ଭଲ ଖବର: ବନ୍ଦ ହେବନି ଯାତ୍ରା ପାର୍ଟି, ପୂର୍ବଭଳି ଜାରି ରହିବ ଯାତ୍ରା

ଭୁବନେଶ୍ୱର: ଓଡ଼ିଶାର ଯାତ୍ରାପ୍ରେମୀ, କଳାକାର ଓ ମାଲିକଙ୍କ ପାଇଁ ଭଲ ଖବର ଆସିଛି। ଓଡ଼ିଶାର ପାରଂପରିକ ଯାତ୍ରା ପାର୍ଟି ବନ୍ଦ ହେବ ନାହିଁ। ଅର୍ଥାତ ପୂର୍ବ ଭଳି ଓଡ଼ିଆ ଯାତ୍ରା ଜାରି ରହିବ। ଯାତ୍ରା ମାଲିକ ମହାସଂଘ ପକ୍ଷରୁ ଗୁରୁବାର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କିଛି କାମରେ ଖର୍ଚ୍ଚ କାଟ କରାଯିବ। ଯାତ୍ରା ପରିବେଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଅଯଥା ଖର୍ଚ୍ଚକୁ ଗୁରୁତ୍ୱ ଦିଆଯିବ ନାହିଁ। ବାହାର ଚାକଚାକ୍ୟ ଓ କଳାକାରଙ୍କୁ ଦିଆଯାଉଥିବା ଅନାବଶ୍ୟକ ସୁବିଧାରୁ ଖର୍ଚ୍ଚ କାଟ କରାଯିବ। ଲୋକଙ୍କୁ କେତେ ସୁବିଧା ଦିଆଯିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଯାତ୍ରାକୁ ବଞ୍ଚାଇ ରଖାଯିବା ପାଇଁ ଉଦ୍ୟମ ହେଉଛି। ଯାତ୍ରାରେ ଦର୍ଶକଙ୍କୁ ଆକର୍ଷଣ କରିବା ପାଇଁ ଚାକଚକ୍ୟକୁ ପ୍ରାଧାନ୍ୟ ନଦେଇ ଭଲ କାହାଣୀକୁ ନେଇ ନାଟକ ପରିବେଷଣ କରାଯିବ।

ସୂଚନାଯୋଗ୍ୟ ଓଡ଼ିଆ ଯାତ୍ରା ବ୍ୟବସାୟରେ ଲାଭ ଅପେକ୍ଷା ଖର୍ଚ୍ଚ ଅଧିକ ହେଉଥିବାରୁ ଯାତ୍ରା ମାଲିକ ମହାସଂଘ କିଛି ମାସ ତଳେ ଆସନ୍ତାବର୍ଷ ଠାରୁ ଯାତ୍ରା ପାର୍ଟି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଦ୍ୱାରା ଓଡ଼ିଶାର ହଜାର ହଜାର କଳାକାର ଘରେ ବସିଯାଇଥାନ୍ତେ। ଏଥି ସହିତ ଯାତ୍ରା ଶିଳ୍ପ ସହିତ ସଂଶ୍ଲିଷ୍ଟ ହଜାର ହଜାର ଲୋକ ବେରୋଜଗାର ହୋଇ ଯାଇଥାନ୍ତେ। ଏସବୁକୁ ଦୃଷ୍ଟିରେ ଯାତ୍ରା ପାର୍ଟି ବନ୍ଦ ନକରି ପୂର୍ବଭଳି ଜାରି ରଖିବାକୁ ମହାସଂଘ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର