ଭୁବନେଶ୍ବରରେ ଏକ ଭବ୍ୟ ସାଂସ୍କୃତିକ କେନ୍ଦ୍ର ଓ ପ୍ରେକ୍ଷାଳୟ ମଧ୍ୟ ତାଙ୍କ ଅମଳରେ ସେ ତିଆରି କରିପାରିଲେ ନାହିଁ।
ଓଡ଼ିଶାରେ ଯେଉଁ କ୍ଷେତ୍ରରେ ବିକାଶର ପ୍ରଚୁର ସମ୍ଭାବନା ରହିଛି ତାହା ଭିତରେ ପର୍ଯ୍ୟଟନ ଅନ୍ୟତମ। ମାତ୍ର ଏ କ୍ଷେତ୍ରରେ ଆମେ କୌଣସି ଉଦ୍ୟମ କରୁନାହୁଁ। ଗତ ଚବିଶ ବର୍ଷ ମଧ୍ୟରେ ଆମ ପର୍ଯ୍ୟଟନର ବିକାଶ ଲାଗି କି ଦୃଢ଼ ପଦକ୍ଷେପ ନିଆଯାଇଛି? ଇକୋ-ରିଟ୍ରିଟ୍ ନାମରେ ଲକ୍ଷ ଲକ୍ଷ ଟଙ୍କା ବରବାଦ କରାଯାଇଛି। ଓଡ଼ିଶାରେ ଯାହା ଅଛି ଭାରତର ବହୁ ପ୍ରଦେଶରେ ତାହା ନାହିଁ। ଆମ ପାଖେ ନଦୀ, ସମୁଦ୍ର, ବଣଜଙ୍ଗଲ, କଇଁଛ, କୁମ୍ଭୀର, ବାଘ, ସିଂହ ସବୁ ଅଛି। ତତଲା ଟିଟିଲାଗଡ଼ ଓ ଶୀତଳ ଦାରିଙ୍ଗିବାଡ଼ି ଅଛି ଓଡ଼ିଶାରେ। ବିସ୍ତୀର୍ଣ୍ଣ ବେଳାଭୂମି ନୂଆ ପରିକଳ୍ପନା କରିବାଲାଗି ହାତଠାରି ଡାକେ। ଧର୍ମ ଦୃଷ୍ଟିରୁ ଏଠାରେ ଜୈନ, ବୌଦ୍ଧ, ଶୈବ, ଶାକ୍ତ ଓ ସବୁ ଧର୍ମର ତନ୍ତ୍ର, ପ୍ରସିଦ୍ଧ ପୀଠମାନ ରହିଛି। ମାତ୍ର ସକଳ ସମ୍ଭାବନା ସତ୍ତ୍ବେ ଆମ ପର୍ଯ୍ୟଟନ କ୍ଷେତ୍ର ପଛରେ ପଡ଼ିରହିଛି। ହାଉସ୍ବୋଟ୍, ରୋପ୍ୱେ, ଜଳକ୍ରୀଡ଼ା, ପର୍ବତ ଆରୋହଣ, ଜଙ୍ଗଲ ସଫାରି, ନଦୀ ଆରତି, ବଡ଼ ପ୍ରତିମୂର୍ତ୍ତି ନିର୍ମାଣ ଇତ୍ୟାଦି ଦ୍ବାରା ପର୍ଯ୍ୟଟନର ବିକାଶ ସମ୍ଭବ। ଏହାଦ୍ବାରା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଅର୍ଥର ଅଭାବ ଆଦୌ ଏକ ସମସ୍ୟା ନୁହେଁ। ମନ ଥିଲେ ଅର୍ଥ ବଳେ ବଳେ ଆସିବ। ବିଶ୍ବକପ୍ ହକି ଆୟୋଜନ ବେଳେ ଏକଥା ତ ଆମେ ଦେଖିଛେ।
ପ୍ରସଙ୍ଗତଃ ଚୀନ୍ ଦେଶର ଗୋଟିଏ ଉଦାହରଣ ଦେବାକୁ ଚାହୁଛି। ୧୯୭୪ରେ ଚୀନ୍ର ସିଆନ ସହର ଉପକଣ୍ଠରେ ‘ଟେରାକୋଟା ଆର୍ମି’ ଆବିଷ୍କୃତ ହେଲା। ମାଟିରେ ତିଆରି ହଜାର ହଜାର ସୈନିକଙ୍କ ସମରସଜ୍ଜାର ସେ ଦୃଶ୍ୟ ସାରା ବିଶ୍ବକୁ ଅଭିଭୂତ କଲା। ବର୍ତ୍ତମାନ ଚୀନ୍ର ‘ଗ୍ରେଟ୍ ୱାଲ୍’ ଅପେକ୍ଷା ‘ଟେରାକୋଟା ଆର୍ମି’ ଦେଖିବାକୁ ଅଧିକ ପର୍ଯ୍ୟଟକ ଯାଉଛନ୍ତି। ଆମେରିକାର ବୈଦେଶିକ ସଚିବ ହେନେରି କିସିଞ୍ଜର ଏହା ଦେଖି ମନ୍ତବ୍ୟ ଦେଇଥିଲେ ଯେ ‘ଯେଉଁ ଦେଶ ଏତେ ବଡ଼ ଇତିହାସ ତିଆରି କରିପାରିଥିଲା, ସେ ଦେଶ ଏହାଠାରୁ ବଡ଼ ଭବିଷ୍ୟତ ନିର୍ମାଣ କରିପାରିବ।’ ତାଙ୍କ ମନ୍ତବ୍ୟ ସତ୍ୟ ସାବ୍ୟସ୍ତ ହୋଇଛି। ଐତିହାସିକ ଜେମ୍ସ ଫର୍ଗୁସନ୍ ଏକଦା ଓଡ଼ିଶା ବିଷୟରେ ଅନୁରୂପ ମନ୍ତବ୍ୟ ଦେଇଥିଲେ। ଓଡ଼ିଶାର ରାଜାରାଣୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ପ୍ରଭୃତି କୀର୍ତ୍ତି ଦେଖି ସେ କହିଥିଲେ ଯେ ସମଗ୍ର ଭାରତବର୍ଷରେ ଯେତିକି ମନ୍ଦିର ଅଛି ତା’ର ଅଧାରୁ ଅଧିକ ସୁନ୍ଦର ମନ୍ଦିରମାନ କେବଳ ଓଡ଼ିଶାରେ ଅଛି। ମୁକ୍ତେଶ୍ବର ତୋରଣ, ରାଜାରାଣୀ ଓ କୋଣାର୍କ ଶହ ଶହ ବର୍ଷ ଧରି ଆମ ଆଗରେ ରହିଛି। ଚୀନ୍ର ମାଟି ତିଆରି ଟେରାକୋଟା ଆର୍ମି ଝଡ଼ପବନରେ ନଷ୍ଟ ହୋଇଯାଇପାରେ, ମାତ୍ର ଆମ କୀର୍ତ୍ତି ତ ପଥର ତିଆରି। ମାଟି ତିଆରି ସେନାବାହିନୀରୁ ପ୍ରେରଣା ନେଇ ଚୀନ୍ ଯଦି ଇତିହାସଠାରୁ ବଡ଼ ଭବିଷ୍ୟତ ନିର୍ମାଣ କରିପାରିଲା ତାହାହେଲେ ପଥର ତିଆରି ମନ୍ଦିରମାଳାଠାରୁ ପ୍ରେରଣା ନେଇ ଓଡ଼ିଶା କାହିଁକି ଇତିହାସଠାରୁ ବଡ଼ ଭବିଷ୍ୟତ ନିର୍ମାଣ କରିପାରିବ ନାହିଁ? ଏଥିପାଇଁ କେବଳ ବଡ଼ ସ୍ବପ୍ନ ଦେଖିବା ଆବଶ୍ୟକ ଏବଂ ସେହି ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ସଂକଳ୍ପ ଦରକାର।
ମୋ: ୯୪୩୭୦୭୭୨୮୮