ଲକ୍ଷ୍ନୌ: ୧୦ ବର୍ଷ ଧରି ଖୁଣୀ ଆଖ୍ୟା ବୋହି ଚାଲିଥିଲା ଅମିତ। ଚାକିରି ଖଣ୍ଡେ ପାଇଁ ସାହସ ବାନ୍ଧି ନ ପାରି ସେ ନିଜର କୌଳିକ ବୃତ୍ତି ଚାଷ କାମରେ ଲାଗିଥିଲା। ଦିନେ ତାଙ୍କର ଭେଟହେଲା ସେ ହତ୍ୟା କରିଛି ବୋଲି କୁହାଯାଉଥିବା ଲୋକଟି ସହ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ୧୪ ବର୍ଷ ତଳର। ୨୦୦୭ରେ ଉତ୍ତର ପ୍ରଦେଶର ବୁଲନ୍ଦସର୍ ଜିଲ୍ଲା ଅନ୍ତର୍ଗତ ନଇଥ୍ନା ହସନ୍ପୁର ଗାଁ’ର ୧୪ ବର୍ଷିୟ ଦୀପକ ନିରୁଦ୍ଦିଷ୍ଟ ହେବା ପରେ ଏ କଥା ପ୍ରଘଟ ହୋଇଥିଲା।
ସେ ଅଞ୍ଚଳ ଭିତରେ ଏବଂ ବାହାରେ ତା’ର ପିତାମାତା ଏବଂ ସମ୍ପର୍କୀୟ ତାଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। କିଛି ଦିନ ପରେ ଦୀପକ ପରି ଦିଶୁଥିବା ଗୋଟାଏ ଅର୍ଦ୍ଧଦଗ୍ଧ ଏବଂ ବିଖଣ୍ଡିତ ଶବ ଏକ ବିଲରୁ ମିଳିଥିଲା।
ସେ ଶବ ଦୀପକର ବୋଲି ତା’ର ପିତାମାତା ଚିହ୍ନଟ କଲେ। ସେମାନେ ଅଭିଯୋଗ କଲେ କି, ପଡ଼ୋଶୀ ଅମିତର କିଛି ଦିନ ତଳେ ଦୀପକର କଜିଆ ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ସେ ତାକୁ ହତ୍ୟା କରିଛି।
ଅମିତକୁ ସେତେବେଳେ ୧୯ ବର୍ଷ । ସେ ନିରୀହ ବୋଲି ଯେତେ ଗୁହାରି କଲେ ମଧ୍ୟ ତଦନ୍ତ ପରେ ତାକୁ ଜେଲ୍ଖାନାରେ ପୂରାଇ ଦିଆଗଲା। ପୁଲିସ ଉପଯୁକ୍ତ ପ୍ରମାଣ ଦେଇ ନ ପାରିବାରୁ ଜେଲ୍ରେ ୨ ମାସ ଏବଂ ୧୦ ଦିନ ରହିବା ପରେ ସେ ହାଇକୋର୍ଟରୁ ଜାମିନ୍ ପାଇ ଆସିଲେ।
ଲୋକେ ଚିଡ଼ାଇବା ଏବଂ କେମିତି ତାକୁ ମାରିଲୁ ଆଦି ପଚାରିବା ତଥା ଜଣେ ଖୁଣୀ ବୋଲି ଚିହ୍ନଟ ହୋଇ ବଞ୍ଚିବା ଥିଲା ବଡ଼ ଦୁର୍ବିଷହ। ତା’ଛଡ଼ା ତଦନ୍ତ ସରି ନ ଥିବାରୁ ପୁଣି ଜେଲ୍ଖାନା ଯାଇ ପାରେ ବୋଲି ଆଶଙ୍କାଟିଏ ସବୁବେଳେ ମନକୁ ଆବୋରି ରହୁଥିଲା।
ସମୟ ଗଡ଼ି ଚାଲିଲା। ଘଟଣା ଉପରୁ ଲୋକଙ୍କ ଧ୍ୟାନ କ୍ରମେ ହଟିଗଲା। ଦୁଇ ପରିବାର ମଧ୍ୟ ଆପୋସ ବୁଝାମଣାରେ ପହଞ୍ଚିଲେ। ମାମଲାକୁ ଆଗକୁ ନ ବଢ଼ାଇବାକୁ କୁଆଡ଼େ ଦୀପକଙ୍କ ପରିବାର ୧୫/୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଶେଷରେ ୫ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା। କ୍ରମେ ସେ ପ୍ରସଙ୍ଗ ଭୁଲି ହୋଇ ଆସିଲା ବେଳେ ଦିନେ ଜଣେ କହିଲେ କି, ଦୀପକ ବଞ୍ଚିଛି ଏବଂ ତାଙ୍କ ଘରକୁ ଯାଆ ଆସ କରୁଛି।
ଅମିତ ଦୀପକଙ୍କ ଘରେ ଉପରେ ନିଘା ରଖିଲା। ମଙ୍ଗଳବାର ଦିନ ସେ ଦେଖିଲା କି, ଦୀପକ ଘରକୁ ପଶୁଛି। ତୁରନ୍ତ ଅମିତ ପୁଲିସକୁ ଜଣାଇବା ପରେ ଦୀପକ ଧରା ହେଲା।
ପଚରା ଉଚୁରାରୁ ଜଣାପଡ଼ିଲା ଯେ, ଗୋଟାଏ ଚୋରି ମାମଲାରେ ଦୀପକର ନାଁ ଦରଜ ହୋଇଥିଲା। ଭୟରେ ସେ ଗାଁ ଛାଡ଼ି ପଳାଇଥିଲା। ସେ ଜଣେ ଦିନ ମଜୁରିଆ ଭାବେ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଏଣୁତେଣୁ କାମ କରୁଥିଲା। ମାମଲାର ସମାଧାନ ହୋଇଯିବା ପରେ ସେ ଧୀରେ ଧୀରେ ଘରକୁ ଆସିବା ଆରମ୍ଭ କଲା।
ପୁଲିସ ଦୀପକଙ୍କୁ ଗିରଫ କରି ଜେଲ୍କୁ ପଠାଇ ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛି।