ଭାରତର କେତେକ ସ୍ଥାନରେ ରହିଛି ଏପରି ମନ୍ଦିର ଯେଉଁଠାରେ ରାବଣଙ୍କୁ ପୂଜା କରାଯାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଭାରତର ଏହି ସବୁ ସ୍ଥାନ ଯଥା- ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳପ୍ରଦେଶରେ ଦଶାନନ ରାବଣଙ୍କୁ ପୂଜା କରାଯିବାର ବିଧି ରହିଛି। କିନ୍ତୁ ରାବଣଙ୍କୁ ପୂଜା କରିବା ପଛରେ କାରଣ କଣ ଜାଣିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବିଦିଶା ଜିଲାରେ ରହିଛି ରାବଣଙ୍କ ଭବ୍ୟ ମନ୍ଦିର। ଏଠାରେ ପୂଜାପାଆନ୍ତି ରାକ୍ଷସରାଜ ରାବଣ। ଏହି ମନ୍ଦିର ମଧ୍ୟପ୍ରଦେଶର ପ୍ରଥମ ରାବଣ ମନ୍ଦିର। ସେହିପରି ରାଜ୍ୟର ମନ୍ଦସୌର ଅଞ୍ଚଳରେ ମଧ୍ୟ ରାବଣଙ୍କ ଏକ ମନ୍ଦିର ରହିଛି । ମନ୍ଦସୌର ଖାନପୂରା ଅଞ୍ଚଳର ରାବଣ ରୁଡ୍ଡି ନାମକ ସ୍ଥାନରେ ଦଶାନନଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ରହିଛି। କୁହାଯାଏ ଏହା ମହାବଳୀ ରାବଣଙ୍କ ଶ୍ୱଶୁର ଘର। ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ନାମାନୁସାରେ ଏହାର ନାମକରଣ ମନ୍ଦସୌର ହୋଇଛି ବୋଲି ସ୍ଥାନୀୟ ଗବେଷକଙ୍କ ମତ।
କର୍ଣ୍ଣାଟକ: କୋଲାର ଜିଲ୍ଲାର ଲୋକ ଫସଲ ମହୋତ୍ସବ ସମୟରେ ରାବଣଙ୍କୁ ପୂଜା କରିବାର ପରମ୍ପରା ରହିଛି । ରାବଣ ଭଗବାନ ଶିବଙ୍କ ପରମ ଭକ୍ତ ଥିବାରୁ ଏଠାରେ ତାଙ୍କ ପୂଜା କରାଯାଏ ବୋଲି କଥା ରହିଛି। ଏଠାରେ ଆୟୋଜିତ ଲଙ୍କେଶ୍ୱର ମହୋତ୍ସବ ସମୟରେ ଭଗବାନ ଶିବଙ୍କ ସହ ରାବଣଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଶୋଭାଯାତ୍ରାରେ ବାହାରକୁ ନିଆଯାଇ ପରିକ୍ରମା କରାଯାଇଥାଏ। ଏହାଛଡା ମଣ୍ଡ୍ୟା ଜିଲ୍ଲାରେ ମଧ୍ୟ ରାବଣଙ୍କ ଏକ ମନ୍ଦିର ରହିଛି ।
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କାନପୁରରେ ରାବଣଙ୍କର ଏକ ପ୍ରସିଦ୍ଧ ମନ୍ଦିର ରହିଛି। କାନପୁରସ୍ଥିତ ଶିବାଲା ଅଞ୍ଚଳରେ ଥିବା ଦଶାନନ ମନ୍ଦିରରେ ରାବଣଙ୍କୁ ଶକ୍ତିର ସ୍ୱରୂପ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ମନ୍ଦିରର ନିର୍ମାଣ ୧୮୯୦ରେ କରାଯାଇଥିଲା। ଏହି ମନ୍ଦିରର ବିଶେଷତ୍ୱ ହେଉଛି ପ୍ରତିବର୍ଷ ଗୋଟିଏ ଦିନ ଅର୍ଥାତ ଦଶହରାରେ ଏହା ଖୋଲାଯାଇଥାଏ। ଦଶହରା ଦିନ ସକାଳୁ ଏହି ମନ୍ଦିର ଖୋଲାଯାଇଥାଏ। ଏହି ସମୟରେ ରାବଣଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥାଏ । ପରେ ସନ୍ଧ୍ୟାରେ ମନ୍ଦିର ପୁଣିଥରେ ବର୍ଷକ ପାଇଁ ବନ୍ଦ ରହିଥାଏ ।
ରାଜସ୍ଥାନ: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ମନ୍ଦୋଦରୀ ବୋଲି ଗୋଟିଏ ସ୍ଥାନ ରହିଛି। ଏଠାରେ ରାବଣ ଦେବୀ ମନ୍ଦୋଦରୀଙ୍କ ହାତ ଧରି ବିବାହ କରିଥିଲେ। ରାବଣ ଓ ମନ୍ଦୋଦରୀଙ୍କ ଏହି ବିବାହ ସ୍ମୃତିକୁ ମନେ ରଖିବା ପାଇଁ ଏଠାରେ ଚବରୀ ନାମକ ଏକ ସ୍ମୃତିପୀଠ ରହିଛି। ଏହାଛଡା ଚାନ୍ଦପୋଲ ନିକଟରେ ମଧ୍ୟ ଦଶାନନ ରାବଣଙ୍କର ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି ।
ହିମାଚଳ ପ୍ରଦେଶ: ଏହି ରାଜ୍ୟର କାଙ୍ଗଡା ଜିଲ୍ଲାରେ ଶିବ ନଗରୀ ନାମରେ ପ୍ରସିଦ୍ଧ ଏକ ଅଞ୍ଚଳ ରହିଛି। ଏଠାରେ ଭଗବାନ ଶିବଙ୍କୁ ଉତ୍ସର୍ଗ ହୋଇଥିବା ବୈଜନାଥ ମହାଦେବଙ୍କ ମନ୍ଦିର ରହିଛି। ଏଠାରେ ରାବଣଙ୍କ ପୁତଳା ଜାଳିବାକୁ ମହାପାପ ବୋଲି ଲୋକ ଭାବିଥାନ୍ତି। ରାବଣଙ୍କୁ ଏହି ଅଞ୍ଚଳରେ ଲୋକ ବେଶ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରିଥାନ୍ତି। କୁହାଯାଏ ଏଠାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ରାବଣ ମୋକ୍ଷପ୍ରାପ୍ତିର ବରଦାନ ପାଇଥିଲେ। ଏଣୁ ଏହି ଅଞ୍ଚଳର ଅଧିବାସୀଙ୍କ ପାଇଁ ରାବଣ ବେଶ୍ ପୂଜ୍ୟ।