କଟକ: ବିହାରର ପାଟଣାଠାରେ ଭାରତ ଓ ନେପାଳ ମଧ୍ୟରେ ଜୁନ୍ ୧ ତାରିଖରେ ଖୋଖୋ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଖୋଖୋ ଦଳର ତାଲିକା ଘୋଷଣା କରାଯାଇଛି । ଭାରତୀୟ ଦଳରେ ଓଡିଶାରୁ ଜଗନ୍ନାଥ ମୁର୍ମୁ ଓ ଭରତ କୁମାର ପ୍ରଧାନ ସ୍ଥାନ ପାଇଥିବା ଓଡିଶା ଖୋଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଜଣାଇଛନ୍ତି। ଜଗନ୍ନାଥ ବାଲେଶ୍ୱର ଜିଲ୍ଲାକୁ ଓ ଭରତ ପୁରୀ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି। ଉଭୟ ଖେଳାଳି ୨୧ତମ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡିଶାକୁ ଉପବିଜେତା କରାଇଥିଲେ। ଗତ ୪ ବର୍ଷ ହେବ ବାଲେଶ୍ୱରରେ ପ୍ରଶିକ୍ଷକ ମଳୟ ରଞ୍ଜନ ବେହେରା ଓ ସୂର୍ଯ୍ୟ ନାରାୟଣ ଜେନାଙ୍କ ପ୍ରତ୍ୟକ୍ଷ ତ୍ଵାବଧାନରେ ଉଭୟ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। ରାଜ୍ୟ ସଂଘର ସଭାପତି ନାରାୟଣ ପାତ୍ର, ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା, ବାଲେଶ୍ୱର ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଅଧିପ ଦାସ ପ୍ରମୁଖ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।